ଅରୁଣ ଜେଟ୍‌ଲି ଗୁରୁତର : ଏମ୍‌ସରେ ଭର୍ତ୍ତି; ଭେଟିଲେ ମୋଦୀ, ଶାହ

369
ADVERTISEMENT

ନୂଆଦିଲ୍ଲୀ , ୧୦/୮(ଏଜେନସି) : କର୍କଟ ଓ କିଡ୍‌ନି ଜନିତ ରୋଗରେ ପୀଡ଼ିତ ପୂର୍ବତନ ଅର୍ଥମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଅରୁଣ ଜେଟ୍‌ଲି ଗୁରୁତର ଅସୁସ୍ଥ ହୋଇ ପଡ଼ିଛନ୍ତି। ଆଜି ସକାଳେ ତାଙ୍କ ସ୍ବାସ୍ଥ୍ୟରେ ଅଚାନକ ଅବନତି ଘଟିବାରୁ ତାଙ୍କୁ ଦିଲ୍ଲୀ ଏମ୍‌ସରେ ଭର୍ତ୍ତି କରାଯାଇଛି। ଜେଟ୍‌ଲିଙ୍କୁ ଆଇସିୟୁରେ ରଖି ଚିକିତ୍ସା କରାଯାଉଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏମ୍‌ସ ଯାଇ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସଂପର୍କରେ ଅବଗତ ହୋଇଛନ୍ତି। ଏହା ପୂର୍ବରୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ସ୍ବାସ୍ଥ୍ୟମନ୍ତ୍ରୀ ଡ. ହର୍ଷବଦ୍ଧନ, ଲୋକସଭା ବାଚସ୍ପତି ଓମ୍‌ ବିର୍ଲା ପ୍ରମୁଖ ମଧ୍ୟ ଜେଟ୍‌ଲିଙ୍କ ସ୍ବାସ୍ଥ୍ୟାବସ୍ଥା ବୁଝିଥିଲେ । ୬୬ ବର୍ଷୀୟ ଜେଟ୍‌ଲିଙ୍କ ଚିକିତ୍ସା ଲାଗି ଏମ୍‌ସ କର୍ତ୍ତୃପକ୍ଷ ଏକ୍‌ ସ୍ବତନ୍ତ୍ର ଡାକ୍ତରୀ ଟିମ୍‌ ଗଠନ କରିଥିବାବେଳେ ତାଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଛି ବୋଲି ସନ୍ଧ୍ୟାରେ ଏମ୍‌ସ ପକ୍ଷରୁ ଜାରି ପ୍ରେସ୍‌ ବିବୃତିରେ ସୂଚନା ଦିଆଯାଇଛି । ତେବେ ତିନି ଦିନ ତଳେ ବରିଷ୍ଠ ବିଜେପି ନେତ୍ରୀ ତଥା ପୂର୍ବତନ ବୈଦେଶିକ ମନ୍ତ୍ରୀ ସୁଷମା ସ୍ବରାଜଙ୍କ ହୃଦ୍‌ଘାତ ଯୋଗୁଁ ଅଚାନକ ମୃତ୍ୟୁ ଘଟିବା ପରେ ଶ୍ରୀ ଜେଟ୍‌ଲିଙ୍କ ଏଭଳି ଅସୁସ୍ଥତା ସାରା ଦେଶ ପାଇଁ ଚିନ୍ତା ଓ ଉଦ୍‌ବେଗର କାରଣ ହୋଇଛି । ଅରୁଣ ଜେଟ୍‌ଲି ଦୀର୍ଘ ଦିନ ହେଲା ଅସୁସ୍ଥ ଅଛନ୍ତି ଏବଂ କିଡ୍‌ନି ସଂକ୍ରାନ୍ତ ଗୁରୁତର, ସ୍ବାସ୍ଥ୍ୟ ସମସ୍ୟାରେ ପୀଡ଼ିତ ଅଛନ୍ତି। ମେ’ ୨୦୧୮ରେ ତାଙ୍କର କିଡ୍‌ନି ପ୍ରତିରୋପଣ ଅସ୍ତ୍ରୋପଚାର ହୋଇଥିଲା।ଏହା ବ୍ୟତୀତ ସେ କ୍ୟାନ୍‌ସରକୁ ବି ସାମ୍ନା କରୁଛନ୍ତି। ଏଥିପାଇଁ ସେ ଜାନୁଆରୀ ୨୦୧୯ରେ ଆମେରିକା ଯାଇ ସେଠାରେ ଚିକିତ୍ସିତ ହୋଇଥିଲେ ମଧ୍ୟ ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ନାହାନ୍ତି । ଆଜି ପୂର୍ବାହ୍ନ ୧୧ଟା ବେଳେ ଶ୍ବାସ ପ୍ରଶ୍ବାସରେ ସମସ୍ୟା ଦେଖାଯିବା ପରେ ତାଙ୍କୁ ତୁରନ୍ତ ଏମ୍‌ସର ହୃଦ୍‌ରୋଗ ବିଭାଗରେ ଭର୍ତ୍ତି କରାଯାଇଥିଲା।ନରେନ୍ଦ୍ର ମୋଦୀ ସରକାରଙ୍କ ପ୍ରଥମ କାର୍ଯ୍ୟକାଳରେ ଅର୍ଥ ମନ୍ତ୍ରୀ ଥିବା ଶ୍ରୀ ଜେଟ୍‌ଲିଙ୍କୁ ସ୍ବାସ୍ଥ୍ୟ ସମସ୍ୟା ପାଇଁ ବାରମ୍ବାର ଛୁଟିରେ ରହିବାକୁ ପଡ଼ୁଥିଲା। ତେଣୁ ପୀୟୁଷ ଗୋୟଲଙ୍କୁ ଅନ୍ତରୀଣ ଅର୍ଥ ମନ୍ତ୍ରୀ ଭାବେ ଦାୟିତ୍ବ ଦିଆଯାଇଥିଲା ଏବଂ ଗତ ଫେବ୍ରୁଆରେ ଲୋକସଭା ନିର୍ବାଚନ ପୂର୍ବରୁ ସେ ଅନ୍ତରୀଣ ବଜେଟ୍ ଉପସ୍ଥାପନ କରିଥିଲେ। ୨୦୧୯ ଲୋକସଭା ନିର୍ବାଚନରେ ବିଜେପି ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ହାସଲ କରି କ୍ଷମତାକୁ ଆସିବା ପରେ ଅରୁଣ ଜେଟ୍‌ଲି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପତ୍ର ଲେଖି ସ୍ବାସ୍ଥ୍ୟଗତ ସମସ୍ୟା ଯୋଗୁଁ ତାଙ୍କୁ କୌଣସି ଦାୟିତ୍ବ ନଦେବା ପାଇଁ ଅନୁରୋଧ କରିଥିଲେ ।

Advertisement