ବାଲିଗୁଡା,୩।୨(ଡି.ଏଚ) : ଦାରିଙ୍ଗବାଡ଼ିରୁ ୫୯ନଂ ଜାତୀୟ ରାଜପଥରେ ବ୍ରହ୍ମପୁର ସହ ଯୋଗା ଯୋଗ କରୁଛି । ତେବେ ଗାଜଲବାଡି ଘାଟିର ୯ନଂ. ବୁଲାଣି ରାସ୍ତା ପାର୍ଶ୍ଵରେ ଗାର୍ଡ଼ୱେଲ ତିଆରିର ବର୍ଷ ବର୍ଷ ବିତିଥିଲେ ସୁଦ୍ଧା ବର୍ତ୍ତମାନ ତାହା ଅଧାପନ୍ତରିଆ ଭାବେ ପଡ଼ିରହିଛି । ତେବେ ଉକ୍ତ ଗାର୍ଡ଼ୱେଲ ପ୍ରତି ସରକାରଙ୍କ ନିଘା ନାହିଁ , ବାରମ୍ବାର ଜନସାଧାରଣ ଦୃଷ୍ଟି ଆକର୍ଷଣ କଲେ ମଧ୍ୟ କୌଣସି ସୁଫଳ ମିଳି ନାହିଁ । କିଛି ଦିନ ତଳେ ଗୋଟିଏ ଟ୍ରକ ଦୁର୍ଘଟଣା ମୁହଁରୁ ବର୍ତ୍ତିଯାଇଛି । ଫଳରେ ଟ୍ରକ୍ଟି ସିଧା ଗଡ଼ି ରାସ୍ତା ପାର୍ଶ୍ୱରେ ଥିବା କାଦୁଅରେ ଫସି ଯାଇଥିଲା। ଆଉ ମାତ୍ର କିଛି ଦୂରରେ ପ୍ରାୟ ୨ଶହ ଫୁଟର ଏକ ଖାଲଥିବାରୁ ଚାଳକ ଭୟଭୀତ ହୋଇପଡ଼ିଥିଲେ। ଉକ୍ତ ଘାଟିରେ ଗତ ୩ବର୍ଷ ହେଲା ଗାର୍ଡୱାଲ ନିର୍ମାଣ ଚାଲିଥିଲେ ମଧ୍ୟ ନିୟମିତ କାର୍ଯ୍ୟ ହେଉ ନ ଥିବାରୁ ଘାଟି ରାସ୍ତା ବିପଦସଙ୍କୁଳ ପରିସ୍ଥିତିରେ ରହିଛି। ସେହିପରି ତିତ୍ଲି ବାତ୍ୟା ସମୟରେ ଉକ୍ତ ଘାଟିରାସ୍ତାରେ ଭୁସ୍ଖଳନ ଯୋଗୁଁ ଦୀର୍ଘଦିନ ଧରି ରାସ୍ତାରେ ଯାତାୟାତ ବନ୍ଦ ଥିଲା। ସେହିଦିନ ଠାରୁ ଉକ୍ତ ରାସ୍ତାରେ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହେଉଛି। ଖବର ଲେଖାହେବା ପର୍ଯ୍ୟନ୍ତ ରାଜପଥ ଉପରେ ଏକାଧିକ ଗାଡ଼ିମୋଟର ଅଟକି ରହିବା ସହ ବାଲିଗୁଡ଼ାଠାରୁ ଦାରିଙ୍ଗବାଡ଼ି ଦେଇ ବ୍ରହ୍ମପୁର,ଭୁବନେଶ୍ବରକୁ ଗାଡ଼ି ଚଳାଚଳ ବନ୍ଦ ରହିଛି।














