ବାଲିଗୁଡା,୨୦ା୧(ସୁରେଶ କୁମାର ପଣ୍ଡା) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ନିଖିଳ ଉତ୍କଳ ଚତୁର୍ଥ ଶ୍ରେଣୀ ସରକାରୀ କର୍ମଚାରୀ ସଂଘର ନୂତନ କର୍ମକର୍ତ୍ତା ନିର୍ବାଚନ ରାଜ୍ୟ ସଭାପତି ସରୋଜ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ସରକାରୀ ଉଚ୍ଚ ବିଦ୍ୟାଳୟର ସଭା ଗୃହ ପରିସର ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି l ଏଥିରେ ରାଜ୍ୟ ସଂଘର ସଦସ୍ୟ ପ୍ରଫୁଲ୍ଲ ସିଂ,ଖୋର୍ଦ୍ଧା ସଂଘ ସଭାପତି ଦିନବନ୍ଧୁ ମୁଦୁଲି, ସମ୍ପାଦକ ତ୍ରିନାଥ ସେଠି, ଜିଲ୍ଲା ସଭାପତି ବିଷ୍ଣୁ ଚରଣ ମହାକୁଡ଼,ପ୍ରମୁଖ ଉପସ୍ଥିତ ରହି ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା l ସର୍ବସମ୍ମତି କ୍ରମେ ଉପଦେଷ୍ଟା ଭାବେ ଲାଞ୍ଜୁକା ପ୍ରଧାନ, ସଭାପତି ଭାବେ ପାର୍ଥବ ନାଇକ,ଉପ ସଭାପତି ଭାବେ ଗୋପୀନାଥ ପାତ୍ର, ସନ୍ତୋଷ ନନ୍ଦ, ସମ୍ପାଦକ ଭାବେ ବିନୋଦ ଚନ୍ଦ୍ର ପଟ୍ଟନାୟକ, ସହ ସମ୍ପାଦକ ଭାବେ ଶିଶିର କୁମାର ପରିଛା, କୋଷାଧକ୍ଷ ଭାବେ ନାରାୟଣ ପ୍ରଧାନ, ଏବଂ ସମୀକ୍ଷକ ଭାବେ ବିବତ୍ସ ନାୟକ ନିର୍ବାଚିତ ହୋଇଥିଲେ l ପାର୍ଥବ ନାଇକ ସଭା ପରିଚାଳନା କରି ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିଲେ l ଏ ନେଇ ପରେପରେ ରାଜ୍ୟ ସରକାରଙ୍କ ନିକଟରେ 5ଦଫା ଦାବୀ ଉପସ୍ଥାପନା କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା l ଉକ୍ତ ଦାବୀ ଗୁଡିକ ମଧ୍ୟରେ ଅବସର ସମୟ ସୀମା 60ରୁ62ବୟସକୁ ବୃଦ୍ଧି, କେନ୍ଦ୍ରୀୟ ହାରରେ ଦରମା ପ୍ରଦାନ, 7ମ ବେତନ କମିଶନ ଅର୍ଥ ନିୟମିତ ପ୍ରଦାନ, ମହଙ୍ଗା ଭତ୍ତା ଦେବାରେ ଟାଳଟୁଳ ନୀତିକୁ ବିରୋଧ, ମୃତ୍ୟୁ କିମ୍ବା ଅଘଟଣରେ ଶାରୀରିକ ଅକ୍ଷମ କର୍ମଚାରୀ ମାନଙ୍କର ପରିବାରର ଜଣକୁ ସ୍ଥାୟୀ ନିଯୁକ୍ତି କରିବା ଇତ୍ୟାଦି ଦାବୀ ରହିଛି l ଶେଷରେ ପାର୍ଥବ ନାଇକ ଧନ୍ୟବାଦ ଅର୍ପଣ କରିଥିଲେ l

















