ମୋହନା (ଡି.ଏଚ/ମୋହନ ଗୌଡ) ; ବାରମ୍ବାର ଖବର କାଗଜରେ ପ୍ରକାଶ ପାଇଥିଲେ ମଧ୍ୟ ସୁଧୁରୁନି ଶିକ୍ଷା ବ୍ୟବସ୍ତା ରାଜ୍ୟ ତଥା କେନ୍ଦ୍ର ସରକାର ବର୍ଷକୁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ଛାତ୍ରଛାତ୍ରୀଙ୍କ ପାଠପଢା ଉପରେ । କିନ୍ତୁ ଜିଲ୍ଲା ଶିକ୍ଷାଧିକାରୀଙ୍କ ମନମୁଖୀ ଯୋଗୁଁ ମୋହନା ବ୍ଳକରେ ସୁଧୁରୁନି ଶିକ୍ଷା ବ୍ୟବସ୍ତା । ଗଜପତି ଜିଲ୍ଲା ମୋହନା ବ୍ଳକ ଅନ୍ତର୍ଗତ ପିଣ୍ଡିକି ସରକାରୀ ପ୍ରାଥମିକ ବିଦ୍ୟାଳୟଟି ଅବ୍ୟବସ୍ଥା ମଧ୍ୟରେ ଗତ କରୁଥିବା ଦେଖିବାକୁ ମିଳିଛି । ଏହି ବିଦ୍ୟାଳୟଟି ୧୯୯୩ ମସିହାରେ ସ୍ଥାପିତ ହୋଇଥିବା ବେଳେ ୧ମ ରୁ ୫ମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ସଂଖ୍ୟା ୩୦ ଥିବା ବେଳେ ୨ ଜଣ ଶିକ୍ଷକ ରହିଛନ୍ତି । ସେଥିମଧ୍ୟରୁ କନିଷ୍ଠ ଶିକ୍ଷକ ଜୟରାମ ପାରିକା ପ୍ରଧାନ ଶିକ୍ଷକ ରହିଥିବା ବେଳେ ସହକାରି ଶିକ୍ଷକଭାବେ ମନୋଜ କୁମାର ନାୟକ କାର୍ଯ୍ୟରତ ଅଛନ୍ତି । ଏହି ବିଦ୍ୟାଳୟରେ ପାନୀୟ ଜଳର ବ୍ୟବସ୍ଥା ପାଇଁ ଏକ ବୋରୱେଲ ଖୋଳାଯାଇଥିବା ବେଳେ ତାହା ଅଧପନ୍ତରିଆ ଭାବେ ସମାପ୍ତ ନହୋଇ ପଡିରହିଛି । ପିଲାଙ୍କ ସୁବିଧା ପାଇଁ ଶୌଚାଳୟର କୌଣସି ବ୍ୟବସ୍ତା ୬ ମାସ ହେଲା ନହୋଇ ଅଧପନ୍ତରିଆଭାବେ ପଡି ରହିଥିବା ଦେଖିବାକୁ ମିଳିଛି । ରୋଷେଇ ଗୃହର ସୁବିଧା ନଥିବାରୁ ଜଙ୍ଗଲ ମଧ୍ୟରେ ରହିଥିବା ଲଟା ବୁଦା ସ୍ଥାନରେ ରୋଷେଇ ହେଉଛି । କେତେବେଳେ କୌଣସି ଜୀବଜନ୍ତ କିମ୍ବା ଶରୀଶୃପଙ୍କର ଖାଦ୍ୟ ଭିତରେ ପ୍ରବେଶ କଲେ ପିଲା ମାନଙ୍କର ଜୀବନ ପ୍ରତି ବିପଦ ଦେଖାଦେବା ସୁନିଶ୍ଚିତ ବୋଲି ଅଭିଭାବକମାନେ ପ୍ରକାଶ କରିଛନ୍ତି । ବିଦ୍ୟାଳୟ ଚତୁଃପାଶ୍ୱର୍ରେ ପାଚେରୀ ନଥିବା ଯୋଗୁଁ ହିଂସ୍ର ଜନ୍ତୁଙ୍କ ଅବାଧ ପ୍ରବେଶ ଲାଗି ରହିବା ଫଳରେ ଛାତ୍ରଛାତ୍ରୀ ମାନଙ୍କ ପ୍ରତି ବିପଦ ଦେଖାଦେବା ସହ ସେମାନେ ଖେଳ କୁଦ କରିବାକୁ ଭୟଭିତ ହେଉଥିବା ପିଲାମାନେ କହିଛନ୍ତି । ଏହି ବିଦ୍ୟାଳୟରେ ବିଦ୍ୟୁତ ସଂଯୋଗ ମଧ୍ୟ ହୋଇନାହିଁ । ଆମ ପ୍ରତିନିଧି ଶୁକ୍ରବାର ୧.୨୦ ମି ସମୟରେ ବିଦ୍ୟାଳୟରେ ପଂହଚିବା ବେଳେ ବିଦ୍ୟାଳୟର କାର୍ଯ୍ୟାଳୟ ଏବଂ ୨ ଟି ଶ୍ରେଣୀ କକ୍ଷରେ ତାଲା ଝୁଲୁଥିବା ଦେଖିବାକୁ ପାଇଲେ । ବିଦ୍ୟାଳୟ ସମ୍ମୁଖରେ ରହିଥିବା କଳାପଟାରେ ୧୩.୧୨.୨୦୧୯ ସ୍ଥାନୀୟ ଛୁଟି ବୋଲି ଉଲ୍ଲେଖ କରି ବିଦ୍ୟାଳୟ ଠାରୁ ୫୦୦ ମିଟର ଦୂରରେ ରହିଥିବା ଜାତୀୟ ରାଜପଥ ୩୨୬ରେ ଗାଡିକୁ ଅପେକ୍ଷା କରିଥିଲେ ପ୍ରଧାନ ଶିକ୍ଷକ ପାରିକା । ଆମ ପ୍ରତିନିଧିଙ୍କୁ ଦେଖି ସେ ଭୟଭିତରେ ଦୌଡି ବିଦ୍ୟାଳୟରେ ପଂହଚିଥିଲେ । ପ୍ରତନିଧି ତାଙ୍କୁ ବିଦ୍ୟାଳୟ ବନ୍ଦ, ଛାତ୍ରଛାତ୍ରୀଙ୍କ ଅନୁପସ୍ଥିତି ଓ ମଧ୍ୟାହ୍ନ ଭୋଜନ ବନ୍ଦ ବୋଲି କାରଣ ପଚାରିବାରୁ ସେ ଅଜବ ଉତର ଦେଇଥିଲେ । ସେ କହିଥିଲେ ମୋର ଦରମା ବନ୍ଦ, ଉପରିସ୍ଥ ଅଧିକାରୀ ଓ ଖବର କାଗଜରେ ପ୍ରକାଶନ ହେଲେ ମୋର କୌଣସି ଫରକ ପଡିବ ନାହିଁ ବୋଲି ଉତର ରଖିଥିଲେ । ଏପିରିକି ବିଦ୍ୟାଳୟର କାର୍ଯ୍ୟାଳୟ ଏବଂ ୨ଟି ଶ୍ରେଣୀଗୃହରେ ପଡିଥିବା ଚାବି ନିଜ ପାଖରେ ନରଖି ସ୍ଥାନୀୟ ପିଣ୍ଡିକି ହରିଜନ ସାହିରେ ଜୈନେକ ବ୍ୟକ୍ତିଙ୍କୁ ଫୋନରେ କହି ପଠାଇବା ପାଇଁ କହିଥିଲେ । ୫ ଜଣ ଛାତ୍ର ଚାବି ନେଇ ଆସିବାରୁ ଅଫିସ କାର୍ଯ୍ୟାଳୟ ଓ ୨ଟି କଠୋରୀ ଖୋଲିଥିଲେ । ଏ ସମ୍ପର୍କରେ ଚାବି ନେଇ ଆସିଥିବା ୫ ଜଣ ଛାତ୍ରଙ୍କୁ ପଚାରିବାରୁ ବିଦ୍ୟାଳୟରେ ୨୩ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବା କହିଥିବା ବେଳେ ପ୍ରଧାନ ଶିକ୍ଷକ ପାରିକା ନାଲି ଆଖି ଦେଖାଇ ୩୦ ଜଣ ଛାତ୍ରଛାତ୍ରୀ ପାଠ ପଢୁଥିବା କହିଥିଲେ । ପ୍ରକୃତରେ ବିଦ୍ୟାଳୟରେ ମୋଟ ଛାତ୍ରଛାତ୍ରୀ ସଂଖ୍ୟା ୨୩ ନା ୩୦ ଅଛନ୍ତି ତାହା ତଦନ୍ତ କଲେ ଜଣାପଡିବ ବୋଲି ପିଣ୍ଡିକିବାସୀ ଅଭିଯୋଗ ଆମ ସାମ୍ବାଦିକଙ୍କ ନିକଟରେ ଅଭିଯୋଗ କରିଛନ୍ତି । ଏଣୁ ତୁରନ୍ତ ଏହି ବିଦ୍ୟାଳୟର ଅବ୍ୟବସ୍ତାର ସମାଧାନ ପାଇଁ ଉପରିସ୍ତ ଅଧକାରୀ ତଦନ୍ତ କରିବା ସହ ଛାତ୍ରଛାତ୍ରୀମାନଙ୍କର ଭବିଷ୍ୟତକୁ ତଥା ବିଦ୍ୟାଳୟର ଅବସ୍ଥାକୁ ସୁଧାର ଆଣିବା ପାଇଁ ଛାତ୍ରଛାତ୍ରୀଙ୍କର ଅଭିଭାବକ ଓ ଗ୍ରାମବାସୀ ପ୍ରଶାସନ ନିକଟରେ ଦାବି କରିଛନ୍ତି । ପ୍ରକାଶ ଥାଉକି ଏ ବିଷୟରେ ଜିଲ୍ଲା ଶିକ୍ଷାଧିକାରୀ ପ୍ରଦିପ କୁମାର ନାଗଙ୍କୁ ଯୋଗାଯୋଗ କରିଥିବାରୁ ସେ କହିଛନ୍ତି ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ।
















