କନ୍ଧମାଳ,୧୨/୧୧ (ଡି.ଏଚ/ସୁରେଶ କୁମାର ପଣ୍ଡା) : ପବିତ୍ର କାର୍ତ୍ତିକ ମାସର ଶେଷ ସୋମବାର।ସକାଳୁ ସକାଳୁ ସମସ୍ତ ଶିବମନ୍ଦିର ଓ ଜଗନ୍ନାଥ ମନ୍ଦିର ସମେତ ଅନ୍ୟ ମନ୍ଦିର ଗୁଡିକରେ ଗହଳ ଚହଳ ଦେଖିବାକୁ ମିଳିଥିଲା l ଟାଉନର ବିରୂପାକ୍ଷ, ରାମେଶ୍ୱର, ଦଣ୍ଡପଦରର ବାବାଧବଳେଶ୍ୱର,ଜlଲେସପଟ୍ଟlର ଜଳେଶ୍ୱର, ଚକାପାଦର ବିରୂପାକ୍ଷ, ଭଳି ବିଭିନ୍ନ ଶିବ ମନ୍ଦିରରେ ଶତାଧିକ ଭକ୍ତଙ୍କ ସମାଗମ ହୋଇଥିଲା l କନ୍ଧମାଳ ଜିଲ୍ଲାର ପର୍ଯ୍ୟଟନ କ୍ଷେତ୍ର ତଥା ତୁମୁଡିବନ୍ଧ ବ୍ଲକ ଅନ୍ତର୍ଗତ ଜଲେଶପଟ୍ଟା ଠାରେ ଥିବା ଜଳେଶ୍ବର ମନ୍ଦିରରେ ସୋମବାର ଭୋରରୁ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗି ରହିଥିଲା। ସମୟ ଯେତିକି ବଢ଼ୁଥିଲା ଭକ୍ତଙ୍କ ଭିଡ଼ ମଧ୍ୟ କ୍ରମାଗତ ଭାବେ ବଢ଼ି ଚାଲିଥିଲା। ଭକ୍ତଙ୍କ ଭିଡ଼ ବୃଦ୍ଧି ପାଉଥିବାରୁ ନିୟନ୍ତ୍ରଣ ଲାଗି ତୁମୁଡିବନ୍ଧ ଥାନା ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ଏ ଏସ ଆଇ ଯୁଗଳ କିଶୋର ନାୟକ, ତ୍ରିଲୋଚନ ପ୍ରଧାନଙ୍କ ସମେତ କନଷ୍ଟେବଳ ରାଜେନ୍ଦ୍ର ଯାନୀ, ଯକ୍ଷ ପ୍ରଧାନଙ୍କ ସହ ୧୫ଜଣ ଗୃହରକ୍ଷୀ ଉପସ୍ଥିତ ରହି ପରିସ୍ଥିତି ନିୟନ୍ତ୍ରଣ କରୁଥିଲେ। ଜଳେଶ୍ବର ମନ୍ଦିରଟି ରାଉଳ ନଦୀର ମଧ୍ୟ ଭାଗରେ ରହିଥିବାରୁ ନଦୀ ଅତିକ୍ରମ କରି ମନ୍ଦିରକୁ ଯିବାପାଇଁ ମନ୍ଦିର ପରିଚାଳନା କମିଟି ପକ୍ଷରୁ ଏକ ଅସ୍ଥାୟୀ କାଠ ପୋଲ ନିର୍ମାଣ କରାଯାଇଥିଲା। ଉକ୍ତ କାଠ ପୋଲର ଉଭୟ ପାର୍ଶ୍ୱରେ ପୋଲିସ ଉପସ୍ଥିତ ରହି ଟ୍ରାଫିକ ନିୟନ୍ତ୍ରଣ କରୁଥିଲେ। ନଦୀ ପାର ହୋଇ ଯିବାବେଳେ ବିପଦ ରହିଥିବାରୁ ପୋଲିସ ସତର୍କ ଭାବେ ଜଗି ରହିଥିଲେ ନଦୀ କୂଳରେ। ଭକ୍ତ ମାନେ ନଡ଼ିଆ, କଦଳୀ, ସେଓ, କମଳା,ଅଙ୍ଗୁର, ଡାଳିମ୍ବ, ବେଲପତ୍ର, ଫୁଲ, କ୍ଷୀର ନେଇ ମାନସିକ ପୂରଣ ଲାଗି ପୂଜା କରିବା ସହ କିଛି ଭକ୍ତ ଅଭିଷେକ କରିଥିଲେ। ଜିଲ୍ଲାର ବାଲିଗୁଡା, ନୂଆଗାଁ, ସାରଙ୍ଗଗଡ଼,ବୁଡ଼ାଗୁଡା, ବାରଖମା, ଫୁଲବାଣୀ, କୋଟଗଡ, ସୁବର୍ଣ୍ଣଗିରି ଅଞ୍ଚଳରୁ ଭକ୍ତ ମାନେ ଆସିଥିଲେ। ଜିଲ୍ଲା ବାହାରୁ ରାୟଗଡା, କଳାହାଣ୍ଡି, ଗଞ୍ଜାମର କିଛି ଅଞ୍ଚଳରୁ ମଧ୍ୟ ମାନସିକ ଧାରୀମାନେ ଆସିଥିବା ଦେଖିବାକୁ ମିଳିଥିଲା। ମନ୍ଦିରର ପୂଜାରୀ ଅଦିକନ୍ଦ ମହାପାତ୍ର, ବସନ୍ତ ମହାପାତ୍ର, ସଚ୍ଚିଦାନନ୍ଦ ଆଦି ପୂଜା ପାଠ କରିଥିଲେ ।

















