ବ୍ରହ୍ମପୁର,୨୨।୧(ଡି.ଏଚ) : ଦକ୍ଷିଣ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ ଏବଂ ଗଞ୍ଜାମ ଜିଲ୍ଲା ବରିଷ୍ଠ କଳାକାର ସଂଘର ମିଳିତ ଆନୁକୁଲ୍ୟରେ ଅଭୂତପୂର୍ବ ଇତିହାସ ଆଲେଖ୍ୟ କଳାକାର ମହାସମାବେଶ ସ୍ଥାନୀୟ ହିଲ୍ ପାଟଣା ସ୍ଥିତ ଶ୍ରୀ ଭେଙ୍କଟେଶ୍ୱର୍ ବାମ୍ୱୋ ଇଣ୍ଡଷ୍ଟ୍ରିଆଲ କେ଼ା-ଅପରେକ୍ଟିଭ ସୋଷାଇଟି ସଭା କକ୍ଷ ଠାରେ ଅନୁଷ୍ଠିତ ହୋଇଯାଇଅଛି । ଏହି ଅବସରରେ ଦକ୍ଷିଣ ଓଡ଼ିଶାର ଜିଲ୍ଲା ସମୂହ ବ୍ୟତୀତ ପୁରୀ, ଖୋର୍ଦ୍ଧା, ବାଲେଶ୍ଵର ଆଦି ଜିଲ୍ଲାର ସହସ୍ରାଧିକ କଳାକାର ଏକ ବର୍ଣ୍ଣାଢ଼୍ୟ ଶୋଭାଯାତ୍ରାରେ ବାହାରି କଳାକାର କଲ୍ୟାଣ ଏବଂ ସଂସ୍କୃତି ସୁରକ୍ଷା ସମ୍ପର୍କିତ ଏହାର ଦଫା ଦାବି ପତ୍ର ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦଶ୍ୟରେ ଦକ୍ଷିଣ ଓଡ଼ିଶା ରାଜସ୍ବ କମିଶନଙ୍କୁ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲା ମଞ୍ଚ କଳାକାର ସମ୍ମିଳନୀ, ଜାତୀୟ ସଙ୍ଗୀତ କଳା କେନ୍ଦ୍ର, ଗଞ୍ଜାମ କଳା ପରିଷଦ, ଓଡ଼ିଶା ସାଂସ୍କୃତିକ ସାଂସଦ, ଓଡ଼ିଶା ଚିତ୍ରାଳୟ ମାଲିକ୍ ସଂଘ, ଶାଶ୍ଵତୀ ନାଟ୍ୟ ପ୍ରତିଷ୍ଠାନ, ପୁଷ୍ପାଞ୍ଜଳି ନାଟ୍ୟ ସଂସ୍ଥା, ନାଟ୍ୟ ଶ୍ରୀ ଫାଉଣ୍ଡେସନ, ପଲ୍ଲବୀ ନାଟ୍ୟ ଅନୁଷ୍ଠାନ ଆଦି ବହୁ ସ୍ଥାନୀୟ ସାଂସ୍କୃତିକ ସଂଗଠନ ସହ ବହୁ ସୁନାମଧନ୍ୟ ନାଟ୍ୟ ପୁରୁଷ ଅଂଶ ଗ୍ରହଣ କରିଥିଲେ ।
ଏହି ଉପଲକ୍ଷେ ଅପରାହ୍ନରେ ଆୟୋଜିତ ସାଂସ୍କୃତିକ ସଭାରେ ମହାସଂଘ ସଭାପତି ନାଟ୍ୟ ଗୌରବ ଡା.ତିରୁପତି ସାହୁ ଅଧ୍ୟକ୍ଷତା କରିଥିବା ବେଳେ ପୂର୍ବତନ ବିଧାୟକ ଡ।. ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ମୁଖ୍ୟ ଅତିଥି, ପ୍ରାକ୍ତନ ବିଡି ଏ ଅଧ୍ୟକ୍ଷ ସୁବାସ ମହାରଣା ମୁଖ୍ୟବକ୍ତା ଏବଂ ଗଣ ମାଧ୍ୟମର ବାଲେଶ୍ଵର ପ୍ରତିନିଧି ତଥା କବି,ଗାଳ୍ପିକ ଓ ସଂଗ୍ରାହକ ନରେନ୍ଦ୍ର ପ୍ରସାଦ ଵେହେରା, ଜ୍ୟୋତି ରଞ୍ଜନ ଦାସ, ସଙ୍ଗୀତଜ୍ଞ ସୀମାଞ୍ଚଳ ଦାସ, କଳାକାର ସଂଘର ସଭାପତି ସୁବାସ ଚନ୍ଦ୍ର ସାହୁ ଓ ମାମା ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ସଂଘର ଏତାଦୃଶ କାର୍ଯ୍ୟ ଇତିହାସରେ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିବ ବୋଲି ମତବ୍ୟକ୍ତ କରିଥିଲେ । ଦକ୍ଷିଣ ଓଡ଼ିଶାରେ ସଙ୍ଗୀତ ବିଶ୍ଵ ବିଦ୍ୟାଳୟ ସ୍ଥାପନ, ଜିଲ୍ଲା ସ୍ତରରେ ଲୋକ କଳା ଗବେଷଣା ଓ ସଂରକ୍ଷଣ ପ୍ରତିଷ୍ଠାନ, ସହରାଞ୍ଚଳରେ ରଙ୍ଗମଞ୍ଚ ଓ ବ୍ଲକ ସ୍ତରରେ ଲୋକ କଳା ମଣ୍ଡପ ସ୍ଥାପନ, କଳାକାର ଭତ୍ତା ବୃଦ୍ଧି ସାଙ୍ଗକୁ ଚିକିତ୍ସା ସୁବିଧା ଆଦି ଯୋଗାଇ ଦେବା ନିମନ୍ତେ ଦାବି ଉପସ୍ଥାପନ କରାଯାଇଥିଲା ।

ଏହି ଅବସରରେ ଗଞ୍ଜାମ ଜିଲ୍ଲା ବରିଷ୍ଠ କଳାକାର ସଂଘର ଉପ ସଭାପତି ଭାବରେ ନାଟ୍ୟ ନିର୍ଦେଶକ କୃଷ୍ଣ ଚନ୍ଦ୍ର ସେଠୀ, ସହ ସମ୍ପାଦକ ବଳଦେବ ସାହୁ ଏବଂ କାର୍ଯ୍ୟକାରୀ ସଦସ୍ୟ ଭାବରେ ନୀଳମାଧବ ଜେନା ଓ ଭଗବାନ ସାମଲଙ୍କୁ ଚୟନ କରାଯାଇଥିଲା । ଦକ୍ଷିଣ ଓଡ଼ିଶା ବରିଷ୍ଠ କଳାକାର ମହାସଂଘର ମହାସଚିବ ସୁବାସ ଚନ୍ଦ୍ର ସାହୁ ରୋଶନ୍ ସ୍ଵାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ସର୍ବଶ୍ରୀ ମହେନ୍ଦ୍ର ସାହୁ, ଅନୁରାଧା ସାହୁ, ଲକ୍ଷ୍ମୀ ନାରାୟଣ ସାମଲ, ନାରାୟଣ ମହାରଣା,ଦେବେନ୍ଦ୍ର ପ୍ରସାଦ ଶର୍ମା ପ୍ରମୁଖ ବହୁ ସଦସ୍ୟ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ପରିଶେଷରେ ନାଟ୍ୟକାର ପ୍ରଫୁଲ୍ଲ ବେହେରା ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ ।

















