ହିଂଜିଳିକାଟୁ,୦୨/୧୧ (ଡି.ଏଚ/ଶେଷଦେବ ସାହୁ) : ହିଂଜିଳି ଥାନା ବେଲଗାଁରେ ଘଟିଛି ଏକ ଅଭାବନୀୟ ଘଟଣା । ବାହାଘର ସକାଶେ ରାଜି ନହେବାରୁ ନାବାଳକଙ୍କ ପରିବାରଙ୍କୁ ନାବାଳିକାଙ୍କ ପରିବାରର ଗୋଟିଏ ଗୋଷ୍ଠୀ ଆକ୍ରମଣ କରିଥିଲେ । ଆକ୍ରମଣରେ ନାବାଳକଙ୍କ ଜେଜେ ବାପା ଗୁରୁତର ଆହତ ହୋଇଥିଲେ । ୧୧ ଦିନ ଚିକିତ୍ସା ପରେ ଆହତ ବୃଦ୍ଧଙ୍କ ଶୁକ୍ରବାର ମୃତ୍ୟୁ ଘଟିଛି । ମୃତକ ଜଣକ ବେଲଗାଁର ବଙ୍ଗାଳି ଦାସ (୭୦) । ଏ ନେଇ ନଂ- ୨୭୯/୧୯ ରେ ଏକ ମାମଲା ରୁଜୁ କରି ଶବକୁ ଜବତ କରି ବ୍ୟବଛେଦ ସକାଶେ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାକୁ ପଠାଇ ପୋଲିସ ଘଟଣାର ତଦନ୍ତ ଚଳାଇଥିବା ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସ କହିଛନ୍ତି । ପ୍ରକାଶ ଯେ, ହିଂଜିଳି ଥାନା ବେଲଗାଁ ଅଂଚଳର ଜୈନିକ ନାବାଳକ ସହ ସ୍ଥାନୀୟ ଥାନା ଅଂଚଳର ଜୈନିକା ନାବାଳିକାଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଘଟଣା ନେଇ ନାବାଳିକାଙ୍କ ପରିବାର ଜାଣିବା ପରେ ନାବାଳକ ସହ ବିବାହ କରିବା ପାଇଁ ନାବାଳକଙ୍କ ପରିବାରଙ୍କୁ ବାଧ୍ୟ କରିଥିଲେ । ନାବାଳକ ଜଣକ ସାବାଳକ ହେବା ପରେ ବିବାହ କରିବା ଲାଗି ନାବାଳକଙ୍କ ପରିବାର କହିଥିଲେ । ଏହାକୁ ନାବାଳିକାଙ୍କ ପରିବାର ମାନିନଥିଲେ । ଘଟଣା ନେଇ ଅକ୍ଟୋବର ୧୬ ତାରିଖରେ କୂଳ ସଭା ଆୟୋଜନ କରାଯାଇଥିଲା । ସଭା ଚାଳଇଥିବା ସମୟରେ ହଠାତ ବର୍ଷା ହେବାରୁ ସଭା ଭାଙ୍ଗି ଯାଇଥିଲା । ସଭାରେ କୌଣସି ସୁଫଳ ନମିଳିବାରୁ ଗ୍ରାମର ୨ ଗୋଷ୍ଠୀ ଉତକ୍ଷିପ୍ତ ହୋଇ ଠେଙ୍ଗା, ବାଡ଼ିରେ ଆକ୍ରମଣ ଓ ପ୍ରତି ଆକ୍ରମଣ କରିଥିଲେ । ଗଣ୍ଡଗୋଳରେ ଉଭୟ ଗୋଷ୍ଠୀର ପ୍ରାୟ ୧୦ ଜଣ ଆହତ ହୋଇଥିବା ବେଳେ ଗୋଟିଏ ଗୋଷ୍ଠୀର ଠେଙ୍ଗା ମାଡ଼ରେ ଅପର ଗୋଷ୍ଠୀର ବଙ୍ଗାଳି ଦାସ ଗୁରୁତର ଆହତ ହୋଇଥିଲେ । ସ୍ଥାନୀୟ ଗ୍ରାମବାସୀ ଆହତ ବୃଦ୍ଧଙ୍କୁ ଘଟଣା ସ୍ଥଳରୁ ଉଦ୍ଧାର କରି ଚିକିତ୍ସା ସକାଶେ ବେଲଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିଲେ । ଅବସ୍ଥା ଗୁରୁତର ଥିବାରୁ ଅଧିକ ଚିକିତ୍ସା ସକାଶେ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା । ଗତ ୨୨ ତାରିଖରେ ଅବସ୍ଥା ସଙ୍କଟାପନ୍ନ ହେବାରୁ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା । ଚିକିତ୍ସାରେ କୌଣସି ଉନ୍ନତି ନଘଟିବାରୁ ଗୁରୁବାର ରାତିରେ ପରିବାର ସଦସ୍ୟ ବୃଦ୍ଧଙ୍କୁ ଘରକୁ ନେଇ ଆସିଥିଲେ । ଶୁକ୍ରବାର ସକାଳେ ବୃଦ୍ଧଙ୍କ ମୃତ୍ୟୁ ଘଟିଥିଲା । ଖବର ପାଇ ହିଂଜିଳି ପୋଲିସ ବେଲଗାଁରେ ପଂହଚି ଶବକୁ ଜବତ କରି ବ୍ୟବଛେଦ ସକାଶେ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାକୁ ପଠାଇଥିଲେ । ବୃଦ୍ଧଙ୍କ ମୃତ୍ୟୁ ପରେ ଗ୍ରାମରେ ଚାପା ଉତେଜନା ଲାଗି ରହିଥିବା ଜଣାପଡ଼ିଛି । ପ୍ରକାଶ ଥାଉକି, ଘଟଣା ନେଇ ଗ୍ରାମର ଉଭୟ ଗୋଷ୍ଠୀଙ୍କ ପକ୍ଷରୁ ଥାନାରେ ଏତାଲା ଦିଆଯାଇଥିଲା । ଥାନାରେ ନଂ ୨୭୯, ୨୮୦/୧୯ରେ ୨ଟି ମାମଲା ରୁଜୁ କରି ପୋଲିସ ଘଟଣାର ତଦନ୍ତ ଚଳାଇଥିଲା ।
















