ବଲାଙ୍ଗୀର,୪/୧୦(ସୁନୀଲ ତ୍ରିପାଠୀ) : ବଲାଙ୍ଗୀର ଜିଲ୍ଲା ରେ ଥିବା ବିଭିନ୍ନ ଶିଳ୍ପ ତାଲିମ କେନ୍ଦ୍ର ରେ ଚଳିତ ବର୍ଷ ପ୍ରାୟ ୫0 ପ୍ରତିଶତ ସିଟ୍ ଖାଲି ରହିଯାଇଥିବା ଜଣାପଡିଛି । ଚିନ୍ତାର ବିଷୟ ଯେ ୮0 ପ୍ରତିଶତ ମାର୍କ ରଖିଥିବା ଛାତ୍ରକୁ ଅନ୍ୟ ବର୍ଷ ସିଟ ମିଳୁ ନଥିବା ବେଳେ ଚଳିତ ବର୍ଷ ୬୪ପ୍ରତିଶତ ମାର୍କ କଟଅଫ ହୋଇଥିଲେ ମଧ୍ୟ ଅଧା ସିଟ ଖାଲି ଅଛି ।
ଜିଲ୍ଲା ର ଗନ୍ଧମାର୍ଦ୍ଦନ ଆଇ ଟି ଆଇ, ସରକାରୀ ଆଇ ଟି ଆଇ ସହିତ ଅନ୍ଯ ୯ ଟି ଆଇ ଟି ଆଇ କେନ୍ଦ୍ର ରେ ମଧ୍ୟ ସିଟ ଖାଲି ଅଛି ।ଏତେ ସଂଖ୍ଯାକ ସିଟ ଖାଲିକୁ ନେଇ ଏବେ ବଲାଙ୍ଗୀର ଜିଲ୍ଲା ବାସୀଙ୍କ ମନରେ ଅନେକ ପ୍ରଶ୍ନ ଉଠିଲାଣି । ଚଳିତ ବର୍ଷ କରୋନା ସଂକ୍ରମଣ କାରଣରୁ ଅନେକ ଛାତ୍ର ନାମ ନ ଲେଖାଇବା କାରଣରୁ ସିଟ ଖାଲି ଅଛି ବୋଲି କଲେଜ କର୍ମଚାରୀ କହନ୍ତି । ବର୍ତ୍ତମାନ ଶିଳ୍ପ ଶିକ୍ଷା ପ୍ରତି ଯୁବ ବର୍ଗଙ୍କ ଆଗ୍ରହ କମି ଯାଉଛି ବୋଲି ମଧ୍ୟ ଅନୁମାନ କରାଯାଉଛି । ଶିଳ୍ପ ଶିକ୍ଷା ସରିଲା ପରେ କର୍ମ ନିଯୁକ୍ତିର କୌଣସି ଗ୍ଯାରେଣ୍ଟି ନାହିଁ । ଅର୍ଥ ଖର୍ଚ୍ଚ କରି ଆଉ କାହିଁକି ଏପରି ପାଠ ପଢିବୁ ବୋଲି କଛି ଛାତ୍ର କହୁଥିବା ମଧ୍ୟ ଶୁଣାଯାଉଛି ।ବଲାଙ୍ଗୀରର ଶିଳ୍ପ ତାଲିମ କେନ୍ଦ୍ରରେ ଭଲ, ଅଭିଜ୍ଞ ଓ ନିୟମିତ ତାଲିମ୍ ଦାତାଙ୍କ ଅଭାବ ରହୁଥିବା କାରଣରୁ ଛାତ୍ର ଏଠାରେ ନାମ ନ ଲେଖାଇ ରାଜ୍ୟ ବାହାରକୁ ଚାଲିଯାଉଛନ୍ତି ବୋଲି ମଧ୍ୟ କେତେ ବୁଦ୍ଧିଜୀବୀ ମତ ଦିଅନ୍ତି ।ଶିଳ୍ପ ତାଲିମ କେନ୍ଦ୍ର ରେ ପ୍ରାକ୍ଟିକାଲ୍ ଶିକ୍ଷା ଠିକ୍ ରୂପେ ହେଉନାହିଁ । ଭିତ୍ତି ଭୂମିର ଅଭାବ, ଛାତ୍ରଙ୍କ ଅମନଯୋଗ କାରଣରୁ ଏଠାରେ ନାମ ଲେଖାଇବା ପୂର୍ବରୁ ଅଭିଭାବକ ମାନେ ଦଶ ଥର ଚିନ୍ତା କରୁଛନ୍ତି । ପରିସ୍ଥିତି ଯଦି ଏପରି ଜାରୀ ରହିବ ବଲାଙ୍ଗୀରର ଶିଳ୍ପ ତାଲିମ କେନ୍ଦ୍ରରେ ଛାତ୍ର ସଂକଟ ହେବାସହ ଘରୋଇ କଲେଜ ବନ୍ଦ ହୋଇଯିବ । ପ୍ରକୃତ କଥାସବୁକୁ ବିଚାର କରି କିଛି ପ୍ରତିକାର ପଦକ୍ଷେପ ନେବା ସମୟର ଆବଶ୍ଯକତା ବୋଲି ବୁଦ୍ଧିଜୀବୀଙ୍କ ମତାମତ ।