ପାରଳାଖେମୁଣ୍ଡି, ୨୬/୬(ପ୍ରଭାତ କୁମାର ପାତ୍ର): ମହିଳା ଓ ଯୁବତୀମାନଙ୍କ ସୁରକ୍ଷା ଦିଗରେ ଗଠିତ ହେବାକୁ ଥିବା ‘ସି- ଟିମ’ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ଗୀତ ଗାଇଲେ ଗଜପତି ଏସପି ସାରା ଶର୍ମା। କାର୍ଯ୍ୟକ୍ରମର ଦ୍ବିତୀୟ ଦିନରେ ‘ସି- ଟିମ’ର ଥିମ ସଙ୍ଗ ଉନ୍ମୋଚନ କରିଛନ୍ତି ଏସପି ସାରା ଶର୍ମା । ଲୋକଙ୍କୁ ସଚେତନେତା କରିବା ପାଇଁ ଏହି ସାଢେ ୪ମିନିଟର ଭିଡିଓ ଓଡ଼ିଶାରେ ଏବେ ବେଶ ଲୋକପ୍ରିୟ ହୋଇଥିବା ବେଳେ ସୋସିଆଲ ମିଡିଆରେ ଏହା ଭାଇରାଲ ହୋଇଛି । ଏହି ‘ସି- ଟିମ’ ଗୀତକୁ ଖୋଦ ସାରା ଶର୍ମା ଗାଇଥିବା ବେଳେ ଏହାର ସଂଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଗୁରୁ ରଘୁନାଥ ପାତ୍ର ।

ଗଜପତି ଜିଲ୍ଲାରେ ନାରୀସୁରକ୍ଷା ପାଇଁ ଗଜପତି ପୋଲିସ ପକ୍ଷରୁ ଆରମ୍ଭ ହୋଇଛି ‘ସି- ଟିମ’ କାର୍ଯ୍ୟକ୍ରମ । ଏହା ଆସନ୍ତା ୨୮ ତାରିଖରୁ ପ୍ରଥମଥର ପାଇଁ ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ମଡେଲ ଥାନାରେ କାର୍ଯ୍ୟକାରୀ ହେବାକୁ ଯାଉଛି । ସୋମବାର ଏହାର ଲୋଗୋ ଉନ୍ମୋଚନ ହୋଇଥିଲାବେଳେ, ମଙ୍ଗଳବାର ଏହାର ଥିମ ସଙ୍ଗ ଉନ୍ମୋଚିତ ହୋଇଯାଇଛି। ଏହି ଟିମ୍ ବିଭିନ୍ନ ଶିକ୍ଷାନୁଷ୍ଠାନଠାରୁ ଆରମ୍ଭ କରି କାର୍ଯ୍ୟାଳୟକୁ ଯାଇ ମହିଳାମାନଙ୍କ ସୁରକ୍ଷା ବିଷୟ ତଦାରଖ କରିବ ବୋଲି ଏସପି କହିଛନ୍ତି । ପୂର୍ବରୁ ଏହାକୁ ହାଇଦ୍ରାବାଦ ପୋଲିସ ସେଠାରେ କାର୍ଯ୍ୟକାରୀ କରିବାରେ ସଫଳ ହୋଇଥଲା ।

ପାରଳାଖେମୁଣ୍ଡି ଥାନା ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଗଜପତି ଏସପି ସାରା ଶର୍ମା ମୁଖ୍ୟ ଅତିଥିଭାବେ ଯୋଗଦେଇଥିବା ବେଳେ ପାରଳାଖେମୁଣ୍ଡି ଏସଡିପିଓ ଠାକୁର ପ୍ରସାଦ ପାତ୍ର, ଏସଡିପିଓ ଆର ଉଦୟଗିରି ଅଶୋକ କୁମାର ମହାନ୍ତି ଓ ପୋଲିସର ବହୁ ବରିଷ୍ଠ ଅଧିକାରୀ ଏଵଂ ମାନ୍ୟଗଣ୍ୟ ବ୍ୟକ୍ତି ମଧ୍ୟ ଉପସ୍ଥିତ ଥିଲେ ।