ନୂଆଦିଲ୍ଲୀ, ୦୧/୦୪(ଡ଼ି ଏଚ) : ଦେଶରେ କୋଭିଡ-୧୯ର ନିରାକରଣ, ପ୍ରତିରୋଧ ଓ ମୁକାବିଲା ପାଇଁ ଉଚ୍ଚସ୍ତରରେ ସମୀକ୍ଷା କରାଯାଉଛି ଏବଂ ରାଜ୍ୟଗୁଡ଼ିକ ସହିତ ସହଭାଗିତାରେ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି । ମାନନୀୟ ପ୍ରଧାନମନ୍ତ୍ରୀ ବିଭିନ୍ନ ମନ୍ତ୍ରଣାଳୟ ତଥା ବିଭାଗ ସମେତ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶର ବରିଷ୍ଠ ଅଧିକାରୀଙ୍କ ସହିତ ସ୍ଥିତିର ନିୟମିତ ଅନୁଧ୍ୟାନ ଏବଂ ସମୀକ୍ଷା କରୁଛନ୍ତି ।
କୋଭିଡ-୧୯ ମୁକାବିଲା ଲାଗି ସଚେତନତା ସୃଷ୍ଟି କରିବା, ସାମାଜିକ ଦୂରତା ରକ୍ଷା ଉପରେ ଜୋର ଦେବା ଏବଂ ଗରିବଙ୍କ ପାଇଁ ମୌଳିକ ସୁବିଧା ସୁଯୋଗ କରିବା ନିମନ୍ତେ ସାମାଜିକ କଲ୍ୟାଣ ସଂଗଠନଗୁଡ଼ିକର ପ୍ରତିନିଧମାନଙ୍କୁ ସକ୍ରିୟ ପ୍ରୟାସକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପ୍ରଶଂସା କରିଛନ୍ତି । କୋଭିଡ-୧୯ ବିଶ୍ବ ମହାମାରୀର ମୁକାବିଲା ଦିଗରେ ଆଲୋଚନା ଲାଗି ସାରା ବିଶ୍ବରେ ରହିଥିବା ସମସ୍ତ ଭାରତୀୟ ଦୂତାବାସ ଏବଂ ଉଚ୍ଚାୟୋଗର ମୁଖ୍ୟମାନଙ୍କ ସହିତ ସେ ଭିଡିଓ କନଫରେନ୍ସ ଜରିଆରେ ଆଲୋଚନା କରିଛନ୍ତି ।
ଆଜି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ହର୍ଷବର୍ଦ୍ଧନଙ୍କ ଅଧ୍ୟକ୍ଷତାରେ ମନ୍ତ୍ରୀ ଗୋଷ୍ଠୀ (ଜିଓଏମ)ର ଦଶମ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଶ୍ରୀ ହରଦୀପ ସିଂ ପୁରୀ, ବୈଦେଶିକ ବ୍ୟାପାର ମନ୍ତ୍ରୀ ଡ. ଏସ. ଜୟଶଙ୍କର, ଗୃହ ରାଷ୍ଟ୍ର ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ରାୟ, ଜାହାଜ ଚଳାଚଳ, ସାରା ଓ ରସାୟନ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ମନସୁଖ ମାଣ୍ଡଭ୍ୟ, ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଅଶ୍ୱିନୀ କୁମାର ଚୌବେଙ୍କ ସମେତ ଜିଓଏମର ସଦସ୍ୟମାନେ ଅଂଶଗ୍ରହଣ କରିଥିଲେ। ଲକଡାଉନକୁ କାର୍ୟ୍ୟକାରୀ କରିବା, ପ୍ରବାସୀ ଶ୍ରମିକ ପ୍ରସଙ୍ଗ, ଅଧିକ ସଂକ୍ରମିତ ଅଞ୍ଚଳରେ ରୋଗ ପ୍ରତିହତ ପାଇଁ ପଦକ୍ଷେପ, ପିପିଇ, ମାସ୍କ, ଭେଣ୍ଟିଲେଟର ଆଦି ଜରୁରି ସାମଗ୍ରୀ ଯଥେଷ୍ଟ ପରିମାଣରେ ଯୋଗାଇବା ଆଦି ବିଭିନ୍ନ ପ୍ରସଙ୍ଗ ଏହି ଅବସରରେ ଆଲୋଚନା ହୋଇଥିଲା ।
ବିଜ୍ଞାନ ସଂସ୍ଥା, ବୈଜ୍ଞାନିକ, ଉଦ୍ୟୋଗ ଜଗତ ଓ ନିୟାମକ ସଂସ୍ଥାଗୁଡ଼ିକ ମଧ୍ୟରେ ସମନ୍ଵୟ ପ୍ରତିଷ୍ଠା ଉଦ୍ଦେଶ୍ୟରେ କୋଭିଡ-୧୯ ପାଇଁ ଏକ କ୍ଷମତାପ୍ରାପ୍ତ ବିଜ୍ଞାନ ଓ ପ୍ରଯୁକ୍ତି ସମିତି ଗଠନ କରାଯାଇଛି । ନୀତି ଆୟୋଗ ସଦସ୍ୟ ପ୍ରଫେସର ବିନୋଦ ପଲ, ଭାରତ ସରକାରଙ୍କ ପ୍ରମୁଖ ବୈଜ୍ଞାନିକ ପରାମର୍ଶଦାତା ପ୍ରଫେସର କେ. ବିଜୟ ରାଘବନଙ୍କୁ ଏହି ସମିତିର ଅଧ୍ୟକ୍ଷ ଭାବେ ନିୟୋଜିତ କରାଯାଇଛି । କୋଭିଡ-୧୯ ସଂକ୍ରମଣକୁ ପ୍ରତିହତ କରିବା ଲାଗି ଅଧିକ ପରୀକ୍ଷଣ ସୁବିଧାର ଜରୁରି ଆବଶ୍ୟକତାକୁ ଦୃଷ୍ଟି ରଖି ଗବେଷଣା ଓ ବିକାଶ ପାଇଁ ତୁରନ୍ତ ନିଷ୍ପତ୍ତି ନିଆଯିବା ଜରୁରି ହୋଇପଡ଼ିଛି । ଏହି ଉଦ୍ଦେଶ୍ୟ ନେଇ ବିଜ୍ଞାନ ଓ ପ୍ରଯୁକ୍ତି ବିଭାଗ, ଜୈବପ୍ରଯୁକ୍ତି ବିଭାଗ, ବିଜ୍ଞାନ ଓ ଶିଳ୍ପ ଗବେଷଣା ପରିଷଦ (ସିଏସଆଇଆର), ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ (ଡିଆରଡିଓ) ଏବଂ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ସାଇନ୍ସ (ଆଇଆଇଏସସି) ସହିତ ମିଶି ଏହି ସମିତି କାର୍ୟ୍ୟ କରିବ ।
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ବୟନ ମନ୍ତ୍ରଣା, ଔଷଧ ନିର୍ମାତା ଏବଂ ବିଭିନ୍ନ ରାଜ୍ୟଗୁଡ଼ିକ ସହିତ ସମନ୍ଵୟ ରକ୍ଷା କରାଯାଇ ପଦକ୍ଷେପ ନିଆଯାଉଛି । ପିପିଇ, ମାସ୍କ ଏବଂ ଭେଣ୍ଟିଲେଟର ଆବଶ୍ୟକତା ଉପରେ ଧ୍ୟାନ ଦିଆଯାଉଛି ଏବଂ ଏସବୁ ଜରୁରି ସାମଗ୍ରୀ ଉତ୍ପାଦନ କରୁଥିବା କାରଖାନା ସହ ସମ୍ପର୍କ ସ୍ଥାପନ କରାଯାଇଛି । ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କ ସମ୍ପର୍କରେ ଜାଣିବା ଲାଗି ରାଜ୍ୟଗୁଡ଼ିକ ସହିତ ଯୋଗାଯୋଗ କରାଯାଉଛି । ଯାହା ଫଳରେ ସମସ୍ତ ସଂକ୍ରମିତକୁ ଚିହ୍ନଟ କରାଯାଇ ପ୍ରତିରୋଧ ରଣନୀତିକୁ ସଠିକ ଢଙ୍ଗରେ କାର୍ୟ୍ୟକାରୀ କରାଯିବ ।
କୋଭିଡ-୧୯ ମୁକାବିଲା ଲାଗି କ୍ଷେତ୍ରୀୟ ନିରୀକ୍ଷଣ, ଅନୁଧ୍ୟାନ, ପରୀକ୍ଷଣ, କ୍ଲିନିକାଲ ମ୍ୟାନେଜମେଣ୍ଟ, ପୃଥକୀକରଣ ସୁବିଧା ପରିଚାଳନା, ଆଇସିୟୁ, ସଂକ୍ରମଣ ନିୟନ୍ତ୍ରଣ ପରିଚାଳନା ଏବଂ ସଙ୍ଗରୋଧ ବ୍ୟବସ୍ଥା ପରିଚାଳନା ନିମନ୍ତେ ଏଏନଏମ, ଆଶା, ଅଙ୍ଗନୱାଡ଼ି କର୍ମୀ, ଆୟୁଷ ଚିକିତ୍ସକ, ଡାକ୍ତର, ନର୍ସ ଏବଂ ଅନ୍ୟ ସ୍ୱାସ୍ଥ୍ୟକର୍ମୀଙ୍କ ପାଇଁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଏହାର ୱେବସାଇଟରେ ଅପଲୋଡ କରାଯାଇଛି । ୩୦ ମାର୍ଚ୍ଚରେ ଆୟୋଜିତ ଦୁଇଟି ୱେବିନାରରେ ଅନଲାଇନରେ ୧୫,୦୦୦ ନର୍ସଙ୍କୁ ପ୍ରଶିକ୍ଷଣ ଦିଆଯାଇଛି ।
ବର୍ତ୍ତମାନସୁଦ୍ଧା ଦେଶରେ ୧୨୫୧ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିବା ବେଳେ ଏମାନଙ୍କ ମଧ୍ୟରୁ ୩୨ ଜଣ ପ୍ରାଣ ହରାଇଛନ୍ତି । ବିଗତ ୨୪ ଘଣ୍ଟା ମଧ୍ୟରେ ୨୨୭ ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିବା ବେଳେ ୩ ଜଣ ପ୍ରାଣ ହରାଇଥିବା ସୂଚନା ମିଳିଛି ।