ଖଲ୍ଲିକୋଟ,୭/୧୧(ଡି.ଏଚ/ସୁଦାମ ମହାରଣା)-ଗଞ୍ଜାମ ଜିଲ୍ଲାରେ ସରୁ ନାହିଁ ଦାଦନ ଦୁଖଃ।କେତେ ବେଳେ ବିଦେଶରେ ଦାଦନ ସମସ୍ୟା ତ ପୁଣି କେତେବେଳେ ବିଦେଶ ରୁ ପହଞ୍ଚୁଛି ମୃତ୍ୟୁର ଖବର ।ଏମିତି ଏକ ଦୁଖଦ ଖବର ପହଞ୍ଚିଛି ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ଖୋଜାପଲ୍ଲୀ ଗ୍ରାମରେ।ଏହି ଗ୍ରାମର ରମେଶ ସାମଲଙ୍କ ବଡପୁଅ ହରଶ ସାମଲ(୨୬)। ଗତ ୨୦୧୪ମସିହା ଅକ୍ଟୋବର ୨୦ତାରିଖରେ ଉଚ୍ଚ ଦରମା ସାଙ୍ଗକୁ ଭଲ ଚାକିରୀ ଲୋଭରେ ସୁଦୁର କୁଏତ୍ ସହରକୁ କାମ କରିବା ପାଇଁ ଯାଇଥିଲେ। ଦୀର୍ଘ ଦୁଇ ବର୍ଷ କାମ କଲା ପରେ କିଛି ମାସ ଛୁଟିରେ ଆସି ପୁଣି ଫେରିଯାଇଥିଲେ। ହଠାତ ଚଳିତ ମାସ ୧୧ତାରିଖ ଦିନ ତାଙ୍କ ନିକଟରେ ଥିବା ସହଯୋଗୀ ଶ୍ରମିକମାନେ ହରଶ ଙ୍କ ମୃତ୍ୟୁର ଖବର ଫୋନ ଯୋଗେ ପରିବାର ଲୋକଙ୍କୁ ଜଣାଇଥିଲେ । ରୋଜଗାରିଆ ପୁଅକୁ ହରାଇ ବାପା ମା ଦୁଖଃରେ ଭାଙ୍ଗି ପଡିଥିଲା ବେଳେ ସ୍ତ୍ରୀ ଗୀତାଙ୍କ ପାଦତଳୁ ମାଟି ଖସିଯାଇଛି । ସେପଟେ କୁନି କୁନି ଦୁଇ ପୁଅ ବାପାଙ୍କ ଫେରିବା ବାଟକୁ ଚାହିଁ ବସି ମାର ମୁହଁ କୁ ଅନାଇ କାନ୍ଦୁଛନ୍ତି। ଦାଦନ ଖଟିବାକୁ କୁଏତ୍ରେ ମୃତ୍ୟୁ ବରଣକରିଥିବା ହରଶସାମଲ ସାମିଲଙ୍କ ଶବ ୨୩ଦିନ ପରେ ନିଜ ଜନ୍ମ ମାଟି ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଖୋଜାପଲ୍ଲୀ ଗାଁରେ ପହଞ୍ଚିଛି। ଶବ ବିମାନ ଯୋଗେ ଭୁବନେଶ୍ୱରଠାରେ ପହଞ୍ଚିବା ପରେ ଜିଲ୍ଲା ଶ୍ରମ ଅଧିକାରୀ ଶିବନାରାୟଣ ସାହୁ ଓ ଖଲ୍ଲିକୋଟ ବିଧାୟକା ଶେଷ ଦର୍ଶନ କରିଥିଲେ । ଏହା ପରେ ସ୍ବତନ୍ତ୍ର ଗାଡି ଯୋଗେ ଶବକୁ ଖୋଜାପଲ୍ଲୀ ଗାଁକୁ ଅଣାଯାଇଥିଲା । ଶବ ପହଞ୍ଚିବା ପରେ ଗାଁ ପରିବେଶ କାନ୍ଦ ବୋବାଳିରେ ଫାଟି ପଡିଥିଲା ବୃଦ୍ଧ ବାପା ମା ,ବିଧବା ପତ୍ନୀ ଓ ଦୁଇ ସନ୍ତାନଙ୍କ ଆଖିରୁ ଲୁହ ଶୁଖିନଥିଲା। ଶୋକକୁଳ ପରିବେଶରେ ଅନ୍ତିମ ସଂସ୍କାର କରାଯାଇଥିଲା। ବଡ ଦୁଖଃର ବିଷୟ ଗତ ଦୁଇ ମାସ ମଧ୍ୟରେ ଖଲ୍ଲିକୋଟ ବ୍ଲକର ତିନି ଜଣ ଶ୍ରମିକଙ୍କ ବିଦେଶରେ ମୃତ୍ୟୁ ବରଣ କରିଥିବା ବେଳେ ତେବେ ଦେଖିବାକୁ ବାକି ରହିଲା,କେବେ ସୁଧାରିବ ଗଞ୍ଜାମର ଦାଦନ ଦୁଖଃ !
ସରୁନାହିଁ ଗଞ୍ଜାମ ଜିଲ୍ଲାର ଦାଦନ ଯନ୍ତ୍ରଣା !
୨୩ଦିନ ପରେ ନିଜ ଗାଁକୁ ଫେରିଛି ଦାଦନ ଶ୍ରମିକଙ୍କ ମରଶରୀର
















