କଟକ,୨୬/୧୨(ଡ଼ି.ଏଚ/ବ୍ୟୁରୋ) : ଗ୍ୟାଙ୍ଗଷ୍ଟର ଧଳସାମନ୍ତ ବ୍ରଦର୍ସଙ୍କ ଘରୁ ତଲାସୀ ବେଳେ ପୁଣି ମିଳିଛି ଶହ ଶହ ଗୁଳି। ଆଜି ଦ୍ବିତୀୟ ଦିନ ରିମାଣ୍ତର ଜେରା ସମୟରେ ଧଳସାମନ୍ତ ବ୍ରଦର୍ସଙ୍କ ଘର ତଲାସୀ କରିଥିଲା କମିସନରେଟ୍ ପୁଲିସ୍। ତାଙ୍କ ଘରର ବେଡ଼୍ ରୁମ୍ ସିଲିଂ ଭିତରୁ ୧୬ ଲକ୍ଷ ୫୦ ହଜାର ନଗଦ ଟଙ୍କା ଓ ୧୭୫ ରାଉଣ୍ତ ଗୁଳି ଜବତ ହୋଇଛି । ଏହାସହ ଗତକାଲି ସେଠାରୁ ୩ଟି ବନ୍ଧୁକ ଓ ଶହେରୁ ଅଧିକ ରାଉଣ୍ତ ଗୁଳି ଜବତ କରାଯାଇଥିଲା। କଟକ ଡିସିପି ପ୍ରତୀକ୍ ସିଂହ ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ଏ ସଂପର୍କରେ ସୂଚନା ଦେଇଛନ୍ତି।
ସୂଚନା ଅନୁଯାୟୀ, ଗ୍ୟାଙ୍ଗଷ୍ଟର ଧଳସାମନ୍ତ ବ୍ରଦର୍ସଙ୍କୁ କମିସନରେଟ୍ ପୁଲିସ ୩ ଦିନିଆ ରିମାଣ୍ତରେ ନେଇଥିବା ବେଳେ ଗତକାଲି ରିମାଣ୍ତର ପ୍ରଥମ ଦିନରେ ଦୁଇ ଭାଇଙ୍କୁ ଅଲଗା ଅଲଗା ଜେରା କରାଯାଇଥିଲା। ଏଥିସହ କଟକ ସିଡିଏସ୍ଥିତ ଘର ତଲାସୀ ବେଳେ ୩ଟି ବନ୍ଧୁକ ଓ ଶହେରୁ ଅଧିକ ରାଉଣ୍ତ ଗୁଳି ଜବତ ହୋଇଥିଲା। ଆଜି ଦ୍ବିତୀୟ ଦିନର ରିମାଣ୍ତରେ ପଚରାଉଚରା ସହ ସର୍ଚ୍ଚ ବେଳେ ଡ଼ି ବ୍ରଦର୍ସଙ୍କ ଘର ବେଡ଼ ରୁମ୍ ସିଲିଂ ମଧ୍ୟରୁ ସାଢ଼େ ୧୬ଲକ୍ଷ ଟଙ୍କା ଓ ୧୭୫ ରାଉଣ୍ତ ଗୁଳି ଜବତ ହୋଇଛି । ସେହିଭଳି ବନ୍ଧୁକଗୁଡ଼ିକ ଚୋରାରେ ଆସି ଅପରାଧୀଙ୍କୁ ବିକ୍ରି କରାଯାଉଥିବା କଟକ ଡ଼ିସିପି ପ୍ରତୀକ୍ ସିଂହ ସୂଚନା ଦେଇଛନ୍ତି। ଗତକାଲି ରିମାଣ୍ଡର ପ୍ରଥମ ଦିନରେ ପ୍ରଥମେ ସୁଶାନ୍ତ ଧଳସାମନ୍ତକୁ ଆଣି ପୁଲିସ୍ ଘରର ବିଭିନ୍ନ କୋଣ ଅନୁକୋଣକୁ ଖୋଜିଥିଲା। ପରେ ସୁଶୀଲ ଧଳସାମନ୍ତକୁ ଆଣି ଘର ଭିତରେ ବନ୍ଧୁକ ଖୋଜଯାଇଥିଲା। ଶେଷରେ ଘର ଭିତରୁ ମୋଟ ୩ଟି ବନ୍ଧୁକ,୧୦୦ରୁ ଅଧିକ ଗୁଳି ଓ ବିପୁଳ ପରିମାଣର ଟଙ୍କା ଜବତ କରାଯାଇଥିଲା। ଏଥିସହ ପୁଲିସ୍ ଜେରା ସମୟରେ ବିହାରରୁ କଟକ ପର୍ଯ୍ୟନ୍ତ କିପରି ବନ୍ଧୁକ କାରବାର ହେଉଥିଲା ସେ ବିଷୟରେ କିଛି ଗୁରୁତ୍ବପୂର୍ଣ୍ଣ ତଥ୍ୟ ହାସଲ କରିଥିଲା । ଏଯାଏ ଚୋରା ବନ୍ଧୁକ କାରବାର ମାମଲାରେ ଧଳସାମନ୍ତଙ୍କ ଘରୁ ମୋଟ ୧୧ଟି ବନ୍ଧୁକ ଜବତ ହୋଇସାରିଲାଣି ବୋଲି ଡିସିପି ପ୍ରତୀକ ସି˚ହ ସୂଚନା ଦେଇଛନ୍ତି। ରିମାଣ୍ତର ପ୍ରଥମ ଦିନ କମିସନରେଟ ପୁଲିସ୍ ପାଇଁ ବେଶ୍ ଫଳପ୍ରଦ ହୋଇଥିବା କୁହାଯାଇଛି।