Monday, September 21, 2026
ADVERTISEMENT
Home ଆଞ୍ଚଳିକ ହିଞ୍ଜିଳିକାଟୁର ଶିକ୍ଷାନୁଷ୍ଠାନ ସମୁଖରେ ବେଆଇନ ଗାଡ଼ି ପାର୍କିଂ : ଶିକ୍ଷାର୍ଥୀ ହଟହଟା

ହିଞ୍ଜିଳିକାଟୁର ଶିକ୍ଷାନୁଷ୍ଠାନ ସମୁଖରେ ବେଆଇନ ଗାଡ଼ି ପାର୍କିଂ : ଶିକ୍ଷାର୍ଥୀ ହଟହଟା

335
ADVERTISEMENT

ହିଞ୍ଜିଳିକାଟୁ, ୨୩ା୬ (ଡ଼ି.ଏଚ.ବି) : ୩୬ ନଂ ରାଜ୍ୟ ରାଜପଥ ହିଞ୍ଜିଳିକାଟୁ ପୌରାଂଚଳ ତରାତାରିଣୀ ରାସ୍ତାରେ ଅବସ୍ଥିତ ଶିକ୍ଷାନୁଷ୍ଠାନ ସମୁଖରେ ବେଆଇନ ଭାବେ ଗାଡ଼ି ଗୁଡ଼ିକ ପାର୍କିଂ କରାଯାଉଥିବା ଯୋଗୁଁ ବିଦ୍ୟାଳୟକୁ ଯାତାୟତ ସମୟରେ ଶିକ୍ଷାର୍ଥୀ ମାନେ ନାନା ଅସୁବିଧାର ସମୁଖୀନ ହେଉଥିବାର ନଜିର ରହିଛି । ହିଞ୍ଜିଳିକାଟୁ ତରାତାରିଣୀ ରୋଡ଼ରେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, କେନ୍ଦ୍ରୀୟ ବିଦ୍ୟାଳୟ, ବୃନ୍ଦାବନ ବିଦ୍ୟାପିଠ, ହିଂଜିଳି ବାଳକ, ବାଳିକା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଅବସ୍ଥିତ । ବିଭିନ୍ନ ଅଂଚଳରୁ ଆସୁଥିବା ପରିବା ବୋଝେଇ ଟ୍ରକ, ଟାଟା ଏସି, ପିକ୍ଅପ ଭ୍ୟାନ ଗୁଡ଼ିକ ବିଦ୍ୟାଳୟ ସମୁଖରେ ବେଆଇନ ଭାବେ ପାର୍କିଂ କରାଯାଇ ପରିବା ଅନଲୋଡ଼ କରାଯିବା ସହ ସିକିରି, ରାଳବ. ନନ୍ଦିକ, ଗିରିଆ, ଆଲପୁର, ଶାସନ ଆମ୍ବଗାଁ, ନିମିଗାଁ ପ୍ରଭୃତି ଅଂଚଳକୁ ଗମନା ଗମନ ସକାଶେ ଯାତ୍ରୀବାହୀ ଅଟୋ ଗୁଡ଼ିକ ବହୁ ସମୟ ଧରି ରହୁଥିବା ଯୋଗୁଁ ଉପରୋକ୍ତ ଶିକ୍ଷାନୁଷ୍ଠାନ ଗୁଡ଼ିକୁ ଅଧ୍ୟୟନ କରିବାକୁ ଆସୁଥିବା ଶିକ୍ଷାର୍ଥୀ ମାନେ ଯାତାୟତ ସମୟରେ ନାନା ଅସୁବିଧାର ସମୁଖୀନ ହେଉଥିବାର ନଜିର ରହିଛି । ଦୀର୍ଘ ଦିନ ଧରି ଏଭଳି ସମସ୍ୟା ଲାଗି ରହୁଥିଲେ ମଧ୍ୟ ପୌର ପ୍ରଶାସନ ନିରବ ସାଜୁଥିବା ଯୋଗୁଁ ଅଭିଭାବକ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି ।

ଗତ କିଛି ଦିନ ପୂର୍ବେ ସ୍ଥାନୀୟ ପରିବା ବଜାରରେ ଗୁରୁୂତର ଟ୍ରାଫିକ ସମସ୍ୟା ଦେଖାଦେବା ନେଇ ବାରମ୍ବାର ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶିତ ହେବା ପରେ ଗଂଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ହିଞ୍ଜିଳିକାଟୁ ଗ୍ରସ୍ତରେ ଆସି ପରିବା ବଜାରର ଗୁରୁତର ଟ୍ରାଫିକ ବ୍ୟବସ୍ଥା ଦେଖି ସ୍ଥାନୀୟ ଆହାର କେନ୍ଦ୍ର ନିକଟରେ ପାର୍କିଂ କରିବାକୁ ନିର୍ଦେଶ ଦେଇଥିଲେ । କିଛି ଦିନର ବ୍ୟବଧାନ ପରେ ଯଥା ପୂବଂ- ତଥା ପରଂ ନୀତିରେ ପୁଣିଥରେ ଗୁରୁତର ଟ୍ରାଫିକ ସମସ୍ୟା ସୃଷ୍ଟି ହୋଇଥିଲା । ପରବର୍ତି ସମୟରେ ହିଞ୍ଜିଳି ପୋଲିସ ପ୍ରଶାସନ ଏବଂ ପୌର ପ୍ରଶାସନର ମିଳିତ ଉଦ୍ୟମରେ ପରିବା ବଜାର ପଛପଟେ ପାର୍କିଂ ସକାଶେ ସ୍ଥାନ ନିରୂପଣ କରାଯାଇ କାର୍ଯ୍ୟକାରୀ କରାଯାଇଥିଲା । ସମସ୍ତ ଦୁଇ ଚକିଆ ଯାନ ଗୁଡ଼ିକୁ ପାର୍କିଂ ସ୍ଥାନରେ ରଖିବା ପାଇଁ ନିବେଦନ କରାଯାଇଥିଲା ଏବଂ ପୋଲିସ ପ୍ରଶାସନ ପକ୍ଷରୁ ପ୍ରହରା ଦିଆଯିବା ସହ ପାର୍କିଂ ଅବମାନନା କରୁଥିବା ଗାଡ଼ି ଗୁଡ଼ିକ ଠାରୁ ଜୋରିମାନା ଆଦାୟ କରାଯାଇଥିଲା । ଫଳରେ କିଛି ଦିନ ଧରି ପରିବା ବଜାରରେ ଟ୍ରାଫିକ ସମସ୍ୟାରେ କିଛିଟା ସୁଧାର ଆସିଥିଲା । ଅନ୍ୟ ପକ୍ଷରେ ବିଭିନ୍ନ ଅଂଚଳରୁ ପରିବା ବୋଝେଇ କରି ଆସୁଥିବା ଗାଡ଼ି ଗୁଡ଼ିକ ଅନଲୋଡ଼ ସକାଶେ ସ୍ଥାନର ଅଭାବ ଯୋଗୁଁ ଗାଡ଼ି ଗୁଡ଼ିକ ନିକଟରେ ଥିବା ବିଦ୍ୟାଳୟ ସମ୍ମୁଖ ସ୍ଥାନକୁ ପାର୍କିଂ କରି ଆସୁଛନ୍ତି ।

ସମ୍ମୁଖ ଭାଗରେ ଘଂଟା ଘଂଟା ଧରି ଯାନବାହନ ଗୁଡ଼ିକ ବେଆଇନ ଭାବେ ପାର୍କିଂ କରାଯିବା ଯୋଗୁଁ ବିଦ୍ୟାଳୟକୁ ଶିକ୍ଷା ଅଧ୍ୟୟନ ସକାଶେ ଆସୁଥିବା ଛାତ୍ର ଛାତ୍ରୀ ମାନେ ଯାତାୟତ ସମୟରେ ନାନା ଅସୁବିଧାର ସମ୍ମୁଖୀନ ହେଉଥିବା ନଜିର ରହିଛି । ବିଦ୍ୟାଳୟ ଆରମ୍ଭ ଓ ଶେଷ ସମୟରେ ଗୁରୁତର ଟ୍ରାଫିକ ସମସ୍ୟା ସୃଷ୍ଟି ହେବା ସହ ବହୁ ସମୟରେ ଛୋଟ ବଡ଼ ଦୂର୍ଘଟଣା ଘଟି ଧନଜୀବନ ନଷ୍ଟ ହେଉଥିବାର ନଜିର ରହିଛି । ଏ ସମ୍ପର୍କରେ ପୌରପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ଅଶୋକ କୁମାର ପଣ୍ଡାଙ୍କ ସହ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସମ୍ଭବପର ହୋଇପାରିନାହିଁ । ବିଭାଗୀୟ ଉଚ୍ଚ କର୍ତୁପକ୍ଷ ଦୃଷ୍ଟି ଦେଇ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବୁଦ୍ଧିଜୀବି ମହଲରେ ମତ ପ୍ରକାଶ ପାଇଛି । ଅନ୍ୟ ପକ୍ଷରେ ହିଂଜିଳିକାଟୁ ପୌରାଂଚଳରେ ୫ କୋଟି ୨୩ ଲକ୍ଷ ଟଙ୍କା ବ୍ୟୟରେ ମାର୍କେଟ କମ୍ପେ୍ଳକ୍ସ ନିର୍ମାଣ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ହିଂଜିଳି ବିଧାୟକ ଗତ ୪ ଏପ୍ରିଲ ୨୦୧୭ ତାରିଖରେ ଭିତିପ୍ରସ୍ତର ସ୍ଥାପନ କରିଥିବା ବେଳେ ପୌର କର୍ତୁପକ୍ଷ ଏବଂ ପୂର୍ତ ବିଭାଗୀୟ ଅଧିକାରୀଙ୍କ ସମନ୍ନୟର ଅଭାବ ଯୋଗୁଁ ସ୍ଥାନୀୟ ପରିବା ବଜାରକୁ ଉଛେଦ କରାଯାଇ ସଂପୃକ୍ତ ସ୍ଥାନରେ ମାର୍କେଟ କମ୍ପେ୍ଳକ୍ସ ନିର୍ମାଣ ପାଇଁ ସ୍ଥାନ ଚିହ୍ନଟ କରାଯାଇଥିଲେ ମଧ୍ୟ ଭିତିପ୍ରସ୍ତରର ଦୀର୍ଘ ୧୪ ମାସ ଅତିବାହିତ ହୋଇଯାଇଥିଲେ ମଧ୍ୟ ସଂପୃକ୍ତ ସ୍ଥାନରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବା ତ ଦୂରର କଥା ଅଜୁଳାଏ ମାଟି ମଧ୍ୟ ପଡ଼ି ପାରିନାହିଁ । ତେବେ ସ୍ଥାନୀୟ ପୌରାଂଚଳରେ ମାର୍କେଟ କମ୍ପେ୍ଳକ୍ସ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ ନପାରିବା ଯୋଗୁଁ ପରିବା ବଜାର ମଧ୍ୟରେ ବେଆଇନ ପାର୍କିଂ ବଢିବାରେ ଲାଗିଛି ।

Advertisement