ସୁନ୍ଦରଗଡ଼ ଦ୍ୱିତୀୟ ଏମ୍ସ ପ୍ରତିଷ୍ଠା ନେଇ ଭିତ୍ତିଭୂମି ଅନୁଧ୍ୟାନ କଲା କେନ୍ଦ୍ର ବୈଷୟିକ ଟିମ୍

501
ADVERTISEMENT

ସୁନ୍ଦରଗଡ଼,୦୩/୦୪(ଡ଼ି.ଏଚ/ବ୍ୟୁରୋ): ସୁନ୍ଦରଗଡ଼ ଏନଟିପିସି ଭେଷଜ ମହାବିଦ୍ୟାଳୟ ଓ ହସ୍ପିଟାଲରେ ଓଡ଼ିଶାର ଦ୍ବିତୀୟ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ପ୍ରତିଷ୍ଠାନ (ଏମ୍ସ) ପ୍ରତିଷ୍ଠା ପ୍ରସ୍ତାବ ପରେ ଆଜି କେନ୍ଦ୍ରୀୟ ଵୈଷୟିକ ଟିମ୍ ସୁନ୍ଦରଗଡ଼ ଆସି ଭିତ୍ତିଭୂମିର ଅନୁଧ୍ୟାନ କରିଛନ୍ତି। ଭୁଵନେଶ୍ବର ଏମ୍ସ ନିର୍ଦ୍ଦେଶିକା ଵି. ଗୀତାଞ୍ଜଳିଙ୍କ ନେତୃତ୍ବରେ ୯ ଜଣିଆ ଟିମ୍ ଆଜି ପୂର୍ବାହ୍ନ ୧୦ଟାରେ ସୁନ୍ଦରଗଡ଼ ଶଙ୍କରାରେ ନଵନିର୍ମିତ ଏନଟିପିସି ଭେଷଜ ମହାଵିଦ୍ୟାଳୟ ଓ ହସ୍ପିଟାଲକୁ ଯାଇ ଅନୁଧ୍ୟାନ କରିଛନ୍ତି । ଟିମରେ ନୂଆଦିଲ୍ଲୀ ଏମ୍ସ ମେଡିକାଲ ଅଧୀକ୍ଷକ ଡ. ଡି.କେ. ଶର୍ମା, ନୂଆଦିଲ୍ଲୀ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟର ଭେଷଜ ଶିକ୍ଷା ନିର୍ଦ୍ଦେଶକ ଡ. ସଂଜୟ ରଏ, ନିର୍ଦ୍ଦେଶକ ନରେନ୍ଦ୍ର କୁମାର ଓଝା, ନୂଆଦିଲ୍ଲୀ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟର ବରିଷ୍ଠ ସ୍ଥପତି ରାଜୀବ କନୌଜିଆ, ଓଡ଼ିଶା ସରକାରଙ୍କ ଭେଷଜ ଶିକ୍ଷା ଓ ତାଲିମ ନିର୍ଦ୍ଦେଶାଳୟର ଡ. ସି.ବି.କେ. ମହାନ୍ତି, ବ୍ରଜକିଶୋର ଦାସ, ପ୍ରକାଶଚନ୍ଦ୍ର ମହାନ୍ତି ଓ ଭୁବନେଶ୍ବର ଏମ୍ସ ଉପ ନିର୍ଦ୍ଦେଶକ ପି.କେ. ରାୟ ଅନୁଧ୍ଯାନ କରିଥିଲେ। ଭିତ୍ତିଭୂମି ନିରୀକ୍ଷଣ କରି କେନ୍ଦ୍ରକୁ ପ୍ରାଥମିକ ରିପୋର୍ଟ ଦେବା ପରେ ତା’ଉପରେ କେନ୍ଦ୍ର ସ୍ବାସ୍ଥ୍ୟ ଵିଭାଗ ତର୍ଜମା କରି ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରିଵେ ଵୋଲି ସୂଚନା ରହିଛି । ଏହି ଅବସରରେ ସୁନ୍ଦରଗଡ଼ ଜିଲ୍ଲା ଓକିଲ ସଂଘ ଓ ନାଗରିକ କମିଟି ଟିମକୁ ଭେଟି ଏମ୍ସ ପ୍ରତିଷ୍ଠା ନେଇ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ। ସୁନ୍ଦରଗଡ଼ରେ ଦ୍ଵିତୀୟ ଏମ୍ସ ପ୍ରତିଷ୍ଠା ପାଇଁ ୨୦୨୦ ନଭେମ୍ବରରେ ରାଜ୍ୟ ସରକାର କେନ୍ଦ୍ରକୁ ପ୍ରସ୍ତାବ ଦେବା ଓ ମାର୍ଚ୍ଚ ଶେଷ ସପ୍ତାହରେ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନଙ୍କୁ ଚିଠି ଲେଖିଥିଲେ। କେନ୍ଦ୍ରୀୟ ଟିମର ଅନୁଧ୍ୟାନ ରିପୋର୍ଟ ଓଡିଶାରେ ଦ୍ଵିତୀୟ ଏମ୍ସର ଭାଗ୍ୟ ନିର୍ଦ୍ଧାରଣ କରିବ ବୋଲି ପ୍ରକାଶ ପାଇଛି ।

Advertisement