ବ୍ରହ୍ମପୁର,୩୦।୧( ଡିଏଚ ): ଗତକାଲି ଗଞ୍ଜାମ ଜିଲ୍ଲାର ତପ୍ତପାଣି ଘାଟିରେ ଏକ ଘରୋଇ ବସ୍ ଦୁର୍ଘଟଣାରେ ୮ଜଣଙ୍କ ପ୍ରାଣହାନି ହୋଇଥିବା ବେଳେ ୩୦ରୁ ଅଧିକ ଯାତ୍ରୀ ଆହତ ହୋଇଥିଲେ । ଦୁର୍ଘଟଣାର ଗୋଟିଏ ଦିନ ପରେ ଅର୍ଥାତ୍ ଆଜି ସରସ୍ୱତୀ ପୂଜା ବା ବସନ୍ତ ପଞ୍ଚମୀ ଅବସରରେ ବ୍ରହ୍ମପୁର ଉପକଣ୍ଠ ହଳଦିଆପଦରର ଗ୍ରାମବାସୀମାନେ ଦୁର୍ଘଟଣା ନ ହେବା ପାଇଁ ଜାତୀୟ ରାଜପଥରେ ନିଆରା ଢଙ୍ଗରେ ପୂଜାର୍ଚ୍ଚନା କରିଛନ୍ତି। ଏହା ସହ ସେମାନେ ନିଜର ଦାବି ସଂପର୍କରେ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଛନ୍ତି ।
ବ୍ରହ୍ମପୁର ସହରରୁ ୫ନମ୍ୱର ଜାତୀୟ ରାଜପଥକୁ ସଂଯୋଗ କରୁଥିବା ହଳଦିଆପଦର ଓଭରବ୍ରିଜ୍ ଛକ ନିକଟରେ ପ୍ରତ୍ୟେକ ଦିନ ଛୋଟ ବଡ଼ ଦୁର୍ଘଟଣାମାନ ହେଉଥିବାର ଦେଖିବାକୁ ମିଳୁଛି । ଏପରିକି ଏହି ଫ୍ଲାଏ ଓଭରଟି ୨୦୧୪ ମସିହାରୁ ନିର୍ମାଣ ହୋଇଥିବା ସମୟରୁ ଅନେକ ଦୁର୍ଘଟଣାରେ ବହୁ ଲୋକଙ୍କ ପ୍ରାଣହାନି ହୋଇସାରିଥିବା ବେଳେ ଅନେକ ଆହତ ହୋଇଛନ୍ତି । ସ୍ଥାନୀୟ ଲୋକେ ଅଭିଯୋଗ ଆଣିଛନ୍ତି ଯେ ଏହି ଓଭରବ୍ରିଜ୍ ନିର୍ମାଣ ବେଳେ କିଛି ତ୍ରୁଟି ରହିଯାଇଛି, ଯାହା ଫଳରେ ସିଧାସଳଖ ଜାତୀୟ ରାଜପଥକୁ ସଂଯୋଗ କରୁଥିବା ସ୍ଥାନରେ ଦୁର୍ଘଟଣା ଘଟୁଛି। ଏପରିକି ଓଭର ବ୍ରିଜରୁ ଜାତୀୟ ରାଜପଥର ବିପରୀତ ରାସ୍ତାକୁ ଯିବାକୁ ହେଲେ ୪ କିଲୋମିଟରୁ ଅଧିକା ରାସ୍ତା ଅତିକ୍ରମ କରିବାକୁ ପଡ଼ୁଛି । ଏଥିରେ ସୁଧାର ଆଣିବା ଲାଗି ବାରମ୍ୱାର ଲୋକେ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ସୁଦ୍ଧା କୌଣସି ସୁଫଳ ମିଳିନାହିଁ ।

















