କୋଦଳା,୨୧/୧୨,(ଡି.ଏଚ/ହିମାଂଶୁ ପାଢ଼ୀ ) : ଜଙ୍ଗଲ ପଟ୍ଟା ଦେଉ ନାହାନ୍ତି ସରକାର; ଆମ ଜଙ୍ଗଲ ଆମକୁ ଫେରାଇ ଦିଅ… ଆମେ ନେଉଛୁ ଜଂଗଲର ସୁରକ୍ଷା, ଏଥିରୁ ହିଁ ଆମ ପରିବାର ପେଟପୋଷଣ ହେଉଛି l ଜୀବନ ଚାଲିଗଲେ ମଧ୍ୟ ଛାଡିବୁ ନାହିଁ ଆମ ଜଙ୍ଗଲ… ମାଫିଆକୁ ତଡ଼ ମାଡିବାକୁ ଦେବୁନି….. l ଏଭଳି ଅଡ୍ଡିରେ ଜିଦିକରି ବସିଛନ୍ତି ଶହ ଶହ ଆଦିବାସୀ ଓ ଦଳିତ ସମ୍ପର୍କର ଲୋକେ l ସୂଚନା ମୁତାବକ ସୁମଣ୍ଡଳ ସେକ୍ସନ ଅଧୀନରେ ଥିବା ୧ ନମ୍ବର କାଜୁ ଜଙ୍ଗଲ ଗତ କିଛି ବର୍ଷ ହେବ ଟେଣ୍ଡର ଡାକି ମାଫିଆ ମାନଙ୍କୁ ଅଧିକ ଟଙ୍କାରେ ହସ୍ତାନ୍ତର କରିଦିଆଯାଉଛି l ଫଳରେ ଜଙ୍ଗଲରେ ବର୍ଷକୁ ଥରେ ଉତ୍ପାଦନ ହେଉଥିବା କାଜୁ ସଂଗ୍ରହ କରି ମାଲାମାଲ ହେଉଛନ୍ତି ମାଫିଆ l ହେଲେ ସ୍ଥାନୀୟ ତାଳସର, କୁମ୍ଭାରଗାଁ, ବଡ଼ଖଈରଖମା ପଂଚାୟତ ଅଧୀନରେ ଥିବା ୧୪ ଟି ଗ୍ରାମବାସୀ ଏହିଁ ଜଙ୍ଗଲ ଉପରେ ନିର୍ଭର କରୁଥିବା ବେଳେ ସେମାନଙ୍କ ଠାରୁ ନିଜ ଜଙ୍ଗଲ ଅଧିକାର ଛଡାଇ ନେଇଛନ୍ତି l ସେମାନଙ୍କ ଅଭିଯୋଗ ହେଲା ବର୍ଷ ତମାମ ଆମେ ଜଙ୍ଗଲକୁ ସୁରକ୍ଷା ଦେଉଛୁ , ତାର ଯତ୍ନ ନେଉଛୁ, ଏହାରି ଉପରେ ଆମ ପେଟପୋଷଣ ହେଉଛି l ସରକାର କାହିଁକି ଚାଷ ସମୟରେ ମାଫିଆଙ୍କ ହାତକୁ ଟେକିଦେଉଛି l ଏହାକୁ ଆମେ କଦାପି ଛାଡିବୁ ନାହିଁ l ସରକାରଙ୍କ ଜଙ୍ଗଲ ଅଧିକାର ଆଇନ ଅନୁଯାୟୀ ଦୀର୍ଘ ବର୍ଷ ଧରି ଜଙ୍ଗଲ ଜମିରେ ବସବାସ କରୁଥିବା ଅଧିବାସୀଙ୍କୁ ଜମି ପଟ୍ଟା ପ୍ରଦାନ କରିବାର ବ୍ୟବସ୍ଥା ରହିଛି l ହେଲେ ଏମାନଙ୍କୁ ଏଥିରୁ ବଞ୍ଚିତ କରାଯାଉଥିବାରୁ ଶୁକ୍ରବାର ଏକ ପ୍ରଜାମେଳି ଡାକରା ଦେଇଥିଲେ l ସ୍ଥାନୀୟ ଜଙ୍ଗଲରେ ସିପିଆଇ ନେତା ରାଙ୍କନାଥ ସ୍ଵାଇଁଙ୍କ ନେତୃତ୍ବରେ ୧୪ ଗାଁର ଶହ ଶହ ମହିଳା ପୁରୁଷ ଏକାଠି ହୋଇ ଏକ ସଭା ଆୟୋଜନ କରିଥିଲେ l ସଭାରେ ଏକ ପ୍ରେସ ଇସ୍ତାହାର ଦ୍ଵାରା ଜଣାଇଦିଆ ଗଲା ଯେ ଆଗାମୀ କାଜୁ ଚାଷ ସମୟରେ ଜଙ୍ଗଲ ନିଲାମ ହେବ ନାହିଁ କି ମାଫିଆ ମାନଙ୍କୁ ଆମ ଜଙ୍ଗଲ ଆମେ ଛାଡିବୁ ନାହିଁ ବୋଲି ଦୁଢକ୍ତି ପ୍ରକାଶ କରିଥିଲେ l ଆୟୋଜିତ ସଭାରେ ଜଙ୍ଗଲ ସୁରକ୍ଷା କମିଟିର ସଭାପତି ଭାଗବତ ପ୍ରଧାନ, ଉପସଭାପତି ଭାସ୍କର ପ୍ରଧାନ, କ୍ୟାସିଅର କାଶୀନାଥ ଗୌଡ଼, ସମ୍ପାଦକ କମଳଲୋଚନ ଗୌଡ଼, କମିଟି ସଦସ୍ୟ ମଧ୍ୟରେ ନିରଂଜନ ପ୍ରଧାନ, ମାଗି ନାହାକ, ଭଗବାନ ଗୌଡ଼, ବୃନ୍ଦାବନ ପ୍ରଧାନ, ପୂର୍ଣ୍ଣଚନ୍ଦ୍ର ପ୍ରଧାନ, ସୁଶାନ୍ତ ଗୌଡ଼, ପଙ୍କଜ ଗୌଡ଼, ବିଜୟ ପ୍ରଧାନ, ରୋଲ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ l















