ବ୍ରହ୍ମପୁର,୩୧/୦୧(ସାହେବ ନାୟକ ) : ସ୍ଥାନୀୟ ଖଲ୍ଲିକୋଟ କଲେଜ ଖେଳ ପଡିଆ ପରିସରରେ ଚାଲିଥିବା ୭ମ ମହାନଗର ମହୋତ୍ସବ ଚତୁର୍ଥ ଦିନରେ ପହଁଚିଛି। ଆସନ୍ତା ଫେବୃୟାରୀ ୫ ତାରିଖ ପର୍ଯ୍ୟନ୍ତ ଚାଲିବ ଏହି ମହୋତ୍ସବ। ମହୋତ୍ସବର ଚତୁର୍ଥ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ଉପ ଜିଲ୍ଲାପାଳ ସିନ୍ଧେ ଦତାତ୍ରୟ ଭାଉ ସାହେବ ଯୋଗ ଦେଇ ପ୍ରଦୀପ ପ୍ରଜ୍ବଳନ କରି ଶୁଭାରମ୍ଭ କରିବା ସହ ଗଞ୍ଜାମ ଜିଲ୍ଲା ହେଉଛି ମହୋତ୍ସବର ଜିଲ୍ଲା, ଆଉ ଗଞ୍ଜାମ ମାଟି ହେଉଛି କଳାକାରଙ୍କ ମାଟି । ତେଣୁ ଗଞ୍ଜାମରେ କଳାକାରଙ୍କୁ ସୁଯୋଗ ଦେବା ପାଇଁ ଏଭଳି ମହୋତ୍ସବର ଆବଶ୍ୟକତା ରହିଥିବା ମତ ରଖିଥିଲେ।।ଏହା ସହ ଦୁର୍ଘଟଣା ଜନିତ ମୃତ୍ୟୁ ଦିନକୁ ଦିନ ବଢି ଚାଲିଥିବା ବେଳେ ଏହାକୁ ରୋକିବା ନେଇ ଜନସାଧାରଣଙ୍କୁ ସଚେତନତାର ବାର୍ତା ମଧ୍ୟ ବାଣ୍ଟିଥିଲେ । ମହୋତ୍ସବର ସଭାପତି ନାରାୟଣ ମହାଙ୍କୁଡ଼ଙ୍କ ଅଧକ୍ଷତାରେ ଆୟୋଜିତ ଏହି ସଭାକର୍ଯ୍ୟରେ ସମ୍ପାଦକ ଗୋପାଳ ପଟ୍ଟନାୟକ ସଂଯୋଜନା କରିଥିଲେ। ସମ୍ମାନିତ ଅତିଥି ଭାବେ ଏସ୍ଡିପିଓ ବିଷ୍ଣୁ ପ୍ରସାଦ ପତି, ସାମନ୍ତରାୟ ଏକାଡେମୀର ନିର୍ଦ୍ଧେଶକ ଦେବେଶ ସାମନ୍ତରାୟ, ବରିଷ୍ଠ ସାମ୍ବାଦିକ ହେମାଙ୍ଗ ରାଉଳ, ଚିରଞ୍ଜିତ ରାଜଗୁରୁ, କୋଷଧକ୍ଷ ପ୍ରଣୟ ପଣ୍ଡା,ସୁଦୀପ ସାହୁ,ଆଲୋକ ସାହୁ, ଶିକ୍ଷାବିତ ମିହିର ତ୍ରିପାଠୀ, ସୂର୍ଯ୍ୟନାରାୟଣ ଦାସ,ଗୋପାଳ କୃଷ୍ଣ ଡାକୁଆ,ଯୁଗ୍ମ ସମ୍ପାଦିକା ରଶ୍ମିତା ପାଣିଗ୍ରାହୀ ପ୍ରମୁଖ ମଞ୍ଚାସିନ ଥିଲେ । ପରେ ତପ୍ତପାଣି ଘାଟିରେ ଘଟିଥିବା ଵସ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା ଯାତ୍ରୀଙ୍କ ପାଇଁ ନିରବ ପ୍ରାର୍ଥନା କରାଯାଇଥିଲା। ପରିଶେଷରେ ସାମ୍ବାଦିକ ଶିବରାମ ଚୌଧୁରୀ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ଷ୍ଟାର ପ୍ଲସ ଡ୍ୟାନ୍ସ ୫ ରେ ପୋପ ଆଣ୍ଡ ଫ୍ଲିପ ନାଚ କରି ଦର୍ଶକ ଓ ଜର୍ଜଙ୍କ ମନ ଜିଣିଥିବା ଓଡ଼ିଆ ପୁଅ ବ୍ରହ୍ମପୁରର ଶିବ ପ୍ରସାଦ ଦାସଙ୍କୁ ମହୋତ୍ସବ ଖୋଲା ମଂଚରେ ସମ୍ମାନିତ କରାଯାଇଥିଲା ।


















