ଭୁବନେଶ୍ୱର,୮/୭(ଡି.ଏଚ.ବି) : ଗତ ୬ ତାରିଖରେ ବେଦାନ୍ତର ଝାରସୁଗୁଡା କାରଖାନାରେ ହୋଇଥିବା ଅଗ୍ନିକାଣ୍ଡ ପରେ ରାଜ୍ୟ ସରକାର କାରଖାନା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । କାରଖାନାର ସ୍ମେଲଟର-୨ରେ ଥିବା ଗ୍ରୀନ ଆନୋଡ ପ୍ଲାଣ୍ଟ ବନ୍ଦ କରିବାକୁ ରାଜ୍ୟ ଫାକ୍ଟରୀ ଓ ବଏଲର ବିଭାଗ ସହକାରୀ ନିର୍ଦ୍ଦେଶକ ନିର୍ଦ୍ଦେଶ ଦେବା ସହ କମ୍ପାନିର ଅଗ୍ନୀ ନିରାପତ୍ତା ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଗତ ୬ ତାରିଖ ପୂର୍ବାହ୍ଣ ୧୦ଟା ୪୫ରେ ଏହି ଅଗ୍ନୀକାଣ୍ଡ ହୋଇଥିଲା । ଏହାଫଳରେ କାରଖାନାରେ କାମକରୁଥିବା ୭ ଜଣ ଶ୍ରମିକ ଆହତ ହୋଇଛନ୍ତି । ଏହି ଘଟଣାରେ ବିଶିକେସନ ପ୍ରଧାନ ନାମକ ଶ୍ରମିକଙ୍କ ଦୁଇ ହାତ ଜଳିଯାଇଥିଲା । ସେ ଏବେ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଏହା ତଦନ୍ତରୁ ଜଣଣାପଡିଛି ଯେ ଏନୋଡ ପ୍ଲାଣ୍ଟର ହିଟ ଟ୍ରାନ୍ସଫର ଅଏଲ ଲିକ୍ ହୋଇ ଏହି ଅଗ୍ନୀକାଣ୍ଡ ଘଟିଥିଲା । ପ୍ରାରମ୍ଭିକ ତଦନ୍ତ ପରେ କାରଖାନାର ସ୍ମେଲଟର-୨ରେ ଥିବା ଗ୍ରୀନ ଆନୋଡ ପ୍ଲାଣ୍ଟ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯିବା ସହ ଏକ ସ୍ୱାଧୀନ ଏଜେନ୍ସି ଦ୍ୱାରା ଆଗ୍ନୀ ନିରାପତ୍ତା ଯାଞ୍ଚ ପାଇଁ ନିର୍ଦ୍ଦେଶ ଦିଆଯାଇଛି ।