ନୂଆଦିଲ୍ଲୀ, ୧୨-୦୭-୨୦୨୦: କୋଭିଡ-୧୯କୁ ରୋକିବା ପାଇଁ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ମଧ୍ୟରେ ସମନ୍ଵୟ ରକ୍ଷାକରି ବିଭିନ୍ନ ପ୍ରକାରର ପଦକ୍ଷେପ ଗ୍ରହଣ କରାଯାଉଛି । ଆବଦ୍ଧାଞ୍ଚଳରେ ଦୃଢ କାର୍ୟ୍ୟାନୁଷ୍ଠାନ, ନୀରିକ୍ଷଣ କାର୍ୟ୍ୟକଳାପ, ଠିକ ସମୟରେ ରୋଗୀ ଚିହ୍ନଟ ଏବଂ କରୋନାର ପ୍ରଭାବଶାଳୀ ଚିକିତ୍ସା ପରିଚାଳନା ଦ୍ଵାରା ସମୁଦାୟ ଆରୋଗ୍ୟଙ୍କ ସଂଖ୍ୟା ଆଜି ୫ଲକ୍ଷ ଅତିକ୍ରମ କରିଛି । ୫,୧୫,୩୮୫ କୋଭିଡ-୧୯ ରୋଗୀ ଏପର୍ୟ୍ୟନ୍ତ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି । ସକ୍ରିୟ ମାମଲା ତୁଳନାରେ ସୁସ୍ଥ ହୋଇଥିବା ମାମଲା ସଂଖ୍ୟା ୨,୩୧,୯୭୮ ଅଧିକ ।
ଏହି ବିସ୍ତାରିତ ବ୍ୟବଧାନ ଦ୍ଵାରା ଆରୋଗ୍ୟ ହାର ୬୨.୭୮%ରେ ପହଞ୍ଚିଛି । ଗତ ୨୪ ଘଣ୍ଟା ମଧ୍ୟରେ, ୧୯,୮୭୦ କରୋନା ରୋଗୀ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି ।
ଏବେ ଦେଶରେ ମୋଟ ୨,୮୩,୪୦୭ ସକ୍ରିୟ ରୋଗୀ ଚିକିତ୍ସାଧୀନ ଅଛନ୍ତି । ଅତ୍ୟଧିକ ଲକ୍ଷଣ ଥିବା ରୋଗୀ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଚିକିତ୍ସାଳୟଗୁଡ଼ିକରେ ଚିକିତ୍ସିତ ହେଉଥିବା ବେଳେ ପ୍ରାକଲକ୍ଷଣ ରୋଗୀ ଏବଂ ସ୍ୱଳ୍ପ ଲକ୍ଷଣ ଦେଖାଉଥିବା ବ୍ୟକ୍ତି ଘରୋଇ ସଙ୍ଗରୋଧରେ ଅଛନ୍ତି ।
ନିକଟରେ ସମସ୍ତ ପଞ୍ଜିକୃତ ପରୀକ୍ଷାଗାରଗୁଡ଼ିକୁ କୋଭିଡ ପରୀକ୍ଷା ପାଇଁ ଅନୁମତି ଦେବା ଏବଂ ରାପିଡ଼ ଆଣ୍ଟିଜେନ ଟେଷ୍ଟ ଯୋଗୁଁ ଦେଶରେ ନମୁନା ପରୀକ୍ଷା ହାର ଯଥେଷ୍ଟ ବୃଦ୍ଧି ପାଇଛି। ଏପର୍ୟ୍ୟନ୍ତ ୧,୧୩,୦୭,୦୦୨ଟି ନମୁନା ପରୀକ୍ଷା କରାଯାଇଛି । ଦେଶରେ ୮୪୧ଟି ସରକାରୀ ଓ ୩୩୯ଟି ଘରୋଇ ଏହିପରି ମୋଟ ୧୧୮୦ଟି ପରୀକ୍ଷାଗାରରେ ନମୁନା ପରୀକ୍ଷଣ କରାଯାଉଛି । ଗତକାଲି ଗୋଟିଏ ଦିନରେ ୨,୮୨,୫୮୧ଟି ନମୁନା ପରୀକ୍ଷା କରାଯାଇଛି । ବର୍ତ୍ତମାନ ଦେଶରେ ୧୦ ଲକ୍ଷ୍ୟ ଜନସଂଖ୍ୟାରେ ୮,୧୯୩ଟି ନମୁନା ପରୀକ୍ଷା କରାଯାଉଥିବା ଜଣାଯାଉଛି ।
ସ୍ରୋତ: ପିଆଇବି