Monday, November 23, 2026
ADVERTISEMENT
Home ଆଞ୍ଚଳିକ ସାବାଡ଼ ହେବେ ବେପାରୁଆ ବାଇକ ଚାଳକ ସପ୍ତାହକ ପରେ ଗାଡ଼ି ତନଖି ଜୋରଦାର

ସାବାଡ଼ ହେବେ ବେପାରୁଆ ବାଇକ ଚାଳକ ସପ୍ତାହକ ପରେ ଗାଡ଼ି ତନଖି ଜୋରଦାର

274
ADVERTISEMENT

ହିଞ୍ଜିଳିକାଟୁ, ୨୪ା୧୧ (ଡି.ଏଚ/ଶେଷଦେବ ସାହୁ) : ତିନି ମାସର ମହଲତ ପରେ ନୂତନ ମୋଟର ଯାନ ଆଇନ ପୁଣି ଡ଼ିସେମ୍ବର ପହିଲାରୁ କଡ଼ାକଡ଼ି ହେବାକୁ ଯାଉଛି । କିଏ ଖୁସି ହେଉ କି ନହେଉ ହିଂଜିଳିକାଟୁ ସହର ଓ ନିକଟବର୍ତି ଗ୍ରାମାଂଚଳରେ ବେପାରୁଆ ଓ ବିନା ଲାଇସେନ୍ସରେ ବାଇକ ଚାଳନା କରି ଲୋକଙ୍କୁ ମରଣ ମୁହଁକୁ ନେଉଥିବା କିଛି ଯୁବକ ଓ ରୋଡ଼ ରୋମିଓ ମାନଙ୍କ ଉପରେ ଅଙ୍କୁଶ ଲାଗୁ ବୋଲି ତ୍ରାହି ତ୍ରାହି ଡ଼ାକୁଥିବା ଲୋକେ ଖୁସି ହେବା ସହ ଦିନ ଗଣୁଛନ୍ତି । ଗତ ୫ ବର୍ଷ ମଧ୍ୟରେ ବେପାରୁଆ ଗାଡ଼ି ଚାଳନା ପାଇଁ ହିଂଜିଳି ଥାନା ଅଂଚଳ ମଧ୍ୟରେ ଦୂର୍ଘଟଣା ଘଟି ୧୦୦ରୁ ଉର୍ଦ୍ଧ ଲୋକଙ୍କ ମୃତ୍ୟୁ ହୋଇସାରିଥିବା ବେଳେ ପ୍ରାୟ ୫୦୦ରୁ ଉର୍ଦ୍ଦ୍ୱ ବ୍ୟକ୍ତି ଗୁରୁତର ହୋଇଥିବାର ଜଣାପଡ଼ିଛି । ଯେଉଁ କେତେଦିନ ପୋଲିସ ପ୍ରଶାସନ ଧରପଗଡ଼ କଲା ସେତିକି ଦିନ ଦୂର୍ଘଟଣା କମିଥିଲା । କିଛି ଦିନ ପରେ ପୋଲିସ ପ୍ରଶାସନର ନିରବତା ପରେ ପୁଣି ଚାଲିଲା ଅହରହ ବେପାରୁଆ ଗାଡ଼ି ଚାଳନା । ଆସନ୍ତା ୧ ତାରିଖ ଠାରୁ ପୁଣି ନୁଆଁ ମୋଟର ଯାନ ଆଇନ ସାଙ୍ଗକୁ ନୁଆଁ ଫାଇନ ଏମାନଙ୍କୁ ସାବାଡ଼ କରିବ ବୋଲି ଜୋରଦାର ଚର୍ଚ୍ଚା ଚାଲିଛି । ବିନା ଲାଇସେନ୍ସରେ ଗାଡ଼ି ଚାଳନା କଲେ ୫ ହଜାର, ମୋବାଇଲରେ ଗପି ଗପି ଗାଡ଼ି ଚାଳନା କଲେ ୫ ହଜାର, ମଦ୍ୟପାନ କରି ଗାଡ଼ି ଚାଳନା କଲେ ୧୦ ହଜାର, ୨ୟ ଥର ସକାଶେ ମଦ୍ୟପାନ କରି ଗାଡ଼ି ଚାଳନା କଲେ ୧୫ ହଜାର, ବାଇକରେ ୩ ଜଣ ବସିଥିଲେ ୧ ହଜାର, ଇନସୁରାନ୍ସ ନଥିଲେ ୨ହଜାର, ପରମିଟ ନଥିଲେ ୧୦ ହଜାର, ବାଇକ ପଛରେ ବସିଥିବା ବ୍ୟକ୍ତି ହେଲମେଟ ପିନ୍ଧିନଥିଲେ ୧ ହଜାର, ନାବାଳକ ଗାଡ଼ି ଚଲାଇଲେ ୨୫ ହଜାର, ଦୃତଗତିରେ ବାଇକ ଚାଳନା କଲେ ୨ହଜାର ଓ ଆମ୍ବୁଲାନ୍ସ କିମ୍ବା ଦମକଳ ଗାଡ଼ିକୁ ବାଟ ନଛାଡ଼ିଲେ ୧୦ ହଜାର ଟଙ୍କା ଜୋରିମାନା ଲାଗିବାର ନିୟମ ରହିଛି ବୋଲି ହିଂଜିଳି ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସ କହିଛନ୍ତି । ମୋଟର ଯାନ ଆଇନକୁ କଡ଼ାକଡ଼ି କରିବା ପାଇଁ ଆଇଆଇସି ଦାସ ବ୍ଳ୍ୟୁ ପ୍ରିଂଟ ପ୍ରସ୍ତୁତ କରିଥିବା ଜଣାପଡ଼ିଛି । ହିଂଜିଳି ଥାନା ଅଧିକାରୀଙ୍କ ନେତୃତ୍ୱରେ ୨ ଟି ଟିମ୍ ଗଠନ କରାଯାଇଛି । ଗତ ୧ ତାରିଖ ସକାଳ ୧୦ ଠାରୁ ସହରର ପୃଥକ ପୃଥକ ସ୍ଥାନରେ ତନଖି କରାଯାଇ ନିୟମ ଅବମାନନା କରୁଥିବା ଚାଳକଙ୍କ ଠାରୁ ଜୋରିମାନା ଆଦାୟ କରାଯିବ । ଏହାକୁ ଆଖି ଆଗରେ ରଖି ଗାଡ଼ି ମାଲିକ ମାନେ ନିଜ ନିଜ ଗାଡ଼ିର କାଗଜ ପତ୍ର ଯୋଗାଡ଼ କରିବା ସହ ହେଲମେଟ କିଣା ଜୋରଦାର ଚାଲିଥିବା ଦେଖିବାକୁ ମିଳୁଛି ।

Advertisement