ହିଞ୍ଜିଳିକାଟୁ,୨୨ା୧୧(ଡି.ଏଚ/ଶେଷଦେବ ସାହୁ) : ହିଞ୍ଜିଳି ଥାନା ଅଂଚଳରେ ଗତ ଶନିବାର ଏକ ଲଜ୍ୟା ଜନକ ଘଟଣା ଘଟିଥିଲା । ଜୈନିକା ୧୦ ବର୍ଷର ନାବାଳିକାଙ୍କୁ ସେହି ଗ୍ରାମର ଜଣେ ୬୫ ବର୍ଷର ବୃଦ୍ଧ କୁକର୍ମ କରିବା ଘଟଣାରେ ପୋଲିସ ଅଭିଯୁକ୍ତଙ୍କୁ ବୁଧବାର ବିଳମ୍ବିତ ରାତିରେ ଗିରଫ କରିଛି । ଗିରଫ ବୃଦ୍ଧ ଜଣକ ସଂପୃକ୍ତ ଗ୍ରାମର ଦେବରାଜ ପାଣିଗ୍ରାହୀ । ଏ ନେଇ ଥାନାରେ ନଂ- ୩୨୫/୧୯ରେ ଏକ ମାମଲା ରୁଜୁ କରି ଗୁରୁବାର ଡ଼ାକ୍ତରୀ ମାଇନା କରାଯିବା ପରେ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସ କହିଛନ୍ତି ।
ପ୍ରକାଶ ଥାଉକି, ଗତ ଶନିବାର ଅପରାହ୍ନରେ ହିଞ୍ଜିଳି ଥାନା ଅଂଚଳର ଜଣେ ନାବାଳିକା ବଜାର ସଉଦା କରିବାକୁ ଘର ନିକଟସ୍ଥ କିରାଣୀ ଦୋକାନକୁ ଯାଇଥିଲେ । ଉକ୍ତ ସମୟରେ ଦୋକାନରେ କେହି ନଥିବାର ସୁଯୋଗ ନେଇ ଦୋକାନୀ ମାଲିକ ନାବାଳିକାଙ୍କୁ ଏକାକୀ ପାଇ ଆଶାଳୀନ ଇଙ୍ଗିତ କରିବା ସହ ବଳପୂର୍ବକ କୁକର୍ମ କରିଥିଲେ । ଘଟଣା ପରେ ନାବାଳିକା ଜଣକ କାନ୍ଦି କାନ୍ଦି ଘରକୁ ଫେରିଥିଲେ । ସାହି ପଡେ଼ାଶୀଙ୍କ ଠାରୁ ଖବର ପାଇ ନାବାଳିକାଙ୍କ ମା ଘରକୁ ଫେରି ଝିଅକୁ କାନ୍ଦିବାର କାରଣ ପଚାରିଥିଲେ ମଧ୍ୟ ନାବାଳିକା ଜଣକ କୌଣସି ଉତର ଦେଇନଥିଲେ । ରବିବାର ଘଟଣା ନେଇ ନାବାଳିକା ଜଣକ ମା’ଙ୍କୁ ଘଟଣା ବିଷୟରେ କହିଥିଲେ । ଲୋକଲଜ୍ୟା ଭୟରେ ନାବାଳିକାଙ୍କ ମା’ ଚୁପ ରହିଥିଲେ । ପରେ ଘଟଣା ଗ୍ରାମରେ ପ୍ରଘଟ ହେବା ପରେ ଗ୍ରାମର କିଛି ରାଜନୈତିକ ବ୍ୟକ୍ତି ଘଟଣା ଚପାଇ ଦେବାକୁ ଉଦ୍ୟମ କରିଥିଲେ । ବୁଧବାର ରାତିରେ ନାବାଳିକାଙ୍କ ମା ସାହସ ଜୁଟାଇ ହିଞ୍ଜିଳି ଥାନାରେ ପଂହଚି ଲିଖିତ ଅଭିଯୋଗ କରିଥିଲେ ।
















