ବାଲେଶ୍ଵର,୨୭ା୩(ନରେନ୍ଦ୍ର ପ୍ରସାଦ ବେହେରା ): ଚୀନରୁ ସୃଷ୍ଟି କରୋନା ଭାଇରସ୍ ସାରା ବିଶ୍ଵରେ ମହାମାରି ରୂପ ନେଇସାରିଲାଣି । କେତେକ ଦେଶରେ ଆୟତ୍ତାଧିନ ଥିବାର ସୂଚନା ମିଳୁଥିବା ବେଳେ ଅନ୍ୟ କେତେକ ସ୍ଥାନରେ ଆୟତ୍ତ ବାହାରେ ଥିବାର ଜାଣିବାକୁ ମିଳୁଛି । ସେଥିପାଇଁ ଭାରତ ବର୍ଷର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମଗ୍ର ଦେଶରେ ଲକ୍ ଡାଉନ୍ ଜାରି କରିଛନ୍ତି କରୋନା ଭାଇରସରୁ ଦେଶର ଅଗଣିତ ଜନସାଧାରଣଙ୍କୁ ରକ୍ଷା କରିବା ପାଇଁ । ଏଥିପାଇଁ ଦୋକାନ ବଜାର ଗାଡି ମୋଟରକୁ ମଧ୍ୟ ବନ୍ଦ ରଖାଯାଇଛି । ଯାହା ଦ୍ବାରା କି ବାହାରକୁ ଦାଦନ ଖଟିବାକୁ ଯାଇଥିବା ଓଡ଼ିଶାର ଦାଦନ ଶ୍ରମିକ ମାନେ ଘରକୁ ଫେରିନପାରି ବିଭିନ୍ନ ସ୍ଥାନରେ ଫସି ରହିଛନ୍ତି । ତାହାର ଏକ ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ଅମରିଅ-ଅଗ୍ନିପୁର ପଞ୍ଚାୟତ ରଇଁନନ୍ତିରା ଗ୍ରାମରେ । ପ୍ରକାଶ ଥାଉକି-ଏହି ଗ୍ରାମର କେତେକ ଲୋକ ତାମିଲନାଡୁର ତ୍ରୀପୁରା ଅଞ୍ଚଳକୁ ଦାଦନ ଖଟିବାକୁ ଯାଇଥିଲେ କୌଣସି ଏକ ଘରୋଇ କମ୍ପାନୀକୁ । ସେମାନଙ୍କ ସହିତ ପରିବାର ମଧ୍ୟ ସେଠାରେ ରହୁଥିଲେ । କରୋନା ଭାଇରସ୍ ପାଇଁ ହଠାତ୍ ଦେଶସାରା ଲକ୍ ଡାଉନ୍ ଜାରିହେବା ଫଳରେ କମ୍ପାନୀ ବନ୍ଦ ହୋଇଯିବା ଦ୍ବାରା ୩୦ରୁ ଉର୍ଦ୍ଧ୍ଵ ଲୋକ କମ୍ପାନୀ କ୍ବାର୍ଟର ଛାଡି ପରିଚିତଙ୍କ କ୍ବାଟରରେ ରହି ହଇରାଣ ହେଉଛନ୍ତି । ସେମାନଙ୍କ ପାଖରେ ଯାହାକିଛି ସମ୍ବଳଥିଲା ସରିଯିବା ପରେ ଭୋକ ଉପଵାସରେ ରହି କଲବଲ ହେଉଛନ୍ତି । ତୁରନ୍ତ ସେମାନଙ୍କୁ ଓଡିଶା ଫେରାଇ ଆଣିବାର ବ୍ଯବସ୍ଥା କରିବା ପାଇଁ ସେମାନଙ୍କ ତରଫରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ସିମୁଳିଆ ବିଧାୟକ ତଥା ପର୍ଯ୍ୟଟନ ଓ ସାଂସ୍କୃତିକ ମନ୍ତ୍ରୀ ଜ୍ଯୋତି ପ୍ରକାଶ ପାଣିଗ୍ରାହୀଙ୍କୁ ନିବେଦନ କରିଥିବାର ବାଲେଶ୍ଵର ଜିଲ୍ଲା ପ୍ରତିନିଧି ନରେନ୍ଦ୍ର ପ୍ରସାଦ ବେହେରାଙ୍କୁ ଲିଖିତ ଭାବେ ଜଣାଇଛନ୍ତି । ମାନ୍ଯବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହୋଦୟଙ୍କୁ ଗ୍ରାମବାସୀଙ୍କ ଅନୁରୋଧ ଏ କ୍ଷେତ୍ରରେ ଜିଲ୍ଲାର ଦାଦନ ଶ୍ରମିକ ମାନଙ୍କୁ ଓଡିଶା ଫେରାଇ ଆଣିବାରେ ସହାୟ ହୁଅନ୍ତୁ ।