ପାରଳାଖେମୁଣ୍ଡି,୧୮/୫(ପ୍ରଭାତ କୁମାର ପାତ୍ର ):ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ହୋଇଥିବା ଲଘୁଚାପ ଆଗାମୀ ଦିନରେ ହୋବାକୁ ଥିବା ସମ୍ଭାବ୍ୟ ଝଡବାତ୍ୟା ଓ ପ୍ରବଳ ବର୍ଷାକୁ ଆଖି ଆଗରେ ରଖି ଗଜପତି ଜିଲ୍ଲା ପ୍ରଶାସନ ତରଫରୁ ସଜାଗ ରହିବା ଓ ଆବଶ୍ୟକ ମୁକାବିଲା କରିବା ନିମିତ୍ତ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଏକ ପୂର୍ବ ପ୍ରସ୍ତୁତି ବୈଠକ ଆୟୋଜନ କରାଯାଇଥିଲା। ଏଥିରେ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ ବୃନ୍ଦ ଯୋଗଦେଇଥିଲେ।

ଜିଲ୍ଲାପାଳ ଅନୁପମ ସାହା ସମ୍ଭାବ୍ୟ ଝଡବାତ୍ୟା ଓ ପ୍ରବଳ ବର୍ଷା ଉପରେ ଆସିଥିବା ଭାରତୀୟ ପାଣିପାଗ ବିଭାଗର ସୂଚନାକୁ ସମସ୍ତଙ୍କୁ ଅବଗତ କରିଥିଲେ ଏବଂ ସମସ୍ତ ବିଭାଗୀୟ ଅଧିକାରୀ ମାନେ ସମ୍ଭାବ୍ୟ ବାତ୍ୟାର ମୁକାବିଲା ନିମିତ୍ତ ସଜାଗ ହୋଇ ରହିବା ପାଇଁ ନିର୍ଦ୍ଦେଶ ଦେଇଥିଲେ।ସମସ୍ତ ବିଭାଗୀୟ ଅଧିକାରୀ ଯଥା ଜଳସେଚନ , ରାଜସ୍ବ , ପଞ୍ଚାୟତରାଜ , ବିଦ୍ୟୁତ ବିଭାଗ , ପାନୀୟଜଳ ଯୋଗାଣ ବିଭାଗ , ଦୂରସଞ୍ଚାର ବିଭାଗ , ଜିଲ୍ଲା ଚିକିତ୍ସା ବିଭାଗ , ଅଗ୍ନିଶମ ବିଭାଗ , ରାସ୍ତା ଓ କୋଠାବାଡି , ଗ୍ରାମ୍ୟ ଉନ୍ନୟନ ବିଭାଗ , ଜନସ୍ଵାସ୍ଥ୍ୟ ବିଭାଗ , ପଶୁସମ୍ପଦ ବିଭାଗ , ଜଙ୍ଗଲ ଓ ପରିବେଶ , ଯୋଗାଣ ଇତ୍ୟାଦି ବିଭାଗକୁ ଆବଶ୍ୟକୀୟ ଉପକରଣ ଏବଂ ମାନବ ସମ୍ବଳ ସହିତ ପ୍ରସ୍ତୁତି ରହିବାକୁ ନିର୍ଦ୍ଦେଶ ଦେଇଥିଲେ।