ପୁରୁଷୋତ୍ତମପୁର, ୨୧/୬ (ଡିଏଚବି): ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ସମା ଗ୍ରାମର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ରୋଗୀ କଲ୍ୟାଣ ସମିତି ଦ୍ୱାରା ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ ଅବସରରେ ଯୋଗ ଅଭ୍ୟାସ ଶିବିର ଅନୁଷ୍ଠିତ ହୋଇଥିଲା | କାର୍ଯ୍ୟକ୍ରମରେ ଆୟୁଷ ଡାକ୍ତର ରବିନ୍ଦ୍ରନାଥ ଗନ୍ତାୟତ ଅଧ୍ୟକ୍ଷତା କରିଥିଲେ | ତାଙ୍କ ବକ୍ତବ୍ୟରେ ସେ କହିଥିଲେ ଯେ, ନିୟମିତ ଯୋଗାସନ, ବ୍ୟାୟାମ ଏବଂ ଦିନଚର୍ଯ୍ୟା ଅଭ୍ୟାସ କରିବା ଦ୍ୱାରା ଅତି ଭୟାନକ ରୋଗ ଯଥା କର୍କଟ, ଡାଇବେଟିସ, ରକ୍ତଚାପ, ଥାଇରଏଡ ଭଳି ମାରାତ୍ମକ ରୋଗ ଆସିବାକୁ ଭୟ କରିଥାଏ | ଏହି ଯୋଗାସନ ପଦ୍ଧତି ଦ୍ୱାରା ଅତି ନିପଟ ଗରିବ ଶ୍ରେଣୀର ଲୋକଙ୍କଠାରୁ ଧନୀଶ୍ରେଣୀର ଲୋକଙ୍କ ପର୍ଯ୍ୟନ୍ତ ସମସ୍ତେ ବିନାମୂଲ୍ୟରେ ଶରୀରକୁ ସୁସ୍ଥ ରଖିପାରନ୍ତି | ତେଣୁ, ଏହି ପୁରାତନ ପଦ୍ଧତିକୁ କେବଳ ଭାରତ କାହିଁକି ସାରା ବିଶ୍ୱର ୧୨0 ଟି ଦେଶ ଆପଣାଇ ନେଇଛନ୍ତି | ତେଣୁ, ଆଜିର ଦିନ ଜୁନ ୨୧ତାରିଖକୁ ଯୋଗ ଦିବସ ରୂପେ ସାରା ବିଶ୍ୱ ପାଳନ କରୁଛନ୍ତି |

ପ୍ରାତଃ ୮ଘଣ୍ଟା ସମୟରେ ଯୋଗ ଶିକ୍ଷୟତ୍ରୀ ସୁଶ୍ରୀ ପୂର୍ଣ୍ଣବାସୀ ଗୌଡ଼ ଉପସ୍ଥିତ ଯୋଗପ୍ରେମୀମାନଙ୍କୁ ଯୋଗର ନିତ୍ୟ ଅଭ୍ୟାସ ନିମନ୍ତେ ଆସନ ପ୍ରାଣାୟାମ ଗୁଡିକର ଶିକ୍ଷା ଦେଇଥିଲେ | ଉକ୍ତ କାର୍ଯ୍ୟକ୍ରମରେ, ସ୍ଥାନୀୟ ବିଧାୟକା ଶ୍ରୀମତୀ ଲତିକା ପ୍ରଧାନ ଯୋଗଦେଇ ଆସନ ପ୍ରାଣାୟାମ ମାଧ୍ୟମରେ ମାନସିକ ରୋଗୀ ନିଜମନକୁ ଶାନ୍ତ ରଖିପାରେ ଏବଂ ବିଶେଷ କରି ମହିଳାମାନଙ୍କ ସ୍ୱାସ୍ଥ୍ୟ ନିମନ୍ତେ ଯୋଗାସନ ପ୍ରାଣାୟାମ ନିତାନ୍ତ ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ | ଅନ୍ୟତମ ସମ୍ମାନିତ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷ ସୂର୍ଯ୍ୟ ନାରାୟଣ ପଣ୍ଡା, ଉପସ୍ଥିତ ରହି ଯୋଗର ଉପକାରିତା ବିଷୟରେ ବୁଝାଇଥିଲେ | ସେହିପରି ମନୋଜ ଭୂୟାଁ ତଥା ଭାଟକୁମରଡ଼ା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଡ଼ା. ବି.କ୍ରିଷ୍ଣା, ବି.ପି.ଏମ ରାଧାକୃଷ୍ଣ ସାବତ, ପିଏଚଇଓ ନମିତା ପାତ୍ର, ସମା ଯୁବ ବାହିନୀ ସଭାପତି ବିଭୂତିଭୂଷଣ ବିଷୋୟୀ, ଚିଙ୍ଗୁଡିଘାଇ ପୂର୍ବତନ ସରପଞ୍ଚ ପ୍ରଶାନ୍ତ ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ | ମାନ୍ୟବର ବିଧାୟିକା ଲତିକା ପ୍ରଧାନଙ୍କ ଦ୍ୱାରା ମେଡିକାଲ ପରିସରରେ ବୃକ୍ଷରୋପଣ କରାଯାଇଥିଲା |

ପୁରୁଷୋତ୍ତମପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଦ୍ୱାରା ପ୍ରେରିତ ସାଂସ୍କୃତିକ କାର୍ଯ୍ୟକ୍ରମ ଦାସକାଠିଆ ମାଧ୍ୟମରେ ସ୍ଥାନୀୟ ଜନସାଧାରଣଙ୍କୁ ଯୋଗର ପ୍ରଚାର କରାଯାଇଥିଲା | ଏହି କାର୍ଯ୍ୟକ୍ରମକୁ ଆୟୁଷ ଡାକ୍ତର ଡା. ରବିନ୍ଦ୍ରନାଥ ଗନ୍ତାୟତ ପରିଚାଳନା କରିଥିବାବେଳେ ସ୍ୱାସ୍ଥ୍ୟକର୍ମୀ ସଞ୍ଜୟ ରେଡ୍ଡୀ, ଶୁକଦେବ ନାୟକ, ବନିତା ବେହେରା, ବିଜୟଲକ୍ଷ୍ମୀ ସାହୁ, ଆଶା କର୍ମୀ, ଅଙ୍ଗନବାଡି କର୍ମୀ ଓ ଯୁବ ବାହିନୀର ସମସ୍ତ କାର୍ଯ୍ୟକର୍ତ୍ତା ତଥା ସମା ଗ୍ରାମର ଜନ ସାଧାରଣ ଉପସ୍ଥିତ ରହି ସହଯୋଗ କରିଥିଲେ | ପରିଶେଷରେ ମେଡିକାଲର ମହିଳା ସ୍ୱାସ୍ଥ୍ୟକର୍ମୀ ଅଳକାରାଣୀ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ |