Sunday, November 22, 2026
ADVERTISEMENT
Home ଆଞ୍ଚଳିକ କାର୍ତିକ ମାସରେ ପରିବା ଦର ଆକାଶ ଛୁଆଁ : ୫ଶହ ଟଙ୍କାରେ ବ୍ୟାଗ ପୁରୁନି

କାର୍ତିକ ମାସରେ ପରିବା ଦର ଆକାଶ ଛୁଆଁ : ୫ଶହ ଟଙ୍କାରେ ବ୍ୟାଗ ପୁରୁନି

354
ADVERTISEMENT

ହିଂଜିଳିକାଟୁ,୦୨/୧୧ (ଡି.ଏଚ/ଶେଷଦେବ ସାହୁ) : କାର୍ତିକ ମାସରେ ପରିବା ଦର ହୁ ହୁ ହୋଇ ବଢିବାରେ ଲାଗିଛି । ପୂଣ୍ୟ ମାସ ଭାବେ କଥିତ ଏହି ମାସରେ ସଂଖ୍ୟାଧିକ ଘରେ ଆମିଷ ନିଷେଧ । ଏଣୁ ସାଦା ବା ନିରାମିଷ ଖାଦ୍ୟ ପାଇଁ ପନିପରିବା ଉପରେ ଅଧିକ ନିର୍ଭରଶୀଳ ହୋଇ ପଡ଼ୁଛନ୍ତି ଲୋକେ । ହେଲେ ଗତ କିଛି ଦିନରେ ପନିପରିବା ଦର ବେଶ୍ ଦର ବୃଦ୍ଧି ପାଇଛି, ଯାହାକୁ ନେଇ ଗ୍ରାହକ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି । ତେବେ ଅନ୍ୟ ଉପାୟ ନହୋଇ ଲୋକେ ପୂର୍ବାପେକ୍ଷା କମ୍ ପରିମାଣର ପନିପରିବା ନେଇ କାମ ଚଳାଇବାକୁ ବାଧ୍ୟ ହେଉଛନ୍ତି । ପକେଟରୁ ଅଧିକ ଟଙ୍କା ଯାଉଛି, ମାତ୍ର ବ୍ୟାଗରେ ପରିବା ଭର୍ତି ହେଉନି । ଏକଦା ହିଂଜିଳିକାଟୁ ବ୍ଳକର ବୁରୁପୋଡ଼ା, ଖରିଡ଼ା, ଆଲପୁର, ରାଳବ, ସିକିରି, ଖଣ୍ଡରା, ଚାନ୍ଦୁଲି ଅଂଚଳରୁ ପ୍ରଚୁର ପରିମାଣରେ ପରିବା ଆମଦାନୀ ହୋଇ ଗଂଜାମ ଜିଲ୍ଲା ସମେତ ନିକଟବର୍ତି ଅଂଚଳରୁ ରପ୍ତାନି କରାଯାଉଥିଲା କିନ୍ତୁ ସେପ୍ଟେମ୍ବର ଓ ଅକ୍ଟୋବର ମାସରେ ଲଗାଣ ବର୍ଷା ଯୋଗୁଁ ସ୍ଥାନୀୟ ବ୍ଳକର ବିଭିନ୍ନ ଅଂଚଳର ପନିପରିବା ଚାଷ କ୍ଷତିଗ୍ରସ୍ତ ହୋଇପଡ଼ିବା ଯୋଗୁଁ ପରିବା ପାଇଁ ଛତିଶିଗଡ଼ ଓ ଆନ୍ଧ୍ରପ୍ରଦେଶ ରାଜ୍ୟ ଉପରେ ନିର୍ଭର କରିବାକୁ ପଡ଼ୁଥିବାରୁ ପରିବା ଦର ବଢିବାରେ ଲାଗିଛି ବୋଲି ବ୍ୟବସାୟୀ ମାନେ ଯୁକ୍ତି ଦର୍ଶାଇଛନ୍ତି । ଆଗାମୀ ଦିନରେ ସ୍ଥାନୀୟ ଅଂଚଳରେ ପରିବା ଆମଦାନୀ ପରେ ଦର କମିବ ବୋଲି ବ୍ୟବସାୟୀ ମାନେ ଆଶା କରିଛନ୍ତି ।

ଓଷା ବ୍ରତ ତଥା ପୂଣ୍ୟ ଅର୍ଜନର ମାସ କାର୍ତିକରେ ଅଧିକାଂଶ ଘରେ ଆମିଷ ପଶୁନି । ତେଣୁ ଏହି ମାସରେ ସାଧାରଣତଃ ଆମିଷ ଅପେକ୍ଷା ପନିପରିବାର ଚାହିଦା ବେଶ୍ ଅଧିକ । ଗତ କିଛି ଦିନରେ ପରିବା ଦର ଢେର ଅଧିକ ରହିଥିବାରୁ ଖାଉଟିଙ୍କ ପକେଟକୁ ଢିଲା କରୁଛି ପରିବା ଦର ବୋଲି ସାଧାରଣରେ ମତ ପ୍ରକାଶ ପାଇଛି । ହିଂଜିଳିକାଟୁ ପରିବା ବଜାରରେ ଆଳୁ ଦର କିଲୋ ପିଛା ୧୮ରୁ ୨୦ ଟଙ୍କା ରହିଥିବା ବେଳେ ପିଆଜ ୪୦ରୁ ୫୦, ଟମାଟୋ ୪୦ରୁ ୫୦, ଫୁଲକୋବି ୬୦, ବିନ୍ସ ୭୦ରୁ ୮୦, ପୋଟଳ ୪୦, ସାରୁ ୪୦, ଭେଣ୍ଡି ୩୦, ବନ୍ଧାକୋବି ୪୦ଟଙ୍କା, ଦେଶୀ ଆୁ ୫୦ ଟଙ୍କା, କଖାରୁ ଓ ଭଣ୍ଡା ୨୦ରୁ ୨୫ ଟଙ୍କା ଦରରେ ବିକ୍ରି ହେଉଛି । କାର୍ତିକରେ ହବିଷ୍ୟାଳୀଙ୍କ ରୋଷେଇରେ ବ୍ୟବହୃତ କଂଚା କଦଳୀ ଗୋଟାକୁ ୧୦ ଟଙ୍କା ରହିଛି । ଗତ କିଛି ଦିନ ତଳେ ପରିବା ଦର ଯାହା ଥିଲା କାର୍ତିକରେ ପ୍ରାୟ ଦୁଇ ଗୁଣା ହୋଇଛି । କାର୍ତିକରେ ଆମିଷ ଖିଆ ବନ୍ଦ ଥିବାରୁ ପରିବା ଦର ବାଧୁଛି, ଆବଶ୍ୟକ ଠାରୁ କମ୍ ପରିମାଣେରେ ନେଇ କାମ ଚଳାଇବାକୁ ପଡ଼ୁଛି ବୋଲି କିଛି ଗ୍ରାହକ କହିଛନ୍ତି ।

Advertisement