ଭୁବନେଶ୍ୱର, ୨୧/୬(ନରେନ୍ଦ୍ର ଜେନା): ଆଜି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶା ଉପକୂଳ ଛୁଇଁଛି। ଏନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଆସନ୍ତା ୭୨ ଘଣ୍ଟା ମଧ୍ୟରେ ମୌସୁମୀ ବାୟୁ ସମଗ୍ର ଓଡ଼ିଶାକୁ ଆଚ୍ଛାଦିତ କରିବ। ତେବେ, ଆସନ୍ତା ୧୨ଘଣ୍ଟା ମଧ୍ୟରେ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ହେବ ବୋଲି ସତର୍କ ସୂଚନା ଜାରି କରାଯାଇଛି।
ପ୍ରଥମ ପର୍ଯ୍ୟାୟରେ ଦକ୍ଷିଣ ଓଡ଼ିଶାରେ ମୌସୁମୀ ବାୟୁ ସକ୍ରିୟା ହେବାସହିତ ଗଞ୍ଜାମ, ଗଜପତି କନ୍ଧମାଳ, ବୌଦ୍ଧ, କଳାହାଣ୍ଡି ଆଦି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏଥିସହିତ କେନ୍ଦ୍ରପଡ଼ା, ଜଗତ୍ସିଂହପୁର, କଟକ, ଖୋର୍ଦ୍ଧା, ବାଲେଶ୍ୱର, ଭଦ୍ରକ, ଅନୁଗୋଳ, ଢ଼େଙ୍କାନାଳ, ଯାଜପୁର ଆଦି ଜିଲ୍ଲାରେ ମଧ୍ୟ ମୌସୁମୀ ଜନିତ ବର୍ଷା ଲାଗିରହିବ। ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବା ଯୋଗୁଁ ମୌସୁମୀକୁ ଏହା ଅଧିକ ସକ୍ରିୟ କରିଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉପକୂଳ ସମେତ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ସେପଟେ ମୌସୁମୀ ଆଗମନ ପରେ ଉପକୂଳ ଓଡ଼ିଶାରେ ପାଗ ମେଘୁଆ ରହିବା ସହିତ ଝିପିଝିପିି ବର୍ଷା ଲାଗିରହିଛି।