କୋଦଳା,୫।୨(ସୂର୍ଯ୍ୟ ନାରାୟଣ ବଡୁ): ମଙ୍ଗଳବାର କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ତଥା ଲୋକମାନଙ୍କ ସମସ୍ୟା ବୁଝି ସେଗୁଡିକୁ ସମାଧାନ କରିବା ନିମନ୍ତେ ବେଗୁନିଆପଡା ବ୍ଲକ ଦିଗାପଡା ପଞ୍ଚାୟତ ଗସ୍ତ କରି ସେଠାରେ ବିଭିନ୍ନ ପ୍ରକଳ୍ପ ବୁଲି ଦେଖିଥିଲେ । ବହୁ ଦିନରୁ କାର୍ଯ୍ୟାଦେଶ ଦିଆଯାଇଥିବା ଧନଞ୍ଜୟପୁରର ଏକ ଅଙ୍ଗନବାଡି ଗୃହ ନିର୍ମାଣରେ ବିଳମ୍ବକୁ ନେଇ ବିଭାଗୀୟ ଅଧିକାରୀ ଏଵଂ ସ୍ଥାନୀୟ ଜନସାଧାରଣଙ୍କ ସହିତ ଆଲୋଚନା କରିଥିଲେ ଏବଂ ଶୀଘ୍ର କାର୍ଯ୍ୟ ଶେଷ କରିବାକୁ ନିର୍ଦ୍ଦେଶ ଦେଇ ବର୍ତ୍ତମାନ କିପରି କୋମଳମତି ଶିଶୁ କେନ୍ଦ୍ରରେ ରହୁଛନ୍ତି ଜାଣିବା ନିମନ୍ତେ ବିଦ୍ୟାଳୟ ପରିସରରେ ଥିବା ଧନଞ୍ଜୟପୁର କେନ୍ଦ୍ର ନ-୧ କୁ ଯାଇଥିଲେ ।ସେତେବେଳେକୁ ସମୟ ସକାଳ ୯: ୫୩ ମିନଟ , କିନ୍ତୁ କେନ୍ଦ୍ରରେ ତାଲା ଝୁଲୁଛି । ବହୁ ସମୟ ଅପେକ୍ଷ୍ୟା କରିବା ପରେ ଅଙ୍ଗନବାଡି ସହାୟିକା ପହଞ୍ଚି ଥିଲେ ମଧ୍ୟ ପିଲା ନ ଥିଲେ କି ସେ ସଠିକ ଉତ୍ତର ଦେଇନଥିଲେ । ସରକାର ଶିଶୁଙ୍କ ପାଇଁ ସମସ୍ତ ପ୍ରକାର ସୁବିଧା ଯୋଗାଇ ଦେଇଥିବା ସ୍ଥଳେ କୋମଳମତି ଶିଶୁଙ୍କ ପ୍ରତି ଏପରି କାର୍ଯ୍ଯ ଦେଖି ବିଧାୟିକା ଖ୍ଯୁବ୍ଧ ହୋଇ ସିଡିପିଓ , ଡିଏସ୍ଡବ୍ଲୁଙ୍କୁ ପଚାରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିବା ବେଳେ ବୁଧବାର ଗଞ୍ଜାମ ଜିଲ୍ଲାପାଳଙ୍କୁ ଏ ବିଷୟରେ ଅବଗତ କରାଯିବ ବୋଲି ବିଧାୟିକା ପ୍ରକାଶ କରିଛନ୍ତି । ଏ ନେଇ ବେଗୁନିଆପଡା ଶିଶୁ ବିକାଶ ପ୍ରକଳ୍ପ ଅଧୀକାରିଣୀ ସନ୍ଧ୍ୟାରାଣୀ ପାଣିଗ୍ରାହୀଙ୍କ ସହିତ ଯୋଗାଯୋଗ ପରେ ସେ କହିଥିଲେ ଯେ ବିଧାୟିକାଙ୍କ ଠାରୁ ଅଭିଯୋଗ ପାଇବା ପରେ ମୁଁ ଅଙ୍ଗନବାଡି କର୍ମୀ ବୀଣାପାଣି ମିଶ୍ରଙ୍କୁ ସ୍ପଷ୍ଟୀକରଣ ମାଗିଛି , ପରେ ପରେ ଡିଏସ୍ଡବ୍ଲୁ ଉକ୍ତ କର୍ମୀଙ୍କ ଫାଇଲ ମାଗିଛନ୍ତି ସ୍ପଷ୍ଟୀକରଣ ମିଳିବା ପରେ ମୁଁ ଫାଇଲ ପହଞ୍ଚାଇବି ବୋଲି କହିଥିଲେ ।ଏହାର ସଠିକ ତଦନ୍ତ କରାଯିବ ବୋଲି କହିଥିଲେ ।

















