Saturday, November 21, 2026
ADVERTISEMENT
Home ଆଞ୍ଚଳିକ ସହରରେ ନାହିଁ ପାର୍କିଂ ଜୋନ ବେଆଇନ ପାର୍କିଂ ଫି ଆଦାୟ, ବଢୁଛି ଜନଅସନ୍ତୋଷ

ସହରରେ ନାହିଁ ପାର୍କିଂ ଜୋନ ବେଆଇନ ପାର୍କିଂ ଫି ଆଦାୟ, ବଢୁଛି ଜନଅସନ୍ତୋଷ

289
ADVERTISEMENT

ହିଞ୍ଜିଳିକାଟୁ, ୨୩ା୧୦ (ଡି.ଏଚ/ଶେଷଦେବ ସାହୁ): ଗଞ୍ଜାମ ଜିଲ୍ଲାର ୨ୟ ବୃହତମ ସହର ଭାବେ ହିଞ୍ଜିଳିକାଟୁ ସହର ପରିଚିତ । ସ୍ଥାନୀୟ ପୌରାଂଚଳରେ କୌଣସି ସ୍ଥାନରେ ପାର୍କିଂ ଜୋନ ନାହିଁ । ପୌରାଂଚଳର ଆୟତନ ଓ ଜନସଂଖ୍ୟା ତୁଳନାରେ ଗାଡ଼ି ମୋଟର ସଂଖ୍ୟା ଯଥେଷ୍ଟ ଅଧିକ । ଗଞ୍ଜାମ ଜିଲ୍ଲାର ୨ୟ ବୃହତମ ସହର ଭାବେ ପରିଚିତ ଥିବାରୁ ପ୍ରତ୍ୟେହ ସ୍ଥାନୀୟ ସହରକୁ ନିକଟସ୍ଥ ଶେରଗଡ଼, କଙ୍କୋରଡ଼ା, ପିତଳ ସମେତ ନିକଟବର୍ତି ପ୍ରାୟ ୪୦ରୁ ଉଦ୍ଧ୍ୱର୍ ଗ୍ରାମାଂଚଳର ଛୋଟବଡ଼ ବ୍ୟବସାୟୀ ବାଣିଜ କାରବାର କରିବା ପାଇଁ ହିଂଜିଳିକାଟୁ ସହରକୁ ଆସିଥାନ୍ତି । ଏପରିକି ହିଂଜିଳିକାଟୁ ବ୍ଳକ ବୁରୁପୋଡ଼ା, ଖଣ୍ଡରା, ଚାନ୍ଦୁଲି, ସିକିରି, ରାଳବ, ଶାସନଆମ୍ବଗାଁ ଖରିଡ଼ା, ଆଲପୁର ଆଦି ଅଂଚଳରୁ ପ୍ରଚୁର ପନିପରିବା ଫସଲ ଆମଦାନୀ କରାଯାଇ ବ୍ରହ୍ମପୁର, ଛତ୍ରପୁର, ଆସିକା, ପୁରୁଷୋତମପୁର, କବିସୂର୍ଯ୍ୟନଗର, ଶେରଗଡ଼, ସୋରଡ଼ା, ଭଂଜନଗର ସମେତ ଗଂଜାମ ଜିଲ୍ଲା ଓ ନିକଟବର୍ତି ଜିଲ୍ଲାକୁ ରପ୍ତାନି କରଯାଇଥାଏ । ଭୋରରୁ ନିକଟସ୍ଥ ଗ୍ରାମାଂଚଳର ପରିବା ଚାଷୀ ମାନେ ମୋପେଡ଼, ବାଇକ, ରିକ୍ସା, ଅଟୋ, ମିନିଟ୍ରକ ସହାୟତାରେ ସ୍ଥାନୀୟ ହୋଲସେଲ ପରିବା ବଜାରକୁ ବିକ୍ରି କରିବା ପାଇଁ ଆଣିଥାନ୍ତି । ଗଂଜାମ ଜିଲ୍ଲାାର ବିଭିନ୍ନ ଅଂଚଳରୁ ବ୍ୟବସାୟୀ ମାନେ ପନିପରିବା କ୍ରୟ କରି ନିଜ ଅଂଚଳରେ ବିକ୍ରି କରିବା ଉଦେ୍ଧ୍ୟଶରେ ଆସିଥିବା ବେପାରୀ ମାନେ ମଧ୍ୟ ସେମାନଙ୍କ ଗାଡ଼ି ମୋଟର ଆସୁଥିବାରୁ ଭୋର ୬ ଟାରୁ ଅପରାହ୍ନ ୪ ଟା ପର୍ଯ୍ୟନ୍ତ ଗାଡ଼ି ମୋଟର ସଂଖ୍ୟା ଆଶାତିତ ଭାବେ ବୃଦ୍ଧି ପାଉଛି । ସହରର କୌଣସି ସ୍ଥାନରେ ପାର୍କି ସ୍ଥାନ ନଥିବାରୁ ବ୍ୟବସାୟୀ ମାନେ ସେମାନଙ୍କ ଗାଡ଼ି ମୋଟର ପୌରାଂଚଳ ପରିବା ବଜାର ନିକଟସ୍ଥ ଆହାର କେନ୍ଦ୍ର ସମ୍ମୁଖ ଭାଗ ଏବଂ ମଧୁବାବୁ କମ୍ପେ୍ଳକ୍ସ ନିକଟରେ ପାର୍କିଂ କରିଥାନ୍ତି । ଏପରିକି ବହୁ ୬ ଓ ୧୦ ଚକିଆ ଟ୍ରକ ଗୁଡ଼ିକ ସରକାରୀ ବୃନ୍ଦାବନ ବିଦ୍ୟାଳୟ ଓ କେନ୍ଦ୍ରୀୟ ବିଦ୍ୟାଳୟ ସମ୍ମୁଖରେ ବେଆଇନ ଭାବେ ପାର୍କିଂ କରିଥାନ୍ତି । ଯଦ୍ୱାରା ସହର ମଧ୍ୟରେ ଗୁରୁତର ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି । ସହରର କିଛି ବ୍ୟକ୍ତି ବିଶେଷ, ସ୍ଥାନୀୟ ପୌରପରିଷଦ କର୍ମଚାରୀଙ୍କ ସହ ଅସାଧୁ ମେଂଟ କରି ଜୋର ଜବରଦସ୍ତ ମୋଟା ଅଙ୍କର ପାର୍କିଂ ଫି ଆଦାୟ କରୁଥିବାର ଦେଖିବାକୁ ମିଳୁଛି । ୨ ଚକିଆ ଯାନ ଠାରୁ ୩୦ ଟଙ୍କା, ୩ ଚକିଆ ଯାନ ଠାରୁ ୫୦ ଟଙ୍କା ଏବଂ ୬ ଚକିଆ କିମ୍ବା ତା ଠାରୁ ଉଦ୍ଧ୍ୱର୍ ଗାଡ଼ି ମୋଟର ଠାରୁ ୬୦ ରୁ ୮୦ ଟଙ୍କା ପର୍ଯ୍ୟନ୍ତ ବେଆଇନ ଭାବେ ପାର୍କି ଫି ଆଦାୟ କରାଯାଉଥିବାର ଜଣାପଡ଼ିଛି । ବେଆଇନ ଭାବେ ପାର୍କିଂଫି ଆଦାୟ କରାଯାଉଥିବାରୁ ଦିନକୁ ଦିନ ଜନଅସନ୍ତୋଷ ବଢିବାରେ ଲାଗିଛି । ଏଥିପ୍ରତି ପୌରପ୍ରଶାସନ ଦୃଷ୍ଟିପ୍ରଦାନ କରି ଆବଶ୍ୟକୀୟ କାର୍ଯ୍ୟପନ୍ଥା ଗ୍ରହଣ କରିବାକୁ ଅଂଚଳର ବୁଦ୍ଧିଜୀବି ମହଲରେ ମତପ୍ରକାଶ ପାଇଛି ।

Advertisement