ବ୍ରହ୍ମପୁର,୨୧/୧୨,(ଡି.ଏଚ/ହିମାଂଶୁ ପାଢୀ) : ଗଂଜାମ ଜିଲ୍ଲାର ଲୋକ କଳା ସଂସ୍କୃତିକୁ ବଜାୟ ରଖିବା ପାଇଁ ଗଂଜାମ ଜିଲ୍ଲାପ୍ରଶାସନ ପଷରୁ ଆୟୋଜିତ ହେଉଛି ଗୋପାଳପୁର ବେଳାଭୂମି ମହୋତ୍ସବ । ଏଥି ପାଇଁ ପ୍ରଶାସନ ଠାରୁ ଆରମ୍ଭ କରି ସବୁ ସ୍ତରରେ ଚାଲିଛି ଜୋରଦାର ପ୍ରସ୍ତୁତି। ଆସନ୍ତା ୨୪ ତାରିଖରୁ ଆରମ୍ଭ ହେବ ଗୋପାଳପୁର ବେଳାଭୂମି ମହୋତ୍ସବ । ମଞ୍ଚ ନିର୍ମାଣ ପାଇଁ ଆଜି ଭୂମିପୂଜା ଅନୁଷ୍ଠିତ ହୋଇଯାଇଛି ।
ପ୍ରଥମ ଦିନ ତଥା ମହୋତ୍ସବର ଉଦଘାଟନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ ମହୋତ୍ସବକୁ ଉଦଘାଟନ କରିବେ । ଏଣୁ ମଂଚ ସ୍ଥଳକୁ ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଓ ମହୋତ୍ସବ କମିଟିର ଅଧ୍ୟକ୍ଷ ତଥା ଗୋପାଳପୁର ବିଧାୟକ ଡ଼. ପ୍ରଦୀପ ପାଣ୍ରିଗାହୀ କମିଟି ସଦସ୍ୟ ଓ ବିଭିନ୍ନ ବିଭାଗର ଅଧିକାରୀଙ୍କୁ ନେଇ ସଭା ସ୍ଥଳ ପରିଦର୍ଶନ କରିଛନ୍ତି । ୫ଦିନ ଧରି ରାଜ୍ୟ ଓ ରାଜ୍ୟ ବାହାରର କଳାକାର ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ । ଏହା ସହ ଖାଦ୍ୟ ମେଳା, ପଲ୍ଲିଶ୍ରୀ ମେଳା, ଜଳକ୍ରୀଡା ଆଦିର ମଧ୍ୟ ଆୟୋଜନ କରାଯାଇଛି । ସେସବୁ ତଦାରଖ କରିବା ପରେ ମହୋତ୍ସବକୁ ସରସ ସୁନ୍ଦର କରିବା ପାଇଁ ସମସ୍ତ ପ୍ରକାର ପଦକ୍ଷେପ ନିଆଯିବା ସହ ବେଳାଭୂମି ପ୍ରତି ଅଧିକରୁ ଅଧିକ ପର୍ଯ୍ୟଟକ ଯେପରି ଆସିବେ ସେଥି ପ୍ରତି ଧ୍ୟାନ ଦିଆଯାଇଛି ବୋଲି କମିଟି ଅଧ୍ୟକ୍ଷ ଓ ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଏହି ମହୋତ୍ସବରେ ବଲିଉଡ୍ କଣ୍ଠଶିଳ୍ପୀ ସୋନୁନିଗମ୍ ଓ ସାନ୍ ସଂଗୀତ ପରିବେଷଣ କରିବେ ଏବଂ ଏମଜେ-୫ ଓ ପ୍ରିନ୍ସ ଡ଼୍ୟାନ୍ସ ଗ୍ରୁପ ତରଫରୁ ନୃତ୍ୟ ପରିବେଷଣ କରିବାର କାର୍ଯ୍ୟକ୍ରମ ରହିଛି ।ସୋରଡା ବିଧାୟକ ପୂଣ୍ନଚନ୍ଦ୍ର ସ୍ବାଇଁ, ବ୍ରହ୍ମପୁରର ପୂର୍ବତନ ବିଧାୟକ ଡ଼. ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ବ୍ରହ୍ମପୁର ଉପଜିଲ୍ଲାପାଳ ସିନ୍ଧେ ଦତାତ୍ରେୟ ଭାଉ ସାହେବ, ଗୋପାଳପୁର ଏନଏସି ନିର୍ବାହୀ ଅଧିକାରୀ ଉମାଶଙ୍କର ସେଠୀ, ପୂର୍ବତନ ବିଡିଏ ଅଧ୍ୟକ୍ଷ ସୁବାସ ମହାରଣା, ଡ଼. କୁଳମଣି ଓଝା, ନୀଳମଣି ପଟ୍ଟନାୟକ, କେ. ଅନୀଲ କୁମାର, ରାଜେନ୍ଦ୍ର କୁମାର ଜେନା, ଧନଞ୍ଜୟ ରେଡ୍ଡି, ସର୍ବେଶ୍ୱର ରାଓ,ଧନଞୟ ରାଓ ,ପ୍ରଶାନ୍ତ ପଣ୍ଡା, ଅରୁଣ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ । ମୁଖ୍ୟମନ୍ତୀଙ୍କ ହେଲିପ୍ୟାଡ୍ ଓ ମଞ୍ଚସ୍ଥଳ ପରିଦର୍ଶନ କରିଥିଲେ।















