ବଲାଙ୍ଗୀର,୦୬/୦୧/୨୦୨୧(ସୁନୀଲ ତ୍ରିପାଠୀ) : ବଲାଙ୍ଗୀର ସହର ପେଲେସ ଲାଇନ ପେଟ୍ରୋଲ ପମ୍ପରେ ହୋଇଥିବା ପେଟ୍ରୋଲ ଚୋରଙ୍କୁ ବଲାଙ୍ଗୀର ଟାଉନ ପୋଲିସ ଗିରଫ କରିଛି l ଗତ ୩0ତାରିଖ ଦୁଇଜଣ ବ୍ୟକ୍ତି ବଲାଙ୍ଗୀର ପେଲେସ ଲାଇନ ପେଟ୍ରୋଲ ପମ୍ପକୁ ପେଟ୍ରୋଲ ଭରିବାକୁ ଆସି ପଇସା ନ ଦେଇ ଚାଲି ଯାଇଥିଲେ l ଏହାପରେ ସେମାନେ ଅଧଘଣ୍ଟା ପରେ ପୁଣି ପେଟ୍ରୋଲ ପମ୍ପକୁ ଫେରି ମରଣାସ୍ତ୍ର ଦେଖାଇ ପ୍ରାୟ ଦଶ ହଜାର ଟଙ୍କାର ପେଟ୍ରୋଲ ନେଇଥିଲେ ଏବଂ ଏହି ବିଷୟରେ ପୋଲିସକୁ ଖବର କଲେ ଜୀବନରେ ମାରିଦେବା ପାଇଁ ପେଟ୍ରୋଲ ପମ୍ପ କର୍ମଚାରୀଙ୍କୁ ଧମକ ମଧ୍ୟ ଦେଇଥିଲେ ବୋଲି ଅଭିଯୋଗ କରିଥିଲେ ପେଟ୍ରୋଲ ପମ୍ପ ମାଲିକ ବିଜୟ ପଣ୍ଡା l ୩୧ ତାରିଖ ଘଟଣା ବିଷୟରେ ଟାଉନ ପୋଲିସରେ FIR ଦେବା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା l ଆଜି ଘଟଣାରେ ସମ୍ପୃକ୍ତ ଥିବା ତିନି ଜଣ ଅଭିଯୁକ୍ତଙ୍କ ସହିତ ଗୋଟିଏ ନମ୍ବର ବିହୀନ ୟାମାହା ସ୍କୁଟି ଏବଂ ମରଣାସ୍ତ୍ର ଜବତ କରିଛି ପୋଲିସ l ଅଭିଯୁକ୍ତ ତିନି ଜଣ ହେଲେ ସଦର ପୋଲିସ ଥାନା ଅନ୍ତର୍ଗତ ସିନ୍ଦୁରବାହାଲ ଗ୍ରାମର ବଣ୍ଟି ସୁନା ଓ ଅଜିତ ସୁନା ଏବଂ ତୁଷୁରା ଥାନା ଅନ୍ତର୍ଗତ ବରଗାଁର ଜଗନ୍ନାଥ ସାହୁ l