ଲକଡାଉନ ଅବଧି ପରେ ଅର୍ଥନୀତି ତୁଳନାରେ ଲୋକମାନଙ୍କ ସ୍ୱାସ୍ଥ୍ୟ ଉଦବେଗ ପ୍ରତି ଅଗ୍ରପ୍ରାଧାନ୍ୟ ଦିଆଯିବ : ଉପରାଷ୍ଟ୍ରପତି

242
ADVERTISEMENT

• ଲକଡାଉନର ତୃତୀୟ ସପ୍ତାହ ଏହି କାର୍ଯ୍ୟପନ୍ଥା ଉଠାଇବା ଦିଗରେ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ : ଉପରାଷ୍ଟ୍ରପତି
• ଅସୁବିଧାର ସମ୍ମୁଖୀନ ହେଲେ ସୁଦ୍ଧା ସରକାରଙ୍କ ନିଷ୍ପତ୍ତିକୁ ଜନସାଧାରଣ ସହଯୋଗ କରିବା ଆବଶ୍ୟକ : ଉପରାଷ୍ଟ୍ରପତି
• ମାନବ ସମାଜର ସାମଗ୍ରିକ କଲ୍ୟାଣ ସକାଶେ ଏପର୍ଯ୍ୟନ୍ତ ଭାରତୀୟମାନଙ୍କ ସହଯୋଗ ସେମାନଙ୍କ ମାତୃଭୂମିର ଆଧ୍ୟାତ୍ମିକତାର ପରିଚୟ ଦିଏ : ଉପରାଷ୍ଟ୍ରପତି
• ତବ୍ଲିଘ ଜମାତ ଘଟଣା ଏଡାଯାଇପାରିବା ଭଳି ଏକ ତ୍ରୁଟି : ଉପରାଷ୍ଟ୍ରପତି
• କରୋନା ସଂକଟରୁ ବିଶ୍ୱ ସମୁଦାୟ ଭବିଷ୍ୟତ ପାଇଁ ଉଚିତ ଶିକ୍ଷା ପାଇବେ, କହିଲେ ଉପରାଷ୍ଟ୍ରପତି

ନୂଆଦିଲ୍ଲୀ, ୮/୪ (ଡିଏଚ) : ଅପ୍ରେଲ ୧୪ ତାରିଖ ଦିନ ତିନି ସପ୍ତାହର ଜାତୀୟ ଲକଡାଉନ ପରେ ଆଗକୁ କି ପ୍ରକାର ନିଷ୍ପତ୍ତି ନିଆଯିବ ସେକଥା ଏବେ ସରକାର ଗୁରୁତ୍ୱର ସହ ଚିନ୍ତା କରୁଛନ୍ତି । ବୈଶ୍ୱିକ ମହାମାରୀ କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ସକାଶେ ସରକାର ସମ୍ପ୍ରତି ତିନି ସପ୍ତାହର ଲକଡାଉନ ଘୋଷଣା ବଳବତ୍ତର କରିଛନ୍ତି । ଏହାପରେ ପରବର୍ତ୍ତୀ କାର୍ୟ୍ୟପନ୍ଥା କ’ଣ ହେବ ସେଥିନେଇ ଏବେ ଗୁରୁତ୍ୱର ସହ ବିଚାର କରାଯାଉଛି । ଜନସାଧାରଣଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ପ୍ରତି ସରକାର ସର୍ବାଧିକ ଗୁରୁତ୍ୱ ଆରୋପ କରୁଛନ୍ତି ବୋଲି ଉଲ୍ଲେଖ କରି ଉପରାଷ୍ଟ୍ରପତି କହିଲେ ଯେ, ଦେଶର ଅର୍ଥ ବ୍ୟବସ୍ଥାର ସ୍ଥିରତା ଅପେକ୍ଷା ଲୋକମାନଙ୍କ ସ୍ୱାସ୍ଥ୍ୟ ନିରାପତ୍ତା ସରକାରଙ୍କ ପାଇଁ ଅଧିକ ଜରୁରି ।

ଉପରାଷ୍ଟ୍ରପତି କହିଲେ ଯେ ତାଙ୍କ ବିଚାରରେ ଆଜି ଲକଡାଉନ ଅବଧିର ଦୁଇ ସପ୍ତାହ ପୂର୍ଣ୍ଣ ହେଉଛି ଏବଂ ଆଗକୁ ବାକିଥିବା ଗୋଟିଏ ସପ୍ତାହ ଅଧିକ ଜଟିଳ । ଆଗାମୀ ସପ୍ତାହର ଅବସ୍ଥାକୁ ଦେଖି ଏଭଳି ଲକଡାଉନ ଉଠିବା ପରେ ପରବର୍ତ୍ତୀ କାର୍ୟ୍ୟପନ୍ଥା କ’ଣ ନିଆଯିବ ତାହା ବିଚାର କରାଯିବ । ମାର୍ଚ୍ଚ ୨୫ ତାରିଖ ଦିନ ସାରା ଦେଶରେ କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ସକାଶେ ଏଭଳି ଲକଡାଉନ୍‌ ଜାରି କରାଯାଇଥିଲା । ଏହି ତିନି ସପ୍ତାହର ଅବଧି ମଧ୍ୟରେ କେତେ ମାତ୍ରାରେ ଏବଂ କେତେ ବ୍ୟାପକ ଭାବେ କରୋନା ଭୂତାଣୁ ସଂକ୍ରମଣ ଘଟିଛି ତାହାକୁ ତର୍ଜମା କରି ସେଥିରୁ ଓହରିବା ଉପାୟ ସରକାର ଚିନ୍ତା କରିବେ ।

ଲକଡାଉନରୁ ଓହରିବା ଉପାୟ ଘେନି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ରାଜ୍ୟ ମୁଖ୍ୟମନ୍ତ୍ରୀମାନଙ୍କ ମଧ୍ୟରେ ହୋଇଥିବା ବିଚାରବିମର୍ଷ ସଂପର୍କରେ ଉଲ୍ଲେଖ କରି ଉପରାଷ୍ଟ୍ରପତି ଶ୍ରୀ ନାଇଡ଼ୁ କହିଲେ ଯେ ସରକାର ଯାହା କିଛି ନିଷ୍ପତ୍ତି ଗ୍ରହଣ କରନ୍ତୁ ନା କାହିଁକି ଜନସାଧାରଣ ତାହାକୁ ନିଷ୍ଠାର ସହ ମାନିବା ଓ ଏଥିରେ ପୂର୍ଣ୍ଣ ସହଯୋଗ କରିବା ଉଚିତ । ଲୋକମାନେ ବର୍ତ୍ତମାନ ପର୍ୟ୍ୟନ୍ତ ଯେଉଁଭଳି ନିଷ୍ଠାର ସହ ସରକାରୀ ନିର୍ଦ୍ଦେଶନାମା ସହ ସହଯୋଗ କରିଆସିଛନ୍ତି ସେହିଭଳି ମନୋଭାବ ଭବିଷ୍ୟତରେ ମଧ୍ୟ ପୋଷଣ କରିବା ଆବଶ୍ୟକ । ଅପ୍ରେଲ ୧୪ ତାରିଖ ପରେ ଯଦି ଏଭଳି ଅସୁବିଧା ଜାରିରହିଲା ତଥାପି ସୁଦ୍ଧା ନାଗରିକମାନେ ଏଥିରେ ସେମାନଙ୍କର ସହଯୋଗ ପୋଷଣ କରିବା ବାଂଛନୀୟ । ଲୋକମାନଙ୍କ ନିକଟରେ ଅତ୍ୟାବଶ୍ୟକ ସାମଗ୍ରୀ ପହଞ୍ଚାଇବା ସକାଶେ ସରକାର ଯୋଗାଣ ଶୃଙ୍ଖଳକୁ ସ୍ୱାଭାବିକ ଭାବେ ଚଳାଇ ରଖିବାର ସମସ୍ତ ପ୍ରକାର ବନ୍ଦୋବସ୍ତ କରୁଛନ୍ତି । ସେହିଭଳି ସମାଜର ଦୁର୍ବଳ ଶ୍ରେଣୀର ଲୋକମାନଙ୍କ ପାଇଁ ପର୍ୟ୍ୟାପ୍ତ ରିଲିଫ ଓ ସହାୟତା ମହଜୁତ ରଖାଯାଇଛି ।

ମାର୍ଚ୍ଚ ୨୨ ତାରିଖ ଦିନ ଜନତା କର୍ଫ୍ୟୁ ପାଳନ ବେଳେ ଦେଶର ଜନସାଧାରଣ ପ୍ରଦର୍ଶନ କରିଥିବା ଅଭୂତପୂର୍ବ ସହଯୋଗର ଅବତାରଣା କରି ଉପରାଷ୍ଟ୍ରପତି କହିଲେ ଯେ ମାର୍ଚ୍ଚ ୨୫ ତାରିଖ ଦିନ ଠାରୁ ପାଳନ କରାଯାଇ ଆସୁଥିବା ଲକଡାଉନ ଏବଂ ଅପ୍ରେଲ ୫ ତାରିଖ ଦିନ ରାତିରେ ପ୍ରଦୀପ ପ୍ରଜ୍ଜ୍ୱଳନ ଲାଗି ଦିଆଯାଇଥିବା ଆହ୍ୱାନରେ ମଧ୍ୟ ସେହିଭଳି ଜନ ସହଯୋଗ ଦେଖିବାକୁ ମିଳିଛି । ଏହା ଭାରତୀୟ ଆଧ୍ୟାତ୍ମିକତାର ପ୍ରତିଫଳନ ବୋଲି ଉପରାଷ୍ଟ୍ରପତି ଉଲ୍ଲେଖ କରିଥିଲେ । ଏହି ସଂପର୍କରେ ନିଜର ମତବ୍ୟକ୍ତ କରି ଶ୍ରୀ ନାଇଡ଼ୁ କହିଲେ ଯେ ଆଧ୍ୟାତ୍ମିକ ମୋକ୍ଷ ପ୍ରାପ୍ତିର ଅର୍ଥ ହେଲା ଆତ୍ମକୈନ୍ଦ୍ରିକତାକୁ ଦୂର କରିବା ଏବଂ ସମସ୍ତଙ୍କର କଲ୍ୟାଣ ପାଇଁ ପ୍ରୟାସ ଜାରି ରଖିବା । ଭାରତର ଜନତା ଏହି ମୂଳ ମୂଲ୍ୟବୋଧକୁ ହିଁ ଏଭଳି ବିପଦର ଘଡ଼ିରେ ସେମାନଙ୍କର ଆଚରଣରେ ପ୍ରଦର୍ଶନ କରିଛନ୍ତି । ଏଭଳି ମନୋଭାବ ଯେକୌଣସି ଆହ୍ଵାନର ସଫଳ ମୁକାବିଲା ସକାଶେ ସହାୟକ ହେବ ।

ରାଜଧାନୀ ଦିଲ୍ଲୀରେ ତବ୍ଲିଘ ଜମାତ ସମ୍ମିଳନୀ ଓ ଏହାର ପରବର୍ତ୍ତୀ ଘଟଣା ସଂପର୍କରେ ଉଲ୍ଲେଖ କରି ଉପରାଷ୍ଟ୍ରପତି କହିଲେ ଯେ ଯେତେବେଳେ କରୋନା ଭୂତାଣୁ ସଂକ୍ରମଣର ମାତ୍ରାକୁ ହ୍ରାସ କରିବା ସକାଶେ ପ୍ରୟାସ କରାଯାଉଥିଲା ଏବଂ ତାହା ଫଳପ୍ରସୂ ହେବାରେ ଲାଗିଥିଲା ସେତିକିବେଳେ ଏଭଳି ଏକ ଏଡ଼ାଯାଇ ପାରିବା ଭଳି ଘଟଣା ସେଥିରେ ଅନ୍ତରାୟ ସୃଷ୍ଟି କରିଛି । ଏହା ଅନ୍ୟମାନଙ୍କ ପାଇଁ ଆଖି ଖୋଲଦେବା ଭଳି ଏକ ଘଟଣା ହୋଇଛି ।

ଉପରାଷ୍ଟ୍ରପତି ବୈଶ୍ୱିକ ସମୁଦାୟକୁ ଆହ୍ୱାନ ଜଣାଇ କହିଛନ୍ତି ଯେ ବର୍ତ୍ତମାନର ସଂକଟରୁ ସଭିଏଁ ଉତ୍ତମ ଶିକ୍ଷା ପାଇବାକୁ ଯାଉଛନ୍ତି । ଭବିଷ୍ୟତରେ ଯଦି ଏଭଳି କୌଣସି ସଂକଟ ଉପୁଜେ ତେବେ ତାହାର ମୁକାବିଲା ନିମନ୍ତେ ଅନୁଷ୍ଠାନ ଠାରୁ ନେଇ ସଂସାଧନ, ସୂଚନା ଆଦାନ ପ୍ରଦାନ, ଅନ୍ତରାଷ୍ଟ୍ରୀୟ ସହଯୋଗ ଏବଂ ବ୍ୟକ୍ତିଗତ ସ୍ତରରେ ହେଉଥିବା ପ୍ରୟାସର ସକ୍ରିୟତାକୁ ଆହୁରି ମଜଭୁତ କରିବାକୁ ପଡ଼ିବ ।

Advertisement