ହିଞ୍ଜିଳିକାଟୁ, ୧୯/୬ (ଶେଷଦେବ ସାହୁ): ସ୍ୱାମୀଙ୍କ ମୃତ୍ୟୁ ପରେ ବିବାହର ପ୍ରତିଶୃତି ଦେଇ ବିଧବା ଭାଉଜଙ୍କୁ ଦୁଷ୍କର୍ମ ଓ ପରେ ପ୍ରତାରଣା କରିବା, ସର୍ମ୍ପକୀୟ ଦିଅରଙ୍କୁ ମହଙ୍ଗା ପଡ଼ିଛି । ଏଭଳି ଏକ ଘଟଣା ହିଞ୍ଜିଳି ଥାନା ଠୁରୁବୁରାଇ ଗ୍ରାମରେ ଆଲୋଡ଼ନ ସୃଷ୍ଟି କରିଛି । ବିଧବା ମହିଳାଙ୍କ ଅଭିଯୋଗ କ୍ରମେ ହିଂଜିଳି ଥାନା ନଂ- ୧୪୮/୧୯ ରେ ଏକ ମାମଲା ରୁଜୁ କରି ପୋଲିସ ସର୍ମ୍ପକୀୟ ଦିଅରଙ୍କୁ ଗିରଫ କରିଛି । ଗିରଫ ଜଣକ ହିଞ୍ଜିଳି ଥାନା ଠୁରୁବୁରାଇ ଗ୍ରାମର ଲଡ଼ୁ ଗୌଡ଼ଙ୍କ ପୁଅ କାହ୍ନୁ ଗୌଡ଼(୨୮) । ଅଭିଯୁକ୍ତ ଦିଅରଙ୍କୁ ମଙ୍ଗଳବାର ଦିନ କୋର୍ଟ ଚାଲାଣ କରାଯାଇଛି । ତେବେ, କୋର୍ଟରେ ଜାମିନ ନାମଞ୍ଜୁର ହେବାରୁ ଜେଲ ହାଜତକୁ ପଠାଇ ଦିଆଯାଇଥିବା ନେଇ ତଦନ୍ତକାରୀ ଅଧିକାରୀ ତଥା ଥାନା ଏସ.ଆଇ, ମମତା ସାମନ୍ତରାୟ କହିଛନ୍ତି ।
ପ୍ରକାଶ ଯେ, ଗତ ୨୦୧୧ ମସିହାରେ ହିଂଜିଳି ଥାନା ଠୁରୁବୁରାଇ ଗ୍ରାମର ସଙ୍ଗିତାଙ୍କ ସହ ସେହି ଗ୍ରାମର ନରସିଂହଙ୍କ ବିବାହ ହୋଇଥିଲା । ବିବାହର ୬ ବର୍ଷ ପରେ ଅର୍ଥାତ ୨୦୧୭ ମସିହାରେ ସ୍ୱାମୀ ନରସିଂହଙ୍କ ମୃତ୍ୟୁ ଘଟିଥିଲା । ସ୍ୱାମୀଙ୍କ ମୃତ୍ୟୁ ପରେ ବିଧବା ମହିଳା ଜଣକ ଶ୍ୱଶୁର ଘରେ ରହି ଆସୁଥିଲେ । ଏହାର ସୁଯୋଗ ନେଇ ବିଧବା ମହିଳାଙ୍କ ସର୍ମ୍ପକୀୟ ଦିଅର(ଦାଦା ଶ୍ୱଶୁରଙ୍କ ପୁଅ) କାହ୍ନୁ ଗୌଡ଼ ମହିଳାଙ୍କୁ ନିଜର ପ୍ରେମ ଜାଲରେ ଫସାଇ ବିବାହର ପ୍ରତିଶୃତି ଦେଇ ଶାରୀରିକ ସର୍ମ୍ପକ ରଖିଥିଲେ । ଗତ ୪ ମାସ ପୂର୍ବେ ମହିଳା ଜଣକ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ । ପୁତ୍ର ଜନ୍ମ ହେବା ପରେ ବିଧବା ମହିଳା ଜଣକ ନିଜ ସର୍ମ୍ପକୀୟ ଦିଅରଙ୍କୁ ବିବାହ କରିବାକୁ କହିବାରୁ, ସେ ପ୍ରତାରଣା କରିବା ସହ ବିବାହ କରିବାକୁ ମନା କରିଦେଇଥିଲେ । ଶ୍ୱଶୁର ଘର ପକ୍ଷରୁ କୌଣସି ପ୍ରକାର ସହଯୋଗ ନମିଳିବାରୁ ବାଧ୍ୟ ହୋଇ ବିଧବା ମହିଳା ଜଣକ ହିଞ୍ଜିଳି ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ଭିତ୍ତିରେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ପ୍ରକାଶ ଥାଉକି, ପୂର୍ବରୁ ମହିଳାଙ୍କ ଏକ ୬ ବର୍ଷର କନ୍ୟା ସନ୍ତାନ ମଧ୍ୟ ରହିଛି ।