ଡଲାସ୍, ୧୧/୭ (ଡି.ଏଚ.ବି): କିଛି ମାସ ହେବ ନିଖୋଜ ଥିବା ଟେକ୍ସାସର୍ ଜଣେ ବ୍ୟକ୍ତିଙ୍କୁ ତାଙ୍କର ପଲେ ପୋଷା କୁକୁର ଖାଇ ଦେଇଥିବା କଥା କାଉଣ୍ଟି ସେରିଫ୍ ଅଫିସର ଡେପୁଟିମାନେ କହିଛନ୍ତି । ମଙ୍ଗଳବାର ଦିନ ଡାକ୍ତରୀ ପରୀକ୍ଷକମାନେ କହିଲେ ଯେ କୁକୁରମାନଙ୍କର ପାଟିରୁ ଉଦ୍ଧାର କରାଯାଇଥିବା ହାଡ଼ଖଣ୍ଡର ଡିଏନ୍ଏ ପରୀକ୍ଷା ପରେ ତାହା ୫୭ ବର୍ଷିୟ ଫ୍ରିଡାଇ ମ୍ୟାକ୍ଙ୍କର ବୋଲି ଜଣାପଡ଼ିଛି । ଡପୁଟି ଆରୋନ୍ ପିଟ୍ସ୍ କହିଛନ୍ତି, ୧୮ଟି ମିକ୍ସଡ୍ ବ୍ରିଡ୍ କୁକୁରମାନେ ମ୍ୟାକ୍ଙ୍କ ଶବ, ଲୁଗାପଟା ଏବଂ କେଶ ଆଦି ସବୁ ଖାଇ ଦେଇଛନ୍ତି । କେବଳ ଛାଡ଼ି ଥିଲେ ୨ ରୁ ୫ ଇଞ୍ଚ୍ ମଧ୍ୟରେ କେତୋଟି ଟୁକୁରା ହାଡ଼ । ମ୍ୟାକ୍ ଖୁବ୍ ଅସୁସ୍ଥ ଥିଲେ। ସେଥିପାଇଁ ସେ ମରିଛନ୍ତି କି, କୁକୁରମାନେ ତାଙ୍କୁ ମାରି ପକାଇଲେ ତାହା ଜଣାପଡ଼ି ନାହିଁ । ଏକାକୀ ରହୁଥିବା ମ୍ୟାକ୍ ନିଖୋଜ ହୋଇଥିବା କଥା ମେ ମାସରେ ତାଙ୍କର ଜଣେ ଆତ୍ମୀୟ ସେରିଫ୍ ପୁଲିସରେ ଖବର କରିଥିଲେ । ଏପ୍ରିଲ୍ ମଧ୍ୟଭାଗରୁ ସେ ମ୍ୟାକ୍ଙ୍କ ସହ ଯୋଗାଯୋଗ କରି ପାରୁ ନ ଥିଲେ । ଉଗ୍ରମୁଖା କୁକୁରମାନେ ମ୍ୟାକ୍ଙ୍କ ଘର ପରିସରକୁ ତାଙ୍କ ପରିବାର ଲୋକ କି, ଡେପୁଟିମାନଙ୍କୁ ଛାଡୁ ନ ଥିଲେ । ଗୋଟାଏ ଭିନ୍ନ କୌଶଳ (ଡିଷ୍ଟ୍ରାକ୍ସନ୍ ମେଥଡ୍) ଅବଲମ୍ବନ କରି ଶେଷରେ ସେରିଫ୍ମାନେ କୁକୁରମାନଙ୍କୁ ଦୂରାଇ ସେ ଘରେ ପ୍ରବେଶ କରିଥିଲେ ।କିନ୍ତୁ ଭିତରେ ମ୍ୟାକ୍ ନ ଥିଲେ । ବହୁଦିନ ଖୋଜାଖୋଜି କରିବା ପରେ ତଦନ୍ତକାରୀମାନେ ଉଚ୍ଚ ଘାସ ମଧ୍ୟରେ ମଣିଷ କେଶ, ଲୁଗାପଟା ଏବଂ ହାଡ଼ ମିଶ୍ରିତ ପଶୁମଳ ଦେଖିଥିଲେ। ଅପେକ୍ଷାକୃତ ବଡ଼ ହାଡ଼ଖଣ୍ଡଗୁଡ଼ିକୁ ପରୀକ୍ଷା ପାଇଁ ୟୁନିଭର୍ସିଟି ଅଫ୍ ନର୍ଥ ଟେକ୍ସାସ୍କୁ ପଠାଇଥିଲେ । ଶେଷରେ ମ୍ୟାକ୍ଙ୍କ ପରିବାରର ଡିଏନ୍ଏ ସହ ତାହା ମେଳ ଖାଇଥିଲା । ଦୁଇଟି କୁକୁରଙ୍କୁ ସେମାନଙ୍କର ସାଥି କୁକୁରମାନେ ମାରି ପକାଇଥିଲେ । ଉଗ୍ର ଆଚରଣ ପାଇଁ ୧୩ଟି କୁକୁରଙ୍କୁ ହତ୍ୟା କରାଗଲା । ଏବଂ ବାକି ତିନୋଟିଙ୍କୁ କେହି ପୋଷ୍ୟ କରି ନେବା ଆଶାରେ କରାଯାଉଛି ।