ବ୍ରହ୍ମପୁର ,୩।୧୨(ଡି.ଏଚ/ହିମାଂଶୁ ପାଢ଼ୀ) :କୁକୁଡ଼ାଖଣ୍ଡି ବ୍ଲକ ଅନ୍ତର୍ଗତ ମହୁଡା ପଞ୍ଚାୟତର ନରସିଂହପୁର ଗ୍ରାମରେ ଗତ କିଛି ଦିନ ଧରି କୌଣସି ଏକ ରୋଗରେ ଆକ୍ରାନ୍ତ ହୋଇ ୮୧ ଟି ମେଣ୍ଡା ମୃତ୍ୟୁ ବରଣ କରିଥିବା ସୂଚନା ମିଳିଛି l କିନ୍ତୁ ପ୍ରାଥମିକ ଚିକିତ୍ସାରୁ ଜାଣିବାକୁ ମିଳିଛି ଯେ,ମେଣ୍ଡା ମାନେ ପ୍ରଥମେ ନିମୋନିଆ ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁ ବରଣ କରିଛନ୍ତି l ହେଲେ ମିଳିଥିବା ସୂଚନାନୁସାରେ ମେଣ୍ଡା ମାନେ ନିମୋନିଆ ରୋଗରେ ପୀଡିତ ହେବା ପରେ ଫୁସଫୁସରେ କ୍ଷତ ସୃଷ୍ଟି ହୋଇ ମୃତ୍ୟୁ ବରଣ କରୁଛନ୍ତି ବୋଲି କଟକରୁ ଆସିଥିବା ୨ ଜଣିଆ ସାଇଣ୍ଟିଫିକ ଟିମଙ୍କ ଠାରୁ ସୂଚନା ମିଳିଛି l ଏହି ରୋଗରେ ଆକ୍ରାନ୍ତ ହୋଇ ୮୧ଟି ମେଣ୍ଢା ବର୍ତ୍ତମାନ ସୁଦ୍ଧା ମୃତ୍ୟୁବରଣ କରିଥିବା ହେତୁ ସ୍ଥାନୀୟ ଅଂଚଳର ଲୋକମାନେ ଆତଙ୍କିତ ହୋଇପଡିଛନ୍ତି l ଉକ୍ତ ଗ୍ରାମରେ ରହୁଥିବା ବିନ ଗୌଡ଼ ଏବଂ ତାଙ୍କ ଭାଇ ମୁନା ଗୌଡ଼ଙ୍କର ୨୫୦ଟି ମେଣ୍ଡା ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୮୧ଟି ମେଣ୍ଡା ମୃତ୍ୟୁ ବରଣ କରିସାରିଥିବା ନେଇ ଦୁଇ ଭାଇ କହିଛନ୍ତି l ବର୍ତ୍ତମାନ ବଞ୍ଚିଥିବା ମେଣ୍ଡା ମାନଙ୍କୁ ଇଂଜେକସନ ଦିଆଯିବା ସହିତ ଚିକିତ୍ସା ଜାରି ରହିଛି l ଏହି ଭଳି ରୋଗରେ ଆକ୍ରାନ୍ତ ହେବା ଯୋଗୁଁ ମେଣ୍ଡାମାନେ ଠିକ ରୂପେ ଚାଲି ପାରୁନଥିବା ହେତୁ ଅଧିକ ଚିକିତ୍ସାର ଆବଶ୍ୟକତା ରହିଛି l କିନ୍ତୁ ଏହିଭଳି ଏକ ମାରାତ୍ମକ ରୋଗ ସୃଷ୍ଟି ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ମେଣ୍ଡା ରଖି ପରିବାର ପୋଷଣ କରୁଥିବା ଲୋକମାନେ ଚିନ୍ତାରେ ପଡିଛନ୍ତି l ଯାହାଫଳରେ ଏହି ପରିବାର ପ୍ରତି ସରକାରଙ୍କ ପକ୍ଷରୁ ସହାୟତା ଯୋଗାଇଦେବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି l
















