ସୁନାମଧନ୍ୟ ଶିଶୁ ସାହିତ୍ୟିକ ଦିଲ୍ଲୀପ ଚୌଧୁରୀ ଙ୍କ ବିୟୋଗରେ ଶୋକସଭା

391
ADVERTISEMENT

ବାଲେଶ୍ଵର,୧୨-୦୫(ନରେନ୍ଦ୍ର ପ୍ରସାଦ ବେହେରା):ଗଞ୍ଜାମ ଜିଲ୍ଲା ବରିଷ୍ଠ କଳାକାର ସଂଘର ସଦସ୍ୟ ତଥା “ଶିଳା ପଦ୍ମ” ଅନୁଷ୍ଠାନର ପ୍ରତିଷ୍ଠାତା ସଦସ୍ୟ ସୁନାମଧନ୍ୟ ଶିଶୁ ସାହିତ୍ୟିକ ଦିଲ୍ଲୀପ କୁମାର ଚୌଧୁରୀଙ୍କର ଚଳିତ ମାସ ୧୧ ତାରିଖ ରାତ୍ର ୧୦ଘଟିକା ସମୟେ ମାତ୍ର ୫୩ ବର୍ଷ ବୟସରେ ପରଲୋକ ହୋଇଯାଇଛି । ସ୍ବର୍ଗତ ଚୌଧୁରୀ ଜଣେ ଆଦର୍ଶ ବ୍ୟକ୍ତିତ୍ଵ ସଂପନ୍ନ ନିରଳସ ସାରସ୍ଵତ ସାଧକ ତଥା ଜଣେ ଦକ୍ଷ ସାରସ୍ଵତ ସଂଗଠକ ଥିଲେ । ସେ ଥିଲେ ” ପ୍ରଜ୍ଞା ଦିପ୍ତ ” ପତ୍ରିକା ସମ୍ପାଦକ । “ଟିମା ରାମୁ” ତାଙ୍କର ଓଡ଼ିଶା ପାଇଁ ପ୍ରଥମ ଶିଶୁ ଉପନ୍ୟାସ । ଅଲ୍ଲୀ ବାବାଙ୍କ ଉପହାର, ପିଲାଙ୍କ ରାମାୟଣ, ବଳିଘରର ଚିତ୍ର, ମୋ ନାମ ଚନ୍ଦ୍ରଭାନୁ, ଗୋପାଳପୁର ଆଉ କେତେ ଦୂର ଆଦି ପ୍ରକାଶିତ କେତେକ ପୁସ୍ତକ ଭିତରେ ଏକ ପ୍ରଜ୍ଞା ଦୀପ୍ତ ସରଳ ମଣିଷର ଗୋଷ୍ଠୀ କୈନ୍ଦ୍ରିକ ଆଦର୍ଷତ୍ଵ ପ୍ରତିପାଦିତ ହୋଇଛି । ସେ ଦୈନିକ ଆଶା ସାହିତ୍ୟ ସଂସଦ, ଫଲଗୁ ସାହିତ୍ୟ ସଂସଦ, ଉତ୍କଳ ସାହିତ୍ୟ ସମାଜ, ପଟେଲ ସାହିତ୍ୟ ସଂଘ, ନେତାଜୀ ସାରସ୍ଵତ ମଞ୍ଚ, ଶିଳାପଦ୍ମ, ମଞ୍ଚଜ୍ୟୋତି, ଗଞ୍ଜାମ ଜିଲ୍ଲା ବରିଷ୍ଠ କଳାକାର ସଂଘ ଆଦି କଳା ଓ ସାହିତ୍ୟ ସଂଘମାନଙ୍କ ସହିତ ଜଡ଼ିତ ଥିଲେ । ଜଣେ ମିଷ୍ଟଭାଷୀ ତଥା ପରୋପକାରୀ ଭାବରେ ମଧ୍ୟ ସେ ବହୁ ପରିଚିତ ଥିଲେ । ବହୁ ଦିନ ଧରି ରୋଗଶଯ୍ୟାରେ ପଡିରହି ହଠାତ୍ ଆରପାରିକୁ ଚାଲିଗଲେ ସେ । ତାଙ୍କର ଅବର୍ତ୍ତମାନରେ ଉଭୟ ଶିଳାପଦ୍ମ ଓ ଗଞ୍ଜାମ ଜିଲ୍ଲା ବରିଷ୍ଠ କଳାକାର ସଂଘ ପକ୍ଷରୁ ମୋବାଇଲ କନ୍ଫରେନ୍ସିଙ୍ଗ୍ ମାଧ୍ୟମରେ ଏକ ଶୋକ ସଭାର ଆୟୋଜନ କରାଯାଇଥିଲା । କଳାକାର ସଂଘ ସଭାପତି ସୁବାସ ଚନ୍ଦ୍ର ସାହୁ ମାମାଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବରିଷ୍ଠ ସାରସ୍ଵତ ସାଧକ ଅଧ୍ୟାପକ ଚିତ୍ତ ରଞ୍ଜନ ପଟ୍ଟନାୟକ, ଶିଳାପଦ୍ମ ସମ୍ପାଦକ ତପନ କୁମାର ପଟ୍ଟନାୟକ, ନାଟ୍ୟ – ବିଦ୍ୟା – ବୁଦ୍ଧ ପ୍ରଫୁଲ୍ଲ ବେହେରା, ସୀମାନ୍ତ ନଟରାଜ ଡ଼ା. ତିରୁପତି ସାହୁ, ବାଲେଶ୍ଵର ସାରସ୍ଵତ ସାଧକ ତଥା ଗଣମାଧ୍ୟମ ବ୍ୟକ୍ତିତ୍ଵ ନରେନ୍ଦ୍ର ପ୍ରସାଦ ବେହେରା, କଳାକାର ଜୟକୃଷ୍ଣ ପଟ୍ଟନାୟକ, ସଂସାର ସମ୍ପାଦକ ରମେଶ ଚନ୍ଦ୍ର ସାହୁ ପ୍ରମୁଖ ବହୁ ବ୍ୟକ୍ତିବିଶେଷ ଉଭୟ ଅନୁଷ୍ଠାନର ସମ୍ପାଦକ ସୁବାସ ଚନ୍ଦ୍ର ସାହୁଙ୍କ ଦ୍ଵାରା ସଂରଚିତ ସାମାଜିକ ଗଣମାଧ୍ୟମର ଗୋଷ୍ଠୀ ସଂଯୋଗୀ କରଣ ମାଧ୍ୟମରେ ଦିଲ୍ଲୀପ ବାବୁଙ୍କ ଅକାଳ ବିୟୋଗ ଦକ୍ଷିଣାଞ୍ଚଳ ସାରସ୍ଵତ ଜଗତର ଏକ ଅପୂରଣୀୟ ଶୂନ୍ୟସ୍ଥାନ ସୃଷ୍ଟି ହେଲା ବୋଲି ମତ ଦେବା ସହ ନିଜ ନିଜର ଶୋକ ବ୍ୟକ୍ତ କରିଥିଲେ । ବରିଷ୍ଠ କଳାକାର ସଂଘର କୋଷାଧ୍ୟକ୍ଷ ଦୁର୍ଗା ପ୍ରସାଦ ଆଚାର୍ଯ୍ୟ ପ୍ରାକ୍ ସୂଚନା ଦେବାପରେ ସଭାପତିଙ୍କ ନିର୍ଦ୍ଦେଶରେ ଦିବଂଗତ ଆତ୍ମାର ସଦ୍ଗତି ନିମନ୍ତେ ଦୁଇ ମିନିଟ୍ ସମୂହ ନୀରବ ପ୍ରାର୍ଥନା କରାଯାଇଥିଲା । କାର୍ଯ୍ୟକ୍ରମ ପରିଚାଳନାରେ ସର୍ବଶ୍ରୀ ଲକ୍ଷ୍ମୀ ନାରାୟଣ ସାମଲ, ଭଗବାନ ସାମଲ, ନୀଳମାଧବ ଜେନା, କିଶୋର କପୂର୍, ବଳଦେବ ସାହୁ, ନିହାରିକା ସାହୁ ପ୍ରମୁଖ ସଂଘ ସଦସ୍ୟ – ସଦସ୍ୟା ମାନେ ସହଯୋଗ କରିଥିଲେ ।

Advertisement