Wednesday, November 18, 2026
ADVERTISEMENT
Home ଆଞ୍ଚଳିକ ଶିକ୍ଷକଙ୍କ ମାଡରେ ଛାତ୍ର ଲହୁଲୁହାଣ

ଶିକ୍ଷକଙ୍କ ମାଡରେ ଛାତ୍ର ଲହୁଲୁହାଣ

ଛୁଟି ଦରଖାସ୍ତ ଦେଇ ଛାତ୍ରଙ୍କୁ ନେଲେ ଅଭିଭାବକ

1124
ADVERTISEMENT

ଦିଗପହଣ୍ଡି,୨୫ା୧(ସୁନୀଲ ସାହୁ):ଦଣ୍ଡ ମୁକ୍ତ ଅଞ୍ଚଳରେ କଠୋର ଶାସ୍ତି ପାଇ ଲହୁଲୁହାଣ ହୋଇଛନ୍ତି ଛାତ୍ର । ସମ୍ପୃକ୍ତ ଶିକ୍ଷକଙ୍କ ଧମକରେ ଛାତ୍ର ଜଣେ ୨୪ ଘଣ୍ଟା ପରେ ନିଜ ପରିବାର ବର୍ଗଙ୍କୁ ଜଣାଇବା ପରେ ଘଟଣା ଏବେ ପଦାକୁ ଆସିଛି । ସେପଟେ ସମ୍ପୃକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କୁ ସମ୍ପୃକ୍ତ ଅଭିଭାବକ ଜଣକ ଛୁଟି ଦରଖାସ୍ତ ଦେଇ ନିଜ ପୁଅକୁ ତାଙ୍କ ବାପା ସୁସ୍ଥ ହେଲା ଯାଏଁ ଘରେ ରଖିବାକୁ ନେଇଛନ୍ତି । ଏନେଇ ଗତ ଜାନୁଆରୀ ୨୩ରେ ଦିଗପହଣ୍ଡି ଥାନାରେ ଲିଖିତ ଅଭିଯୋଗ ହୋଇଥିଲେ ହେଁ କୌଣସି ମାମଲା ରୁଜୁ ହୋଇନଥିବା ଜଣାପଡିଛି । ସେପଟେ ଶିକ୍ଷା ବିଭାଗ ପକ୍ଷରୁ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ । ଘଟଣାକୁ ତିନି ଦିନ ବିତିଯାଇଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଶୂନକୁ ନେଇ ବିଭିନ୍ନ ମହଲରେ ଚାପା ଉତ୍ତେଜନା ଦେଖାଦେଇଛି ।


ପ୍ରକାଶ ଯେ, ଗତ ଜାନୁଆରୀ ୨୨ରେ ଦିଗପହଣ୍ଡି ବ୍ଳକ ଅଧିନସ୍ଥ ସିଦ୍ଧେଶ୍ୱର ଗ୍ରାମ ସ୍ଥିତ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସପ୍ତମ ଶ୍ରେଣୀରେ ଅଧ୍ୟୟନ କରୁଥିବା ଛାତ୍ର ଟି.ସୁଜିତ୍ ପାତ୍ରଙ୍କୁ ସେହି ବିଦ୍ୟାଳୟର ଜଣେ କାର୍ଯ୍ୟରତ ଶିକ୍ଷକ ନିର୍ମମ ଭାବେ ମାଡ ମାରିଥିଲେ । ଉତ୍ ଥାନ ପୁସ୍ତକଟି ସୁଜିତ୍ ଙ୍କର ହଜିଯାଇଥିବାରୁ ସେ ବିଦ୍ୟାଳୟକୁ ନେଇନଥିଲେ । ଏହାକୁ କେନ୍ଦ୍ର କରି ଶିକ୍ଷକ ଜଣକ ନିଜ କ୍ରୋଧକୁ ସଂଜମ କରିନପାରି ଏକ କାକୋପୋଇ ଗଛର କାଠ ବାଡିରେ ଛାତ୍ର ଜଣଙ୍କ ଜଂଘ ଏବଂ ପିଚାକୁ ମାଡ ମାରିବାରୁ ତାଙ୍କର ଲୋଳା ଫାଟିଯାଇ ରକ୍ତ ଜମାଟ ବାନ୍ଧିଦେଇଥିଲା । ଘରକୁ ଯେନ ତେନ ପ୍ରକାରେ ଚାଲିଯିବା ପରେ ସେ ଅସୁସ୍ଥ ଭାବେ ଶଯ୍ୟାଶାୟୀ ହୋଇ ରହିଲେ । ଏହାକୁ ଦେଖି ପରିବାର ବର୍ଗ ବାରମ୍ବାର ପଚରାଯିବାରେ ସମ୍ପୃକ୍ତ ଶିକ୍ଷକଙ୍କ ଧମକରେ ସୁଜିତ୍ ଭୟଭୀତ ହୋଇଯାଇଛନ୍ତି ବୋଲି ବାପା ଟି.କପିଳେଶ୍ୱର ପାତ୍ର ଗଣମାଧ୍ୟମକୁ କହିଛନ୍ତି । ପରେ ପ୍ରକୃତ ଘଟଣା ଜାଣିବା ପରେ ବାପା କପିଳେଶ୍ୱର ସୁଜିତ୍ ଙ୍କ ଆଶୁ ଚିକିତ୍ସା କରିବା ପରେ ବିଦ୍ୟାଳୟ କର୍ତ୍ତୃପକ୍ଷ, ସ୍ଥାନୀୟ ଜନ ପ୍ରତିନିଧି, ଶିକ୍ଷା ବିଭାଗ ଏବଂ ଦିଗପହଣ୍ଡି ଥାନାରେ ଲିଖିତ ଏବଂ ମୌଖିକ ଭାବେ ଉପଯୁକ୍ତ ନ୍ୟାୟ ପ୍ରଦାନ କରିବା ପାଇଁ ଅଭିଯୋଗ କରିଥିଲେ । ହେଲେ ଘଟଣାକୁ ତିନି ଦିନ ବିତିଯାଇଥିଲେ ମଧ୍ୟ କୌଣସି ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନଥିବାରୁ ଅଭିଭାବକ ମହଲରେ ଚାପା ଉତ୍ତେଜନା ଦେଖିବାକୁ ମିଳିଛି । ଅନ୍ୟପଟେ ସମ୍ପୃକ୍ତ ଶିକ୍ଷକ ଜଣକ କୁଆଡେ ଚଞ୍ଚକତା ଭାବେ ଅନ୍ୟତ୍ର ସ୍ଥାନାନ୍ତର କରିବାର ଜାଣିବାକୁ ମିଳିଛି । ରାତାରାତି ସ୍ଥାନାନ୍ତର ଚିଠି ଏବଂ ବିଜ୍ଞପ୍ତି ପ୍ରକାଶ ପାଇଗଲେ ସେ ଏହି ଦୋଷର ମୁକୁଳିଯିବାର ସୁଯୋଗ ମିଳିଯିବାକୁ ମସୁଧା ଚାଲିଛି ବୋଲି ସାଧାରଣରେ ପ୍ରକାଶ ପାଇଛି । ଘଟଣାର ସତାସତ୍ୟ ଯାଞ୍ଚ କରି ତଦନ୍ତ କରି ତଦନୁଯାୟୀ କାର୍ଯ୍ୟାନୁଷ୍ଠାନ ପାଇଁ ବାପା ଟି.କପିଳେଶ୍ୱର ପାତ୍ର, ରଇତ ଦୀନବନ୍ଧୁ ଦୈତାରୀ ରେଡ୍ଡି, ମୁଷା ବେହେରା, ସରପଞ୍ଚ ପ୍ରତିନିଧି ସରୋଜ ଜେନା, ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ ପ୍ରଦୀପ କୁମାର ବେହେରା,ସୁଶାନ୍ତ ଲେଙ୍କା, ୱାର୍ଡ ସଦସ୍ୟ ସନ୍ତୋଷିନୀ ବେହେରା, ଅନୀଲ ସାହୁ ପ୍ରମୁଖଙ୍କ ସମେତ ଅଭିଭାବକ ମହଲରେ ଦାବୀ ହୋଇଛି । ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେଇ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବୀ ହୋଇଛି ।

Advertisement