ପୁରୁଷୋତ୍ତମପୁର,୨୯/୧୧(ଡି.ଏଚ/ସୁଦାମ ମହାରଣା) : କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ୱାରା ଜାରି ନୂତନ ଟ୍ରାଫିକ ନିୟମ ଅନୁସାରେ ବିନା ଲାଇସେନ୍ସରେ ଗାଡି ଚାଳନା, ଗାଡିର ରେଜିଷ୍ଟ୍ରେସନ, ଇନ୍ସୁରେନ୍ସକୁ କଡାକଡି ପାଳନ କରାଯାଉଥିବା ବେଳେ ଚାଳକଙ୍କ ସୁରକ୍ଷା ପାଇଁ ହେଲେମେଟ ପରିଧାନକୁ ବାଧ୍ୟତାମୂଳକ କରାଯାଇଅଛି। ଏହି ସ୍ଥିତିକୁ ଦୃଷ୍ଟି ରଖି ରାଜ୍ୟ ସରକାର ଓଡ଼ିଶାରେ ଲାଗୁ କରାଯାଇଥିବା ନିୟମକୁ ତିନିମାସ କୋହଳ କରିବା ସହିତ ଆନୁସଙ୍ଗିକ ବ୍ୟବସ୍ଥାକୁ ଗ୍ରହଣ କରିବାକୁ ଅବଧି ପ୍ରଦାନ କରିଛନ୍ତି। ପରନ୍ତୁ ସାଧାରଣରେ ଏହାର ପ୍ରଭାବ ପଡୁନଥିବା ଲକ୍ଷ କରାଯାଇଅଛି। ଏହି ପରିପ୍ରେକ୍ଷୀକୁ ନଜରକୁ ଆଣି ବିଭାଗୀୟ ଆଦେଶ ଭିତ୍ତିରେ ପୁରୁଷୋତ୍ତମପୁର ଥାନା ଆମ ପୋଲିସ ସମିତି ପକ୍ଷରୁ ଟ୍ରାଫିକ ସଚେତନତା କାର୍ଯ୍ୟକ୍ରମ କରାଯାଇଛି ।ଆଜି ଏହି ଅବସରରେ ଏକ ହେଲମେଟ ସଚେତନତା କାର୍ଯ୍ୟକ୍ରମ ଥାନାଧିକାରୀ ଜଗନ୍ନାଥ ମଲ୍ଲିକଙ୍କ ତତ୍ତ୍ୱାବଧାନରେ ପୁରୁଷୋତ୍ତମପୁର ଏନ.ଏ.ଏସି ସ୍ଥିତ କାଳୀମନ୍ଦିର ଛକଠାରେ ଅନୁଷ୍ଠିତ ହୋଇଥିଲା। ଏହି ସଚେତନତା କାର୍ଯ୍ୟକ୍ରମରେ ତହସିଲଦାର ଅରୁଣ କୁମାର ନାୟକ, ଆମ ପୋଲିସ ସମିତିର ସଭ୍ୟ ବୃନ୍ଦ,କଲେଜ ଛାତ୍ରଛାତ୍ରୀ ବରିଷ୍ଠ ନାଗରିକ ସଦସ୍ୟ, ଅଟୋ ସଙ୍ଘ,ଆୟୋଜିତ ପଥପ୍ରାନ୍ତ ସଭାରେ ଉପସ୍ଥିତ ରହି ଗାଡି ଚଳାଚଳ ଜନିତ ନିୟମକୁ ସାଧାରଣରେ ପ୍ରକାଶ କରିବା ସହ ସଡକ ସୁରକ୍ଷା ଜନିତ ବକ୍ତବ୍ୟ ଉପସ୍ଥାପନ କରିଥିଲେ। ସଡକ ସୁରକ୍ଷା ଜୀବନ ରକ୍ଷା, ହେଲେମେଟ ପରିଧାନ ଜନିତ ଆବଶ୍ୟକତାକୁ ଉପଲବ୍ଧ କରି ପରିବାର ପରିଜନକୁ ବିନା ହେଲେମେଟରେ ଗାଡି ଚାଳନକୁ ପ୍ରୋତ୍ସାହୀତ ନ କରିବା ଅବଗତ କରିଥିଲେ। ଏହି କାର୍ଯ୍ୟକ୍ରମରେ ପୋଲିସ ଅଫିସର ସୁନିଲ କୁମାର ପ୍ରଧାନ, ଥାନା କର୍ମଚାରୀ ସହଯୋଗ କରିଥିଲେ।
















