ମୋହନା (ଡି.ଏଚ୍ / ମୋହନ ଗୌଡ) ; ଗଜପତି ଜିଲ୍ଲା ମୋହନାଠାରେ କଇୁ (କନ୍ଧ) ଉନ୍ନୟନ ସମିତିର ବାର୍ଷିକ ଉତ୍ସବ ପାଳନ ହୋଇଛି । ଶତାଧିକ କୁଇ ସମ୍ପ୍ରଦାୟର ମହିଳା, ପୁରୁଷ ଓ ଯୁବକ ସ୍ଥାନୀୟ ହିଲଟପ୍ ମହାବିଦ୍ୟାଳୟ ଠାରୁ ଏକ ବିରାଟ ଶୋଭାଯାତ୍ରାରେ ପାରମ୍ପାରିକ ଅସ୍ତ୍ରଶସ୍ତ୍ର ଓ ବାଜା ବଜାଇ ହାଇସ୍କୁଲ ପଡିଆଠାରେ ପହଂଚିଥିଲେ । ସେଠାରେ ଆୟୋଜିତ ସାଧାରଣ ସଭାରେ ମୁଖ୍ୟ ଅତିଥିଭାବେ ସ୍ଥାନୀୟ ବିଧାୟକ ଦାଶରଥୀ ଗମାଙ୍ଗ ଯୋଗଦେଇଥିବା ବେଳେ ମୁଖ୍ୟବକ୍ତାଭାବେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବଂଶିଧର ଖୋସଲା, ସମ୍ମାନିତ ଅତିଥିଭାବେ ରା.ଉଦୟଗିରି ଜିଲ୍ଲା ପରିଷଦ ସଭ୍ୟ ଯାକବ ମାଝୀ, ପୁର୍ବତନ ବ୍ଲକ ଅଧ୍ୟକ୍ଷ ପ୍ରଶାନ୍ତ ମଲ୍ଲିକ, ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁର୍ଣ୍ଣଚନ୍ଦ୍ର ମଲ୍ଲିକ ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମରେ କୁଇ କନ୍ଧ ଉନ୍ନୟନ ସମିତି ପକ୍ଷରୁ ଏକ ଦାବି ପତ୍ର ରାଜ୍ୟପାଳଙ୍କ ଉଦ୍ଧେଶ୍ୟରେ ସ୍ଥାନୀୟ ବିଧାୟକ ଓ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ପ୍ରଦାନ କରାଯାଇଥିଲା । ଦାବି ଗୁଡିକ ହେଲା ଚନ୍ଦ୍ରଗିରିରେ ଯେପରି ସଉରା ଉନ୍ନୟନ ସଂସ୍ଥା ରହିଛି ସେହିପରି କାହେଟି କୁଇଙ୍ଗା ଉନ୍ନୟନ ସ୍ୱତନ୍ତ୍ର ସଂସ୍ଥା ଦିଆଯାଉ, ମୋହନା ଠାରେ ୬ ରୁ ୭ ଏକର ଜମିରେ ପାଟୁ ମଳିକଙ୍କ ନାମରେ ଏକ ଆଦିବାସୀ ପଡିଆ ଦିଆଯାଉ, ମୋହନାରେ ଗୋଷ୍ଠୀ ଶିକ୍ଷାଧିକାରୀ ପଦବୀ ଦୀର୍ଘ ମାସ ଧରି ଖାଲି ରହିଛି ତାକୁ ତୁରନ୍ତ ପୁରଣ କରାଯାଉ, ୨୫ ଗୋଟି କୁଇ ଭାଷା ଶିକ୍ଷକ ପଦବୀ ଖାଲି ରହିଥିବା ବେଳେ ତୁରନ୍ତ ତାହା ପୁରଣ କରାଯାଉ, ମୋହନାକୁ ବହୁ ବର୍ଷ ଧରି ରେଳ ଯାତାୟତର ସର୍ଭେ ହୋଇଥିଲେ ମଧ୍ୟ ଆଜି ଯାଏଁ ରେଳ ବିଭାଗ ସଂଯୋଗ ହୋଇପାରିନାହିଁ ମୋହନାରେ ତୁରନ୍ତ ରେଳ ଯାତାୟତ ବ୍ୟବସ୍ଥା କରାଯାଉ । ସେହିପରି ଆଦିବାସୀ ଜମିହୀନ ମାନଙ୍କୁ ଚିହ୍ନଟ ନକରି ସରକାର ଥଇଥାନ ପାଇଁ ଜାଗା ଦେଉନାହାନ୍ତି, କିମ୍ବା ଆଦିବାସୀଙ୍କ ନିଜ ଜମିକୁ ଅନ୍ୟଲୋକମାନେ ଜବରଦଖଲ କରି ରଖିଥିବା ବେଳେ ତାହା ତୁରନ୍ତ ଆଦିବାସୀମାନଙ୍କୁ ପ୍ରଦାନ କରିବା ପାଇଁ ଦାବି କରିଛନ୍ତି । ଏହି ଦାବିଗୁଡିକ ପୁରଣ ନହେଲେ ଆଗାମୀ ଦିନରେ ରାଜରାସ୍ତାକୁ ଓହ୍ଲାଇବ ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି । ଏଥିରେ ପ୍ରାୟ ୮ ହଜାରରୁ ଉର୍ଦ୍ଧ୍ୱ କୁଇ କନ୍ଧ ଜନସାଧାରଣ ଯୋଗଦେଇଥିବା ବେଳେ ପୁଲିସ ତରଫରୁ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ କୁଇ କନ୍ଧ ଉନ୍ନୟନ ସମିତି ସମ୍ପାଦକ ଶରତ ଚନ୍ଦ୍ର ମଳିକ, କୋଷାଧ୍ୟକ୍ଷ ବାଲେନ୍ତିନ ମାଝୀ, କବିରାଜ ମଲ୍ଲିକ, ସାରା ମାଝୀ, ବିରିକୋଟ ସରପଂଚ ମୋଷା ମାଝୀ, ଉପସଭାପତି ହିରଶ୍ଚନ୍ଦ୍ର ମଳିକ, ମାଳତୀ ମଲ୍ଲିକ, ପ୍ରେମା ରଇତ, ମଧୁମାଝୀ ପ୍ରମ୍ମୁଖ ପରିଚାଳନା କରିଥିଲେ ।
















