ପଶ୍ଚିମବଙ୍ଗରରେ ବିଜେପି କର୍ମୀଙ୍କୁ ବୋମାରେ ଆକ୍ରମଣ : ୬ଜଣ କର୍ମୀ ଗୁରୁତର

821
ADVERTISEMENT

କୋଲ୍‌କାତା,୬/୩,(ଡ଼ି.ଏଚ/ବ୍ୟୁରୋ): ପଶ୍ଚିମବଙ୍ଗର ୨୪ ପ୍ରଗଣା ଜିଲ୍ଲାରେ କେତେକ ଦୁର୍ବୃତ୍ତ ଦେଶୀ ବୋମା ଫିଙ୍ଗିବାରୁ ୬ଜଣ ବିଜେପି କର୍ମୀ ସାଙ୍ଘାତିକ ଆହତ ହୋଇଛନ୍ତି। ଆହତମାନଙ୍କ ମଧ୍ୟରୁ ଦୁଇଜଣଙ୍କର ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ଥିବା କଥା କୁହାଯାଉଛି । ଆହତମାନଙ୍କ ମଧ୍ୟରେ ଅଛନ୍ତି, ଶୋଭନ ଦେବନାଥ, ବିକ୍ରମ ଶିଲ୍‌, ଅର୍ପଣ ଦେନାଥ, ସ୍ୱପନ୍‌ କୁରାଲି, ମହାଦେବ ନାଇକ ଏବଂ ଅନ୍ୟ ଜଣେ । ଶୁକ୍ରବାର ରାତିରେ କିଛି ଲୋକଙ୍କ ସହ ବିବାହ ଅନୁଷ୍ଠାନରୁ ଫେରୁଥିବା ବେଳେ ଦୁର୍ବୃତ୍ତମାନେ ସେମାନଙ୍କ ଉପରକୁ ଦେଶୀ ବୋମା ଫିଙ୍ଗିଥିଲେ। ଅଧିକ ଚିକିତ୍ସା ନିମନ୍ତେ ଆହତମାନଙ୍କୁ ‘କ୍ୟାନିଙ୍ଗ୍‌ ସବ୍‌ଡିଭିଜ୍‌ନ୍‌ ହସ୍ପିଟାଲ୍‌’ରେ ଭର୍ତ୍ତି କରାଯାଇଛି। ସେମାନଙ୍କ ଉପରେ ହୋଇଥିବା ବୋମା ଆକ୍ରମଣ ନିମନ୍ତେ ଆହତ ବିଜେପି କର୍ମୀମାନେ ‘ତୃଣମୂଳ କଂଗ୍ରେସ’ କର୍ମୀମାନଙ୍କୁ ଦାୟୀ କରିଛନ୍ତି। ସେମାନେ ଅଭିଯୋଗ କରିଛନ୍ତି ଯେ, ଏକ ବିବାହ ଅନୁଷ୍ଠାନରୁ ଫେରୁଥିବା ସମୟରେ ଦୁର୍ବୃତ୍ତମାନେ ତାଙ୍କ ଉପରକୁ ବୋମା ଫିଙ୍ଗିଥିଲେ। ଗୋସବା ବିଧାନସଭା ଆସନର ତୃଣମୂଳ କଂଗ୍ରେସ ପ୍ରାର୍ଥୀ ଜୟନ୍ତ ସର୍କାର ଦାବି କରିଛନ୍ତି ଯେ, ବିଜେପି ନେତା ବରୁଣ ପରମାଣିକ କେତେକ ଦୁର୍ବୃତ୍ତଙ୍କ ସହାୟତାରେ ବୋମା ପୋତୁଥିବା ବେଳେ ବିସ୍ଫୋରଣ ଘଟିବାରୁ ଛଅଜଣ ବ୍ୟକ୍ତି ସାଙ୍ଘାତିକ ଆହତ ହୋଇଛନ୍ତି। ପୁଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି ।

Advertisement