Sunday, September 6, 2026
ADVERTISEMENT
Home ଆଞ୍ଚଳିକ ଶିକ୍ଷାନୁଷ୍ଠାନରେ ଯୋଗ ଦିବସ ଓ ‘ପିଲାଟିଏ- ଗଛଟିଏ’ କାର୍ଯ୍ୟକ୍ରମ

ଶିକ୍ଷାନୁଷ୍ଠାନରେ ଯୋଗ ଦିବସ ଓ ‘ପିଲାଟିଏ- ଗଛଟିଏ’ କାର୍ଯ୍ୟକ୍ରମ

381
ADVERTISEMENT

ହିଞ୍ଜିଳିକାଟୁ, ୨୧/୬(ଶେଷଦେବ ସାହୁ): ହିଞ୍ଜିଳିକାଟୁ ପୌରାଞ୍ଚଳ ଓ ବ୍ଳକର ବିଭିନ୍ନ ଗ୍ରାମରେ ଅବସ୍ଥାପିତ ପ୍ରାଥମିକ, ଉଚ୍ଚ ପ୍ରାଥମିକ ଏବଂ ଉଚ୍ଚ ବିଦ୍ୟାଳୟ ଗୁଡ଼ିକରେ ଯୋଗ ଦିବସ ପାଳନ କରାଯାଇଛି । ଶୁକ୍ରବାର ପ୍ରାତଃରୁ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ଶିକ୍ଷାର୍ଥୀ, ଶିକ୍ଷକ ଓ ଶିକ୍ଷୟତ୍ରୀମାନେ ପହଞ୍ଚି ଯୋଗ କରିଥିଲେ । ଯୋଗର ଉପକାରିତା ନେଇ ଶିକ୍ଷକ, ଶିକ୍ଷୟତ୍ରୀମାନେ ଉପସ୍ଥିତ ଶିକ୍ଷାର୍ଥୀଙ୍କୁ ବୁଝାଇ କହିଥିଲେ । ଗ୍ରୀଷ୍ମ ଅବକାଶ ପରେ ଶୁକ୍ରବାର ବିଦ୍ୟାଳୟ ପୁନଃ ଖୋଲାଯାଇଥିବାବେଳେ ପ୍ରବେଶ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଶିକ୍ଷକ, ଶିକ୍ଷୟତ୍ରୀମାନେ ବିଦ୍ୟାଳୟ ଫାଟକକୁ ରଙ୍ଗବେରଙ୍ଗ ବେଲୁନରେ ସୁସଜ୍ଜିତ କରିବା ସହ ଝୋଟି ଆଙ୍କି ନୂତନଭାବେ ବିଦ୍ୟାଳୟରେ ନାମ ଲେଖାଇଥିବା ଶିକ୍ଷାର୍ଥୀଙ୍କୁ ଫୁଲ ଚନ୍ଦନ ଦେଇ ସ୍ୱାଗତ କରିଥିଲେ । ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଳାଙ୍ଗେଙ୍କ ନିର୍ଦ୍ଦେଶ ପ୍ରକାରେ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ‘ପିଲାଟିଏ- ଗଛଟିଏ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ହିଞ୍ଜିଳିକାଟୁ ପୌରାଞ୍ଚଳସ୍ଥିତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷୟତ୍ରୀ ଶାନ୍ତିଲତା ମୁୁନିଙ୍କ ଅଧ୍ୟକ୍ଷତାରେ ‘ପିଲାଟିଏ- ଗଛଟିଏ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରସନ୍ନ କୂମାର ପାତ୍ର ଓ ସମ୍ମାନୀତ ଅତିଥି ଭାବେ ତହସିଲଦାର ଗୋପିନାଥ କୁଅଁର, ଗୋଷ୍ଠୀ ଶିକ୍ଷାଧିକାରୀ ଏସ. ଗିରିଧାରୀ ପ୍ରମୁଖ ଯୋଗଦେଇ ବୃକ୍ଷରୋପଣର ଆବଶ୍ୟକତା ବିଷୟରେ ଶିକ୍ଷାର୍ଥୀଙ୍କୁ ଅବଗତ କରାଇଥିଲେ । ପରିଶେଷରେ ଶିକ୍ଷର୍ଥୀମାନେ ନିଜନିଜ ବାଡିରେ ଗୋଟିଏ ଲେଖାଏଁ ଗଛ ଲଗାଇବା ସହ ତାହାର ଯତ୍ନ ନେବାପାଇଁ ଶପଥ କରିଥିଲେ । ଏହି ଅବସରରେ ବିଦ୍ୟାଳୟ ପରିସରରେ ବୃକ୍ଷରୋପଣ ମଧ୍ୟ କରାଯାଇଥିଲା ।

ଅନୁରୂପ ଭାବେ ହିଞ୍ଜିଳିକାଟୁ ପୌରାଞ୍ଚଳସ୍ଥିତ ବୃନ୍ଦାବନ ବିଦ୍ୟାପୀଠ, ସରକାରୀ ଏନଏସି ଉଚ୍ଚ ବିଦ୍ୟାଳୟ, ଲକ୍ଷ୍ମୀ ନୃସିଂହ ପ୍ରାଥମିକ ବିଦ୍ୟାଳୟ, ବୁରୁପୋଡ଼ା ଭଗବତି ବିଦ୍ୟାପୀଠ, ପୋଡ଼ିଙ୍ଗି ଶ୍ୟାମଳାଇ ଉଚ୍ଚ ବିଦ୍ୟାଳୟ, ସିକିରି ଉଦୟନାଥ ଉଚ୍ଚ ବିଦ୍ୟାଳୟ, ବଡ଼ଖଣ୍ଡି ସତ୍ୟଭାମା ବିଦ୍ୟାପୀଠ, କଞ୍ଚୁରୁ ସରକାରୀ ଉଚ୍ଚ ବିଦ୍ୟାଳୟ, ଦୁର୍ବନ୍ଧ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ସମେତ ହିଞ୍ଜିଳିକାଟୁ ପୌରାଞ୍ଚଳ ଓ ବ୍ଳକର ବିଭିନ୍ନ ଗ୍ରାମରେ ଅବସ୍ଥାପିତ ପ୍ରାଥମିକ, ଉଚ୍ଚ ପ୍ରାଥମିକ ଏବଂ ଉଚ୍ଚ ବିଦ୍ୟାଳୟଗୁଡ଼ିକରେ ଯୋଗ ଦିବସ ଓ ‘ପିଲାଟିଏ- ଗଛଟିଏ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

Advertisement