
ପାରଳାଖେମୁଣ୍ଡି,୨୦-୦୫(ପ୍ରଭାତ କୁମାର ପାତ୍ର):ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ସହର ଆଖପାଖର ଅଞ୍ଚଳରେ ସାମୁଦ୍ରିକ ଘୂଣ୍ଣିବାତ୍ୟା ଆମ୍ଫାନ ଯୋଗୁଁ ଚାଷୀକୂଳ ଚିନ୍ତିତ ହୋଇ ସେମାନଙ୍କୁ ଜମିର ଅପାଚିଲା ଧାନକୁ କାକୃତି ହୋଇ ମେସିନ ଯୋଗେ କାଟି ନେଉଛନ୍ତି।
ସାମୁଦ୍ରିକ ଘୂଣ୍ଣିବାତ୍ୟା ଆମ୍ଫାନ ଗଜପତି ଜିଲ୍ଲାରେ ସମ୍ଭାବ୍ୟ ପ୍ରଭାବ ପକାଇବ ନେଇ ଜିଲ୍ଲା ପ୍ରଶାସନ ଠାରୁ ଆଗୁଆ ସୂଚନା ପାଇ ଚାଷୀକୂଳ ବେଶ ଚିନ୍ତିତ ହୋଇ ପଡିଛନ୍ତି। ପୂର୍ବରୁ ଚାଷୀକୂଳ ତିତିଲି, ହୁଡୁହୁଡୂ, ଫନି, ଫାଇଲିନ ଭଳି ସାମୁଦ୍ରିକ ଝଡ଼ ବାତ୍ୟାରେ ନାହିଁ ନଥିବା ଅନେକ କ୍ଷେତି ସହିଛନ୍ତି। ହେଲେ ବର୍ତମାନ ଆମ୍ଫାନ ଆସିଛି କେତେବେଳେ କ’ଣ ହେବ , ଧାନସବୁ ଉଜୁଡି ଯିବା ଭୟରେ ଚାଷୀକୂଳ ବର୍ତମାନର କରୋନା ଭୂତାଣୁ ମହାମାରୀର ଲକଡାଉନ ଭଳି ସଂଙ୍କଟମୟ ପରିସ୍ଥିତିରେ ଧାନ କାଟିବା ପାଇଁ କୁଲି ମଜୁରିଆର ଅଭାବରେ ଧାନ ପାଚିବା ଆଗରୁ ମେସିନ ଲଗାଇ କାଟି ନେଉଛନ୍ତି । ଚଳିତ ବର୍ଷ ରବୀ ଫସଲ ବହୁତ ଭଲ ହୋଇଛି। ଅମଳ ମଧ୍ୟ ବହୁତ ଭଲ ହେବ ବୋଲି ଆଶା କରିଥିଲୁ କିନ୍ତୁ ଗଜପତି ଜିଲ୍ଲାକୁ ସାମୁଦ୍ରିକ ଘୂଣ୍ଣିବାତ୍ୟା ଆମ୍ଫାନର ସାମ୍ଭାବ୍ୟ ପ୍ରଭାବ ସୂଚନା ଆମ ଚାଷୀକୂଳର ମେରୁଦଣ୍ଡକୁ ସମ୍ପୂର୍ଣ୍ଣ ଭାବେ ଦୋହଲାଇ ଦେଲା ଯାହା ଫଳରେ ଆମେ ଅପାଚିଲା ଧାନକୁ ଆଗୁଆ କାଟିନେଲୁ। ନ କାଟିଲେ ଆଗକୁ ଆହୁରି କ୍ଷେତିହେବ, ତେଣୁ ଏହି ଧାନକୁ ନେଇ ପୁଣି ଶୁଖାଇବାକୁ ପଡିବ ନଚେତ ଗଜା ଓ ଫୁମ୍ପି ହୋଇଯିବ ବୋଲି ଦୁଇ ଜଣ ଚାଷୀ ଶ୍ରୀନୁ ସାହୁକାର ଓ ତାରିଣି ନାୟକ କହିଛନ୍ତି। ସେହିଭଳି ଆମ୍ଫାନ ଭୟରେ ଚାଷୀକୂଳ ଆଗୁଆ ଅପାଚିଲା ଧାନ କାଟି ନେବାକୁ ବାଧ୍ୟ ହେଲେ ବର୍ତମାନ ସୁଦ୍ଧା ଗଜପତି ଜିଲ୍ଲାରେ ମଣ୍ଡିର ବ୍ୟବସ୍ଥା ନାହିଁ ତେଣୁ ଚାଷୀ ଅପାଚିଲା କଟା ଧାନକୁ ନିଜସ୍ୱ ବ୍ୟବସ୍ଥାରେ ନେଇ ସୁରକ୍ଷିତ ଭାବେ ସଂରକ୍ଷଣ କରିବେ। ବର୍ତମାନ ଯଦି ସେହି ଧାନକୁ ୨/୩ ଦିନ ମଧ୍ୟରେ ନ ଶୁଖାଇବେ ତା ହେଲେ ଚାଷୀ ବହୁ କ୍ଷେତି ସହିବେ ବୋଲି ଜିଲ୍ଲା କୃଷକ ସଂଘର ସଭାପତି ସୂର୍ଯ୍ୟନାରାୟଣ ପଟ୍ଟନାୟକ କହିଛନ୍ତି।