ବ୍ରହ୍ମପୁର,୨୩/୧(ହିମାଂଶୁ ପାଢୀ): କାରାଗାର ମହାନିର୍ଦ୍ଦେଶକ ସନ୍ତୋଷ କୁମାର ଉପାଧ୍ୟାୟ ବ୍ରହ୍ମପୁର ମଣ୍ଡଳ କାରାଗାର ପରିଦର୍ଶନ କରି ଫେରିଯାଇଛନ୍ତି । କାରାକାର ପରିସରରେ ଅନ୍ତେବାସୀମାନଙ୍କ ପାଇଁ ୧.୪୩ କୋଟିରେ ବ୍ୟୟରେ ନିର୍ମିତ ହୋଇଥିବା ୩୦ ଶର୍ଯ୍ୟା ବିଶିଷ୍ଟ ନୂତନ ମେଡ଼ିକାଲ କୋଠା ଗୃହର ଉଦଘାଟନ କରିବା ସହ ପରିସର ଭିତରେ ବିଭିନ୍ନ ୱାର୍ଡ ସେ ବୁଲି ଦେଖିଥିଲେ ଓ ଏହା ସହ ଅନ୍ତେବାସୀଙ୍କ ପକ୍ଷରୁ ନିର୍ମିତ ହେଉଥିବା ବିଭିନ୍ନ କୁଟୀରଶିଳ୍ପ ବୁଲି ଦେଖିଥିଲେ । କାରାଗାର ଭିତରେ ଅନ୍ତେବାସୀମାନେ ଟିଣ ବାକ୍ସ, ମଗ୍ ସମେତ ଦରି, ଚାଦର ତିଆରି କରୁଛନ୍ତି ଓ ସେହି ବାବଦରେ ସେମାନଙ୍କୁ ପାରିଶ୍ରମିକ ମିଳୁଛି ବୋଲି ଶ୍ରୀ ଉପାଧ୍ୟାୟ କାରାଗାର ବାହାରେ ସାମ୍ବାଦିକ ମାନଙ୍କୁ ସାକ୍ଷାତକାର ଦେଇ ସୂଚନା ଦେଇଛନ୍ତି । ଏହା ସହ ପରିସରରେ ୧.୩କୋଟି ଟଙ୍କା ବ୍ୟୟରେ ନିର୍ମିତ ଫୁଡ଼୍ ପ୍ରୋସେସିଂ ୟୁନିଟ୍ ଓ ପାଉଁଶ ଇଟା ପ୍ରସ୍ତୁତ ୟୁନିଟ୍ ତିଆରି ଚାଲଛି ଓ ସେଥିରେ ଅନ୍ତେବାସୀମାନେ କାମ କରିବେ ବୋଲି ସେ ସୂଚନା ଦେଇଛନ୍ତି । ଜେଲ କୋଠା ଘର ପୁରୁଣା ହୋଇଯାଇଥିବାରୁ ତାହାର ମରାମତି ପ୍ରକ୍ରିୟା ପର୍ଯ୍ୟାୟକ୍ରମେ କରାଯିବ ଓ ଏହା ସହ ପରିମଳ ସୁଧାର ଉପରେ ଗୁରୁତ୍ୱ ଦିଆଯିବ ବୋଲି ସେ କହିବା ସହ ମୋବାଇଲ ବ୍ୟବହାର ଉପରେ ଅଙ୍କୁଶ ଲଗାଇବା ପାଇଁ ନୂଆ ଯନ୍ତ୍ରପାତି ସ୍ଥାପନ କରାଯିବ ବୋଲି କହିଥିଲେ । ଏହି ଅବସରରେ ଜେଲ ଡ଼ିଆଇଜି ରଘୁନାଥ ମାଝି, ଜେଲ ସୁପରିଟେଣ୍ଡେଂଟ୍ ସମେତ ଜେଲ ଅଧିକାରୀ ଉପସ୍ଥିତ ଥିଲେ ।


















