ନୂଆଦିଲ୍ଲୀ,୧୫-୦୭-୨୦୨୦: କୋଭିଡ-୧୯ କାରଣରୁ ମାର୍ଚ୍ଚରେ ହେବାକୁ ଥିବା ଭାରତ-ୟୁରୋପୀୟ ସଂଘ ଶିଖର ସମ୍ମିଳନୀ (ଇଣ୍ଡିଆ-ଇୟୁ ସମ୍ମିଟ)କୁ ସ୍ଥଗିତ କରିବାକୁ ପଡିଥିଲା । ତେବେ ସେ ଯାହା ହେଉ ଭଲକଥା ହେଲା ଆଜି ଆମେ ଭର୍ଚୁଆଲ ମାଧ୍ୟମରେ ଏକତ୍ର ହୋଇପାରିଛନ୍ତି । ସର୍ବପ୍ରଥମେ ମୁଁ ୟୁରୋପରେ କରୋନା ଭୂତାଣୁ ଦ୍ୱାରା ହୋଇଥିବା କ୍ଷତି ପାଇଁ ସମବେଦନା ପ୍ରକଟ କରୁଛି । ଆପଣମାନଙ୍କୁ ପ୍ରାରମ୍ଭିକ ମନ୍ତବ୍ୟ ପାଇଁ ଧନ୍ୟବାଦ । ଆପଣମାନଙ୍କ ପରି ମୁଁ ମଧ୍ୟ ଭାରତ ଏବଂ ୟୁରୋପୀୟ ସମୁଦାୟ ମଧ୍ୟରେ ସମ୍ବନ୍ଧକୁ ଅଧିକ ବିସ୍ତୃତ ଓ ନିବିଡ କରିବାକୁ ପ୍ରତିଶ୍ରୁତିବଦ୍ଧ । ଏଥିପାଇଁ ଆମକୁ ଏକ ଦୀର୍ଘକାଳୀନ ରଣନୀତି ଗ୍ରହଣ କରିବାକୁ ପଡିବ ।
ଏହା ସହିତ ଏକ କାର୍ୟ୍ୟକ୍ରମଭିତ୍ତିକ କର୍ମସୂଚୀ ପ୍ରସ୍ତୁତ କରିବାକୁ ହେବ; ଯାହାଦ୍ୱାରା ନିର୍ଦ୍ଧାରିତ ସମୟସୀମା ମଧ୍ୟରେ କାମଗୁଡିକୁ କାର୍ୟ୍ୟକାରୀ କରାଯାଇପାରିବ । ଭାରତ ଏବଂ ୟୁରୋପୀୟ ସମୁଦାୟ ସ୍ୱାଭାବିକ ଅଂଶୀଦାର ଅଟନ୍ତି । ଆମର ଅଂଶୀଦାରୀ ବିଶ୍ୱରେ ଶାନ୍ତି ଏବଂ ସ୍ଥିରତା ପାଇଁ ଉପଯୋଗୀ ମଧ୍ୟ । ଏହି ବାସ୍ତବିକତା ଆଜି ମଧ୍ୟ ବୈଶ୍ୱିକ ସ୍ଥିତିରେ ଆହୁରି ସ୍ପଷ୍ଟ ହୋଇଯାଇଛି । ଆମେ ଉଭୟ ଗଣତନ୍ତ୍ର, ବହୁଳବାଦ, ସମାବେଶୀତା, ଆନ୍ତର୍ଜାତିକ ପ୍ରତିଷ୍ଠାନ ପ୍ରତି ସମ୍ମାନବୋଧ, ବହୁପକ୍ଷବାଦ, ସ୍ୱାଧୀନତା, ସ୍ୱଚ୍ଛତା ଭଳି ସାର୍ବଜନୀନ ମୂଲ୍ୟବୋଧରେ ଅଂଶୀଦାର ଓ ବିଶ୍ୱାସୀ । କୋଭିଡ-୧୯ ପରେ ଆର୍ଥିକ କ୍ଷେତ୍ରରେ ବୈଶ୍ୱିକ ସ୍ତରରେ ନୂଆ ସମସ୍ୟାମାନ ସୃଷ୍ଟି ହୋଇଛି । ଏଥିପାଇଁ ଗଣତାନ୍ତ୍ରିକ ରାଷ୍ଟ୍ରଗୁଡିକ ମଧ୍ୟରେ ଅଧିକ ସହଯୋଗର ଆବଶ୍ୟକତା ରହିଛି ।
ଆଜି ଆମର ନାଗରିକଙ୍କୁ ସ୍ୱାସ୍ଥ୍ୟ ଏବଂ ସମୃଦ୍ଧି ଏହି ଦୁଇଟି ଆହ୍ୱାନର ସାମ୍ନା କରିବାକୁ ପଡୁଛି । ଆଇନଭିତ୍ତିକ ଆନ୍ତର୍ଜାତିକ ବ୍ୟବସ୍ଥାରେ ବିଭିନ୍ନ ପ୍ରକାର ଚାପ ସୃଷ୍ଟି ହେଉଛି । ଏଥିରେ ଭାରତ-ୟୁରୋପୀୟ ସମୁଦାୟ ଅଂଶୀଦାରୀ, ଆର୍ଥିକ ପୁନଃନିର୍ମାଣରେ ଆଉ ଏକ ମାନବ କୈନ୍ଦ୍ରିକ ଏବଂ ମାନବତା କୈନ୍ଦ୍ରିତ, ବିଶ୍ୱାୟନ ବ୍ୟବସ୍ଥା ନିର୍ମାଣରେ ମହତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିପାରିବ । ତତ୍କାଳୀକ ଆହ୍ୱାନ ବ୍ୟତୀତ ଜଳବାୟୁ ପରିବର୍ତ୍ତନ ଭଳି ଦୀର୍ଘମିଆଦୀ ସମସ୍ୟାକୁ ମଧ୍ୟ ଆମ ଉଭୟଙ୍କ ପାଇଁ ପ୍ରାଥମିକତା ହୋଇଛି ।
ଭାରତରେ ଅକ୍ଷୟଶକ୍ତିର ଉପଯୋଗକୁ ବଢାଇବା ପାଇଁ ଆମ ଉଦ୍ୟମରେ ଆମେ ସମଗ୍ର ୟୁରୋପକୁ ପୁଞ୍ଜିନିବେଶ ଏବଂ ଟେକ୍ନୋଲଜିର ବିନିଯୋଗ ପାଇଁ ନିମନ୍ତ୍ରଣ କରୁଛୁ । ମୁଁ ଆଶା କରୁଛି ଯେ ଏହି ଭର୍ଚୁଆଲ ଶିଖର ସମ୍ମିଳନୀ ମାଧ୍ୟମରେ ଆମର ସମ୍ବନ୍ଧ ଅଧିକ ନିବିଡ ଓ ବେଗଗାମୀ ହେବ । ମହାମହୀମଗଣ, ମୁଁ ଆପଣଙ୍କ ସହିତ କଥାବର୍ତ୍ତା କରିବା ପାଇଁ ଏହି ଅବସର ପାଇଥିବାରୁ ପୁଣି ଥରେ ସନ୍ତୋଷ ବ୍ୟକ୍ତ କରୁଛି ।
ସ୍ରୋତ: ପିଆଇବି