ବ୍ରହ୍ମପୁର,୧୯/୧(ହିମାଂଶୁ ପାଢୀ/ଇ.ରଂଜନ):କୁହୁଡି ଯୋଗୁଁ ଗୋପାଳପୁର ସମୁଦ୍ରରେ ଅଘଟଣ । ମାଛ ଧରିବାକୁ ଯିବାବେଳେ ଉଚ୍ଚ ଲହଡି ଯୋଗୁଁ ଦୁଇଟି ନୌକା ମଧ୍ୟରେ ଧକ୍କା ହୋଇଛି । ଦୁଇଟି ଡଙ୍ଗା ଭାଙ୍ଗିଯିବା ସହ ଡଙ୍ଗାରେ ଥିବା ଜାଲ ନଷ୍ଟ ହୋଇଯାଇଥିବା ଜଣାପଡିଛି ।

ଦୁଇ ନୌକାରେ ଥିବା ୧୮ଜଣ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରାଯାଇଛି । ୪ ଜଣ ମତ୍ସ୍ୟଜୀବୀ ସାମାନ୍ୟ ଆହତ ହୋଇଛନ୍ତି । ସୂଚନାଯୋଗ୍ୟ ଯେ, ଆଉ ୫ଦିନ ପର୍ଯ୍ୟନ୍ତ ରାଜ୍ୟରେ ଏଭଳି ଜାରି ରହିବ ଘନ କୁହୁଡ଼ି । ଏବେ ଦକ୍ଷିଣ-ପୂର୍ବ ଦିଗରୁ ପବନ ବହୁଛି । ସମୁଦ୍ରରୁ ଜଳୀୟବାଷ୍ପ ସ୍ଥଳଭାଗକୁ ଆସୁଥିବାରୁ ରାଜ୍ୟର ବିଭିନ୍ନ ସ୍ଥାନରେ କୁହୁଡ଼ି ହେଉଛି । ଆଗକୁ ୫ଦିନ ଏହିପରି ଘନ କୁହୁଡ଼ି ଜାରି ରହିବ ବୋଲି ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି ।

















