ଅନୁନ୍ନତ ଜିଲ୍ଲାରେ ସରକାରଙ୍କ ଶିଳ୍ପ ପ୍ରତିଷ୍ଠା ଲକ୍ଷ୍ୟ ମନ୍ଥର

233
ADVERTISEMENT

ଅନୁମୋଦିତ ମିଳିଥିବା ୧୨ଟି ଶିଳ୍ପରୁ କାର୍ଯ୍ୟକ୍ଷମ ହୋଇଛନ୍ତି ୩

ଭୁବନେଶ୍ବର ୧/୭ (ଡ଼ିଏଚବି): ଉପାନ୍ତ ଓ ପଶ୍ଚିମ ଓଡ଼ିଶାର ଜିଲ୍ଲାରେ ନିଯୁକ୍ତି ସୁଯୋଗ ନ ମିଳିବାରୁ ପ୍ରତିବର୍ଷ ବାହାର ରାଜ୍ୟକୁ ନିଯୁକ୍ତି ଅନ୍ବେଷଣରେ ଯାଉଛନ୍ତି ହଜାର ହଜାର ଯୁବକ। ଶ୍ରମିକ ଚାଲାଣ ରୋକିବାକୁ ଶିଳ୍ପ ଅନୁନ୍ନତ ଜିଲ୍ଲାରେ ପର୍ଯ୍ୟାପ୍ତ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାକୁ ସରକାର ସେସବୁ ଜିଲ୍ଲାରେ ଶିଳ୍ପ ପ୍ରତିଷ୍ଠା କରିବାକୁ ଯୋଜନା କଲେ। ଅନଗ୍ରସର ଜିଲ୍ଲାଗୁଡ଼ିକୁ ସରକାର ଚିହ୍ନଟ କରି ୧୧ଟି ଜିଲ୍ଲାରେ ୧୨ଟି ଶିଳ୍ପ ପ୍ରତିଷ୍ଠା ପାଇଁ ଅନୁମୋଦନ କରିଛନ୍ତି। ୨୦ ହଜାର ୮୨୦ କୋଟି ଟଙ୍କାର ପୁଞ୍ଜିନିବେଶ ସହିତ ୨୨ ହଜାର ୮୭୬ ନିଯୁକ୍ତି ସୁଯୋଗ ସୃଷ୍ଟି ହେବା ନେଇ ସରକାର ଆକଳନ କଲେ। କିନ୍ତୁ ଗତ ୫ ବର୍ଷ ଭିତରେ ମାତ୍ର ୩ଟି ଶିଳ୍ପ କାର୍ଯ୍ୟକ୍ଷମ ହୋଇପାରିଛି। ରାଜ୍ୟ ସରକାରଙ୍କ ୨୦୧୫ ଶିଳ୍ପନୀତି ଅନୁଯାୟୀ କଳାହାଣ୍ଡି, ନୂଆପଡ଼ା, ବଲାଙ୍ଗୀର, ସୁବର୍ଣ୍ଣପୁର, କୋରାପୁଟ, ମାଲକାନଗିରି, ରାୟଗଡ଼ା, ନବରଙ୍ଗପୁର, କନ୍ଧମାଳ, ଗଜପତି ଓ ମୟୂରଭଞ୍ଜ ଜିଲ୍ଲାରେ ଶିଳ୍ପ ପ୍ରତିଷ୍ଠା ପାଇଁ ସିଙ୍ଗଲ ଵିଣ୍ଡୋ ଜରିଆରେ ୧୨ଟି ଶିଳ୍ପ ଅନୁମୋଦନ ପାଇଥିଲା। ଏସବୁ ଶିଳ୍ପ ପ୍ରତିଷ୍ଠା ହେଲେ ୨୦ ହଜାର ୮୨୦ କୋଟି ୪୭ ଟଙ୍କାର ପୁଞ୍ଜି ନିବେଶ ହେବ ବୋଲି ସରକାର ଆକଳନ କରିଥିଲେ। କିନ୍ତୁ ଏ ଯାଏ ଶିଳ୍ପାୟନ ପ୍ରକ୍ରିୟା ଆଗେଇ ପାରି ନାହିଁ। ବିଧାନସଭାରେ ମଧ୍ୟ ଶିଳ୍ପମନ୍ତ୍ରୀଙ୍କଠାରୁ ମିଳିଥିବା ତଥ୍ୟରୁ ଏହା ସ୍ପଷ୍ଟ ହୋଇଛି।

ଭାରତ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡ ପକ୍ଷରୁ ବଲାଙ୍ଗୀରଠାରେ ଏଲପିଜି ଷ୍ଟୋରେଜ୍ ଓ ସିଲିଣ୍ଡର ବଟଲିଂ ପ୍ଲାଣ୍ଟ ପାଇଁ ଅନୁମୋଦନ ମିଳିଥିଲା। ୧୦୦ କୋଟି ଟଙ୍କା ବ୍ୟୟରେ ଏହି ପ୍ଲାଣ୍ଟରେ ୧୭୮ଜଣ ସିଧାସଳଖ ନିଯୁକ୍ତି ପାଇବା ନେଇ ମଧ୍ୟ ଆକଳନ କରାଯାଇଛି। କଳାହାଣ୍ଡିରେ ଆଲୁମିନା ଉତ୍ପାଦନ ପାଇଁ ବେଦାନ୍ତ ଲିମିଟେଡ ପକ୍ଷରୁ ଲାଞ୍ଜିଗଡ଼ର ବିଶ୍ବନାଥପୁରରେ ୬ ହଜାର ୪୮୩ କୋଟି ଟଙ୍କା ବ୍ୟୟରେ ୧ ଏମଏମଟିପିଏ କ୍ଷମତାରୁ ୬ ଏମଏମଟିପିଏ ସଂପ୍ରସାରଣ ପ୍ଲାଣ୍ଟ୍ ପାଇଁ ମଞ୍ଜୁରି ମିଳିଛି। ଏହି ସଂପ୍ରସାରଣ ପ୍ଲାଣ୍ଟ୍ ପ୍ରତିଷ୍ଠା ହେଲେ ୯ ହଜାର ୪୯୪ ଜଣଙ୍କୁ ନିଯୁକ୍ତି ମିଳିବ ବୋଲି ସରକାର ଆକଳନ କରିଥିଲେ। ତେବେ ସଂପ୍ରସାରଣ ପ୍ଲାଣ୍ଟ ପାଇଁ ଜମି ମଞ୍ଜୁର ହୋଇଥିଲେ ବି କାର୍ଯ୍ୟ ଆରମ୍ଭ ହୋଇପାରିନି। ଶିଳ୍ପ ବିଭାଗର ଜଣେ ଅଧିକାରୀଙ୍କ କହିବା କଥା ବେଦାନ୍ତକୁ ଜମି ମିଳିଥିଲେ ବି କଞ୍ଚାମାଲ ଯୋଗାଣ ନେଇ ନିଷ୍ପତ୍ତି ହୋଇପାରିନି। ଯାହାଯୋଗୁ ସଂପ୍ରସାରଣ ପ୍ଲାଣ୍ଟ ପ୍ରତିଷ୍ଠା ହେଲେ ବି ଉତ୍ପାଦନକ୍ଷମ ହେବାରେ ବିଳମ୍ବ ଘଟିବ। ମୋଟ ୯ଟି ଶିଳ୍ପ ପ୍ରତିଷ୍ଠା ହେବା ବାକିଥିବା ବେଳେ ବଲାଙ୍ଗୀରରେ ସଦିପଲ୍ଲୀ ସୋଲାର ପ୍ରାଇଭେଟ ଲିମିଟେଡ, ପାଟଣାଗଡ଼ରେ ଜ୍ୟୋତି ସୋଲାର ସଲ୍ୟୁସନ୍ ଓ ରାୟଗଡ଼ାରେ ଉତ୍କଳ ଆଲୁମିନା ଇଣ୍ଟରନ୍ୟାସନାଲ ଲିମିଟେଡ୍‌ ପକ୍ଷରୁ ପ୍ରତିଷ୍ଠା ହୋଇଥିବା ପ୍ଲାଣ୍ଟ ଉତ୍ପାଦନକ୍ଷମ ହୋଇଛି।

ରାଜ୍ୟରେ ପୁଞ୍ଜିନିବେଶକୁ ଆକୃଷ୍ଟ କରିବା ପାଇଁ ୨୦୧୬ ଓ ୨୦୧୮ରେ ରାଜ୍ୟ ସରକାର ମେକ-ଇନ୍ ଓଡ଼ିଶା କନକ୍ଲେଭ କରିଥିଲେ। ୨୦୧୬ରେ ସରକାର ୨ ଲକ୍ଷ ୩ ହଜାର ୨୩୫ କୋଟି ପୁଞ୍ଜିନିବେଶର ପ୍ରସ୍ତାବ ପାଇଥିବାବେଳେ ୨୦୧୮ରେ ୪ ଲକ୍ଷ ୨୩ ହଜାର ୧୧୪ କୋଟି ୫୩ ଲକ୍ଷ ଟଙ୍କାର ପୁଞ୍ଜିନିବେଶ ପ୍ରସ୍ତାବ ପାଇଥିଲେ। ମେକ ଇନ୍ ଓଡ଼ିଶା ପାଇଁ ସରକାର ୨୦୧୫ରେ ନୂଆ ଶିଳ୍ପନୀତି ବି ସରକାର ଘୋଷଣା କଲେ। ସେହି ଅନୁଯାୟୀ କୃଷି, ବୟନ ଓ ପୋଷାକ, ପର୍ଯ୍ୟଟନ, ଖାଦ୍ୟ ପ୍ରକ୍ରିୟାକରଣ, ଏମ୍‌ଏସ୍‌ଏମ୍‌ଇ, ପେଟ୍ରୋକେମିକାଲ୍ସ ଆଦି ୬ଟି କ୍ଷେତ୍ରକୁ ଅଧିକ ଗୁରୁତ୍ବ ଦେଇ ପୁଞ୍ଜି ନିବେଶ କରିବା ପାଇଁ ଯୋଜନା କରିଛନ୍ତି। ଶିଳ୍ପ ପାଇଁ ପ୍ରସ୍ତାବ ଅନୁମୋଦନ ପରେ ଶିଳ୍ପ ପ୍ରତିଷ୍ଠା ନିମନ୍ତେ ବିଭିନ୍ନ ମଞ୍ଜୁରି ଆଣିବାକୁ ସରକାରୀ ଅଫିସକୁ ଯେପରି ଦୌଡ଼ିବାକୁ ନ ପଡ଼ିବ ସେଥିପାଇଁ ସେଥିପାଇଁ ଗୋ-କେୟାର, ଗୋ-ପ୍ଲସ୍, ଗୋ-ସ୍ମାଇଲ ଓ ଗୋ-ସ୍ବିଫ୍ଟର ଅନଲାଇନ ବ୍ୟବସ୍ଥା ସରକାର କରିଛନ୍ତି। ବର୍ତ୍ତମାନ ପ୍ରଶ୍ନ ଉଠୁଛି, ଏତେ ସବୁ ଥିବା ବ୍ୟବସ୍ଥା ସତ୍ତ୍ବେ ଅନଗ୍ରସର ଜିଲ୍ଲାରେ ଶିଳ୍ପାୟନ କାହିଁକି ତ୍ବରାନ୍ବିତ ‌େହାଇପାରୁ ନାହିଁ? ଶିଳ୍ପାୟନର ବାଟ ଓଗାଳୁଛି କିଏ? ଅଧିକାରୀମାନଙ୍କ ଆନ୍ତରିକତାର ଅଭାବ ନା ସରକାରଙ୍କ ଉପର ଠାଉରିଆ କାମ ?

Advertisement