Tuesday, November 24, 2026
ADVERTISEMENT
Home ଆଞ୍ଚଳିକ ବାଲି ଟ୍ରକ ଧକ୍କାରେ ଛାତ୍ରୀ ମୃତ, ଜଣେ ଗୁରୁତର

ବାଲି ଟ୍ରକ ଧକ୍କାରେ ଛାତ୍ରୀ ମୃତ, ଜଣେ ଗୁରୁତର

251
ADVERTISEMENT

ପୁରୁଷୋତ୍ତମପୁର,୧୨/୧୧ (ଡି.ଏଚ/ସୁଦାମ ମହାରଣା) : ଗଞ୍ଜାମଜିଲ୍ଲା ପୁରୁଷୋତ୍ତମପୁର ସହର ଉପକଣ୍ଠ ସ୍ଥିତ ଋଷିକୂଲ୍ୟା ସେତୁ ଉପରେ ବାଲି ବୋଝେଇ ଟ୍ରକ ଧକ୍କାରେ ଜଣେ ଛାତ୍ରୀଙ୍କ ମୃତ୍ୟୁ ହୋଇଛି । ମୃତ ଜଣଙ୍କ ହେଲେ କେଶପୁର ଛକର କେ.ତୃପ୍ତି ଦୋରା(୧୯)।ସାଙ୍ଗରେ ଥିବା ଆହତ ନାବାଳିକା ଜଣଙ୍କ ହୋଉଛନ୍ତି ତାଙ୍କ ମାମୁଁଙ୍କ ଝିଅ ବର୍ଷା ଦୋରା(୬)ବୋଲି ସୂଚନା ମିଳିଛି । ଆଜି ଅପରାହ୍ନ ତିନିଟାରେ କାର୍ତ୍ତିକ ପୂର୍ଣ୍ଣିମା ସକାଶେ ତୃପ୍ତି ସାଙ୍ଗରେ ବର୍ଷାକୁ ନେଇ ସାଇକେଲ ଯୋଗେ ପୁରୁଷୋତ୍ତମପୁର ବଜାରକୁ ଜିନିଷପତ୍ର କିଣିବାକୁ ଯାଇଥିଲେ । ଘରକୁ ଫେରୁଥିବା ସମୟରେ ଋଷିକୂଲ୍ୟା ସେତୁ ଉପରେ ଏକ ବାଲି ବୋଝେଇ ଟ୍ରକ(OR07R7341)ସାଇକେଲ ପଛପଟୁ ଧକ୍କା ଦେଇଥିଲା ,ଫଳରେ ଘଟଣା ସ୍ଥଳରେ ହିଁ ତୃପ୍ତିଙ୍କ ମୃତ୍ୟୁ ଘଟିଥିଲା। ବର୍ଷା ସାଇକେଲରୁ ଛିଟିକି ପଡି ଆହାତ ହୋଇଥିଲେ । ଦୁର୍ଘଟଣାର ଖବରପାଇ ପରିବାର ବର୍ଗ ସମେତ କେଶପୁର ଓ ରଣଝାଲ୍ଲୀ ଗ୍ରାମବାସୀ ଘଟଣା ସ୍ଥଳରେ ପହଞ୍ଚି ଥିଲେ। ଟ୍ରକ ଡ୍ରାଇଭରକୁ ଅଟକରଖି କ୍ଷତିପୂରଣ ଦାବିରେ ତିନି ଘଣ୍ଟା ଧରି ରାସ୍ତା ରୋକ କରିଥିଲେ। ଫଳରେ ଉଭୟ ପାର୍ଶ୍ବରେ ଶହଶହ ଯାନବାହନ ଅଟକି ରହିଥିଲା । ପୁରୁଷୋତ୍ତମପୁର ଏସଡିପିଓ ସୀମା ସ୍ବାଇଁ ,ଥାନା ଅଧିକାରୀ ଜଗନ୍ନାଥ ମଲ୍ଲିକ ଘଟଣା ସ୍ଥଳରେ ପହଞ୍ଚି ଆନ୍ଦୋଳନ କାରୀଙ୍କୁ ବୁଝାସୁଝା କରିଥିଲେ କିନ୍ତୁ ଉପଯୁକ୍ତ କ୍ଷତିପୂରଣ ଦେବା ପାଇଁ ଅଡିବସିଥିଲେ ଅଞ୍ଚଳବାସୀ । ପୁରୁଷୋତ୍ତମପୁର ଏସଡିପିଓ ସୀମା ସ୍ବାଇଁ, ଥାନା ଅଧିକାରୀ ଜଗନ୍ନାଥ ମଲ୍ଲିକ,ରଣଝାଲ୍ଲୀ ପଞ୍ଚାୟତ ର ଗ୍ରାମବାସୀ, ବାଲି ଲିଜ ଧାରି ମାଲିକ, ଦୁର୍ଘଟଣା ଘଟିଇଥିବା ଟ୍ରକର ମାଲିକ ଉପସ୍ଥିତ ରହି କ୍ଷତିପୂରଣ ବିଷୟରେ ଆଲୋଚନା କରିିଥିଲେ । ଶେଷରେ କ୍ଷତିପୂରଣ ବାବଦରେ ବାଲିଲିଜ ଧାରି ମାଲିକ ଅଢେ଼ଇ ଲକ୍ଷ ଟଙ୍କା ଓ ଟ୍ରକ ମାଲିକ ୫୦ହଜାର ଟଙ୍କା ଦେବା କୁ ରାଜିହୋଇଥିଲେ ।
ପରେ ରାସ୍ତା ରୋକ ହଟିଥିଲା। ପୁଲିସ ଟ୍ରକ ଡ୍ରାଇଭରକୁ ଉଦ୍ଧାର କରିଥିବା ବେଳେ ଘଟଣା ସ୍ଥଳରୁ ଟ୍ରକ ଓ ସାଇକେଲ ଜବତ କରିଛି । ତୃପ୍ତିଙ୍କ ଶବ ବ୍ୟବଛ୍ଛେଦ ପାଇଁ ବ୍ରହ୍ମପୁର ବଡମେଡିକଲ ପଠାଯାଇଛି । ମୃତକ ତୃପ୍ତି ନରେନ୍ଦ୍ରପୁର କ୍ଷେତ୍ରମୋହନ ମହାବିଦ୍ୟାଳୟର ଛାତ୍ରୀ ଥିଲେ । ତାଙ୍କର ମୃତ୍ୟୁ ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।ପୂର୍ବରୁ ପୁରୁଷୋତ୍ତମପୁର -ବ୍ରହ୍ମପୁର ରାସ୍ତାରେ ବାଲିବୋଝେଇ ଯାନବାହନ ଧକ୍କାରେ ଅନେକଙ୍କ ମୃତ୍ୟୁ ଘଟିଛି । ପୋଲିସ ଓ ପ୍ରଶାସନ ଏହି ସମ୍ବେଦନଶୀଳ ଘଟଣା ପ୍ରତି ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ସାଧାରଣରେ ଦାବି କରାଯାଇଛି ।

Advertisement