ବାଳିକା ଉଚ୍ଚ ବିଦ୍ୟାଳୟ ଓ ବୃନ୍ଦାବନ ବିଦ୍ୟାପୀଠର ମିଶ୍ରଣ

ନୂତନଭାବେ ପରିଚିତ ହେଲା ସରକାରୀ ବୃନ୍ଦାବନ ଉଚ୍ଚ ବିଦ୍ୟାଳୟ

174
ADVERTISEMENT

ହିଞ୍ଜିଳିକାଟୁ, ୨୮/୬(ଶେଷଦେବ ସାହୁ): ହିଞ୍ଜିଳିକାଟୁ ପୌରାଞ୍ଚଳ ମଧ୍ୟରେ ଅବସ୍ଥାପିତ ୩ଟି ଉଚ୍ଚ ବିଦ୍ୟାଳୟ ମଧ୍ୟରୁ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଓ ବୃନ୍ଦାବନ ବିଦ୍ୟାପୀଠର ମିଶ୍ରଣ କରାଯାଇ ନୂତନ ଭାବେ ସରକାରୀ ବୃନ୍ଦାବନ ଉଚ୍ଚ ବିଦ୍ୟାଳୟ ନାମକରଣ କରାଯାଇଛି । ଶୁକ୍ରବାର ଦିନ ସ୍ଥାନୀୟ ବୃନ୍ଦାବନ ବିଦ୍ୟାପୀଠ ପରିସରରେ ଶିକ୍ଷକ-ଅଭିଭାବକଙ୍କ ଏକ ମିଳିତ ବୈଠକ ଅନୁଷ୍ଠିତ ହୋଇଥିଲା । ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଦାନ ଶିକ୍ଷୟତ୍ରୀ ଶାନ୍ତିଲତା ମୁନିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଶିକ୍ଷାଧିକାରୀ ଡ଼ଃ. ସନାତନ ପଣ୍ଡା ଓ ସମ୍ମାନୀତ ଅତିଥିଭାବେ ବ୍ଳକ ଅଧ୍ୟକ୍ଷ ଏନ. ରଘୁନାଥ ମଞ୍ଚାସୀନ ଥିଲେ । ଉଭୟ ଉଚ୍ଚ ବିଦ୍ୟାଳୟର ଶିକ୍ଷକ-ଅଭିଭାବକ, ବିଦ୍ୟାଳୟ ପରିଚାଳନା କମିଟିର କର୍ମକର୍ତ୍ତା ଓ ସଭ୍ୟ-ସଭ୍ୟା ମାନଙ୍କ ଆଲୋଚନା ପରେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଓ ବୃନ୍ଦାବନ ବିଦ୍ୟାପୀଠର ମିଶ୍ରଣ ପାଇଁ ଜିଲ୍ଲା ଶିକ୍ଷାଧିକାରୀ ଡ଼ଃ. ପଣ୍ଡା ପ୍ରସ୍ତାବ ଦେଇଥିଲେ ।
ଉପସ୍ଥିତ ସମସ୍ତ ଶିକ୍ଷକ-ଅଭିଭାବକ, ବିଦ୍ୟାଳୟ ପରିଚାଳନା କମିଟିର କର୍ମକର୍ତ୍ତା ଓ ସଭ୍ୟ-ସଭ୍ୟା ମାନଙ୍କ ସହମତି କ୍ରମେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଓ ବୃନ୍ଦାବନ ବିଦ୍ୟାପୀଠର ମିଶ୍ରଣ କରାଯାଇ ନୂତନ ଭାବେ ସରକାରୀ ବୃନ୍ଦାବନ ଉଚ୍ଚ ବିଦ୍ୟାଳୟ ନାମକରଣ କରାଯାଇଥିଲା । ଦୁଇଟି ବିଦ୍ୟାଳୟର ସମ୍ମିଶ୍ରଣ ପରେ ବିଦ୍ୟାଳୟରେ ଶିକ୍ଷକଙ୍କ ସଂଖ୍ୟା ବୃଦ୍ଧି ପାଇବା ସହ ଶିକ୍ଷାର୍ଥୀଙ୍କୁ ଉନ୍ନତ ଧରଣର ଶିକ୍ଷା ପ୍ରଦାନ କରାଯାଇପାରିବ ବୋଲି ଜିଲ୍ଲା ଶିକ୍ଷାଧିକାରୀ ଡ଼ଃ. ପଣ୍ଡା କହିଥିଲେ । ପରବର୍ତ୍ତୀ ସମୟରେ ‘ମୋ ସ୍କୁଲ’ ଯୋଜନା ଆନୁକୂଲ୍ୟରେ ଗଠିତ ବିଦ୍ୟାଳୟ ପାଠାଗାର ପ୍ରକୋଷ୍ଠର ଶୁଭ ଉଦଘାଟନ କରାଯାଇଥିଲା । ପ୍ରତ୍ୟେକ ବୁଧବାର ଶେଷ କାଳାଂଶରେ ସମୂହ ପାଠାଗାର ଶିକ୍ଷା ଅଧ୍ୟୟନ କାର୍ଯ୍ୟକ୍ରମ ରହିଆସୁଥିବା ବେଳେ ବର୍ତ୍ତମାନ ଶିକ୍ଷାର୍ଥୀମାନେ ନିଜ ନିଜର ଅବସର ସମୟରେ ପାଠାଗାର ଅଧ୍ୟୟନର ସୁଯୋଗ ପାଇପାରିବେ । ବୈଠକରେ ବିଦ୍ୟାଳୟର ବିଭିନ୍ନ ଏଜେଣ୍ଡା ଉପରେ ଆଲୋଚନା କରାଯିବା ସହ ଶିକ୍ଷାର୍ଥୀଙ୍କ ଉନ୍ନତ ମାନର ପରୀକ୍ଷା ଫଳ ସମେତ ‘ଉଜ୍ଜ୍ଵଳା’ ଓ ‘ଉତ୍କର୍ଷ’ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରାଯାଇଥିଲା । ପରିଶେଷରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେଙ୍କ ନିର୍ଦ୍ଦେଶ ପ୍ରକାରେ ‘ପିଲାଟିଏ- ଗଛଟିଏ’ କାର୍ଯ୍ୟକ୍ରମ ମାଧ୍ୟମରେ ଉଭୟ ବିଦ୍ୟାଳୟର ଶିକ୍ଷାର୍ଥୀମାନେ ବିଦ୍ୟାଳୟ ପରିସରରେ ଗୋଟିଏ ଲେଖାଏଁ ବୃକ୍ଷରୋପଣ କରିଥିଲେ । କାର୍ଯ୍ୟକ୍ରମକୁ ବୃନ୍ଦାବନ ବିଦ୍ୟାପୀଠର ପ୍ରଧାନ ଶିକ୍ଷକ ନିକୁଞ୍ଜ ପ୍ରଧାନ ପରିଚାଳନା କରିଥିବାବେଳେ ଉଭୟ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ ଓ କର୍ମଚାରୀ ବୃନ୍ଦ ପରିଚାଳନାରେ ସହଯୋଗ କରିଥିଲେ ।

Advertisement