କନେଷ୍ଟବଳଙ୍କ ୟୁନିଫର୍ମ ଅଦାଲତ ପରିସରରେ ଓହ୍ଲାଇ ବଦଳି ହେଲେ ବିଚାରପତି ;

246
ADVERTISEMENT

ଆଗ୍ରା,୨୮/୭ ଏଜେନସି : ଆଗ୍ରାର ଏକ ଅଦାଲତର ବିଚାରପତିଙ୍କ କାର୍‌କୁ ବାଟ ଛାଡ଼ି ନ ଥିବା ଯୋଗୁଁ ପୁଲିସ କନେଷ୍ଟବଳଙ୍କୁ ଶୁକ୍ରବାର ଦିନ ମୁକ୍ତ ଅଦାଲତରେ ୟୁନିଫର୍ମ ଓହ୍ଲାଇ ଦେଇଥିବା ସମ୍ପୃକ୍ତ ବିଚାରପତିଙ୍କୁ ଶନିବାର ଦିନ ଆହ୍ଲାବାଦ ହାଇକୋର୍ଟର ରେଜିଷ୍ଟ୍ରାର୍‌ ଜେନେରାଲ୍‌ ବଦଳି କରିଛନ୍ତି । ଏ ଘଟଣା ସଂକ୍ରାନ୍ତରେ ଆଗ୍ରା ଏସ୍‌ଏସ୍‌ପି ରାଜ୍ୟ ଡିଜିପି ଏବଂ ଆହ୍ଲାବାଦ ହାଇକୋର୍ଟର ବରିଷ୍ଠ ଅଧିକାରୀମାନଙ୍କୁ ରିପୋର୍ଟ ଦେବା ପରେ ସେ ବିଚାରପତିଙ୍କ ବଦଳି ଆଦେଶ ହୋଇଥିଲା । ବାରମ୍ବାର ହର୍ଣ୍ଣ ବଜାଇ ସୁଦ୍ଧା ତାଙ୍କ କାର୍‌କୁ ବାଟ ଛାଡ଼ି ନ ଥିବାରୁ ବିରକ୍ତ ହୋଇ ସେ ବିଚାରପତି ଉତ୍ତର ପ୍ରଦେଶ ପୁଲିସର ଡ୍ରାଇଭର୍‌ ୫୮ ବର୍ଷିୟ ଘୁରେଲାଲ୍‌ଙ୍କୁ ଅଦାଲତକୁ ଡକାଇ ଗାଳି ଦେଇଥିଲେ। ଦଣ୍ଡସ୍ୱରୂପ ତାଙ୍କୁ ୟୁନିଫର୍ମ ଓହ୍ଲାଇବାକୁ କହିଥିଲେ । ଥରକୁ ଥର କ୍ଷମାଯାଚନା କରିବା ପରେ ହିଁ ଯାଇ ଘୁରେଲାଲ୍‌ଙ୍କୁ ୟୁନିଫର୍ମ ପିନ୍ଧିବାକୁ ଅନୁମତି ଦିଆଯାଇଥିଲା । ଆଗ୍ରାର ବରିଷ୍ଠ ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍‌ ବାବ୍‌ଲୁ କୁମାର ଶୁକ୍ରବାର ଏ ମାମଲା ହାତକୁ ନେଇ ଗ୍ରାମାଞ୍ଚଳ ଏସ୍‌ପି ରବି କୁମାରଙ୍କୁ ରିପୋର୍ଟ ଫାଇଲ୍‌ କରିବାକୁ କହିଥିଲେ । ରବି କୁମାର ଅଦାଲତକୁ ଯାଇ ଏସ୍‌ଏସ୍‌ପିଙ୍କୁ ରିପୋର୍ଟ ଦେଇଥିଲେ। ସେ ଏହାକୁ ଆଗ୍ରା ଜିଲ୍ଲା ଜଜ୍‌, ଆହ୍ଲାବାଦସ୍ଥିତ ହାଇକୋର୍ଟ ଅଫ୍‌ ଜିଡିକେଚର୍‌ ଏବଂ ସେ ଅଞ୍ଚଳର ପ୍ରଶାସନିକ ଜଜ୍‌ଙ୍କ ନିକଟକୁ ପଠାଇଥିଲେ । ଚାକିରି ଜୀବନରେ ଉତ୍ତମ ରେକର୍ଡର ଅଧିକାରୀ କନେଷ୍ଟବଳ ଘୁରେଲାଲ୍‌ ଏହି ଘଟଣାରେ ଅତି ବିଚଳିତ ହୋଇ ପଡ଼ିଥିଲେ।

Advertisement