ବ୍ରହ୍ମପୁର ୧/୭ (ଡ଼ିଏଚବି): ଓଡ଼ିଆ ଭାଷା, ସାହିତ୍ୟ ଆନ୍ଦୋଳନ କ୍ଷେତ୍ରରେ ଉତ୍କଳ ସମ୍ମିଳନୀ ଓ ଉତ୍କଳ ସାହିତ୍ୟ ସମାଜର ଅବଦାନ ଅତୁଳନୀୟ। ଫରକ ଏତିକି ଯେ, ଉତ୍କଳ ସମ୍ମିଳନୀ ଏକ ରାଜନୈତିକ ଆନ୍ଦୋଳନ ହୋଇଥିବା ବେଳେ ଉତ୍କଳ ସାହିତ୍ୟ ସମାଜ ଭାଷାଭିତ୍ତିକ ଆନ୍ଦୋଳନ। ସାହିତ୍ୟିକମାନେ ରାଜନୀତିରୁ ଊର୍ଦ୍ଧ୍ବରେ ବୋଲି ରାଜେନେତାମାନେ ଭାବନ୍ତି। ରାଜନୀତିରେ ସଂଖ୍ୟା ଖେଳ ଆରମ୍ଭ ହେବା ପରେ ସାହିତ୍ୟିକମାନେ କିଛିଟା ପଛରେ ପଡ଼ି ଯାଇଥିଲେ। ସାହିତ୍ୟିକମାନେ ଏହି ସଂଖ୍ୟା ଜୁଟାଇ ପାରିଲେ ନାହିଁ। ତେଣୁ ଉଭୟଙ୍କ ମଧ୍ୟରେ ଦୂରତା ବଢ଼ିଯାଇଛି। କିନ୍ତୁ ମୋ’ ମତରେ ସାହିତ୍ୟ ଓ ରାଜନୀତି ଅଙ୍ଗାଙ୍ଗୀ ଭାବେ ଜଡ଼ିତ ଓ ପରିପୂରକ ବୋଲି କହିଛନ୍ତି ‘ସମ୍ବାଦ’ର ସଂପାଦକ ତଥା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ। ସାହିତ୍ୟ ଓ ରାଜନୀତି ଜଡ଼ିତ ହେଲେ ଉଭୟଙ୍କ ମଧ୍ୟରେ ଥିବା ଦୂରତା ହ୍ରାସ ପାଇବ ବୋଲି ଶ୍ରୀଯୁକ୍ତ ପଟ୍ଟନାୟକ ମତ ବ୍ୟକ୍ତ କରିଛନ୍ତି। ଉତ୍କଳ ସାହିତ୍ୟ ସମାଜର ସଭାପତି ଡ. ବିଜୟାନନ୍ଦ ସିଂହଙ୍କ ସଭାପତିତ୍ବରେ ଅନୁଷ୍ଠିତ ସାରସ୍ବତ ସମାବେଶ ଅବସରରେ ଆଜି ବିଶିଷ୍ଟ ସାରସ୍ବତ ସାଧକ ପ୍ରଫେସର ସୁଦର୍ଶନ ଆଚାର୍ଯ୍ୟଙ୍କୁ ସାହିତ୍ୟଭୂଷଣ ସମ୍ମାନରେ ସମ୍ମାନିତ କରାଯାଇଛି।
ମୁଖ୍ୟବକ୍ତା ଭାବେ କ୍ଷେତ୍ରମୋହନ ମହାବିଦ୍ୟାଳୟ ଓଡ଼ିଆ ବିଭାଗ ଅଧ୍ୟାପକ ଡ. ହୃଷୀକେଶ ପଣ୍ଡା ଯୋଗଦେଇ ପ୍ରଫେସର ଆଚାର୍ଯ୍ୟଙ୍କ ସାହିତ୍ୟକୃତି ଓ ଗବେଷଣା ଉପରେ ସୂଚନା ଦେଇଥିଲେ। ସାହିତ୍ୟଭୂଷଣରେ ସମ୍ମାନିତ ହୋଇଥିବା ପ୍ରଫେସର ଆଚାର୍ଯ୍ୟ କୃତଜ୍ଞତା ପ୍ରକାଶ କରିବା ସହ ଏହି ସମ୍ମାନକୁ ସମସ୍ତଙ୍କୁ ସମର୍ପିତ କରିଥିଲେ। ସମ୍ମାନ ପାଇବା ହେଉଛି ଆଗକୁ ବଢ଼ିବାର ଏକ ପ୍ରେରଣାର ଉତ୍ସ। ଗବେଷଣା କ୍ଷେତ୍ରରେ ଯେଉଁମାନେ ତାଙ୍କୁ ସହଯୋଗ କରିଛନ୍ତି ସେମାନେ ସମସ୍ତେ ଏହି ସମ୍ମାନର ଭାଗୀଦାର ବୋଲି ପ୍ରଫେସର ଆଚାର୍ଯ୍ୟ କହିଥିଲେ। ସେହିପରି ଉତ୍କଳ ସାହିତ୍ୟ ସମାଜ ପକ୍ଷରୁ ସର୍ବାଧିକ ଭୋଟରେ ବିଜୟୀ ହୋଇ ବିଧାୟକ ହୋଇଥିବାରୁ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ବିଭିନ୍ନ ସାହିତ୍ୟ ଅନୁଷ୍ଠାନ ପକ୍ଷରୁ ମଧ୍ୟ ଶ୍ରୀ ପଟ୍ଟନାୟକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ପ୍ରାରମ୍ଭରେ ଆବାହକ ସୁଶାନ୍ତ ଦାଶ ପ୍ରାରମ୍ଭିକ ସୂଚନା ଦେଇଥିଲେ। ଉପସଭାପତି ସୁଶାନ୍ତ ନାୟକ ଅତିଥି ପରିଚୟ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ସାଧାରଣ ସମ୍ପାଦକ ଡ. ଗୋବିନ୍ଦ ଚନ୍ଦ୍ର ଚାନ୍ଦ, ସଂଯୋଜକ ବଳରାମ ସ୍ବାଇଁ, ସଙ୍ଗଠନ ସମ୍ପାଦକ ଜୀବନାନନ୍ଦ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।