ବାଲେଶ୍ଵର,୨୭ା୩(ନରେନ୍ଦ୍ର ପ୍ରସାଦ ବେହେରା): କରୋନା ଭାଇରସ ମହାମାରୀ ରୂପ ନେଉଛି । ଏହାର ମୁକାବିଲା କରିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଭିନ୍ନ ସଚେତନତା ମୂଳକ କଡ଼ା ପଦକ୍ଷେପ ଗ୍ରହଣ କରିଛନ୍ତି । ପ୍ରଧାନମନ୍ତ୍ରୀ ସାରା ଦେଶକୁ ୨୧ଦିନ ପାଇଁ ଲକ୍ ଡାଉନ୍ ଘୋଷଣା କରିଛନ୍ତି । ଯାହା ଜନସାଧାରଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଅଟେ । ସେଥିପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାଲେଶ୍ୱର ଜିଲ୍ଲାକୁ ଲକ୍ ଡାଉନ୍ (ତାଲାବନ୍ଦ) ଘୋଷଣା କରିଥିବାରୁ ସବୁ ମହଲରୁ ସ୍ବାଗତ କରାଯାଇଛି । ସିମୁଳିଆ ନିର୍ବାଚନ ମଣ୍ଡଳୀର ବିଧାୟକ ତଥା ପର୍ଯ୍ୟଟନ ଓ ସାଂସ୍କୃତିକ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ନିର୍ବାଚନ ମଣ୍ଡଳୀର ସମସ୍ତ ପଞ୍ଚାୟତ ପ୍ରତିନିଧି ମାନଙ୍କୁ ନିଜ ଅଞ୍ଚଳରେ କିପରି ଭାବେ ଜନସାଧାରଣ କରୋନା ଭାଇରସ ମହାମାରୀକୁ ମୁକାବିଲା କରାଯାଇ ପାରିବ ସେଥିପାଇଁ ମଧ୍ୟ ପରାମର୍ଶ ଦେଇଛନ୍ତି । ଏହି ପରିପ୍ରେକ୍ଷୀରେ ପ୍ରତି ସପ୍ତାହର ଶୁକ୍ରବାର ଓ ମଙ୍ଗଳବାର ଦିନ ହେଉଥିବା ଖଇରା ସପ୍ତାହିକ ହାଟକୁ ବନ୍ଦ ରଖିବା ପାଇଁ ମନ୍ତ୍ରୀଙ୍କ ପରାମର୍ଶ କ୍ରମେ ଖଇରା ବ୍ଲକ ଖଇରା ପଞ୍ଚାୟତର ସରପଞ୍ଚ ସୁଦର୍ଶନ ସେଠୀ ଜନସାଧାରଣଙ୍କୁ ଡାକବାଜି ଯନ୍ତ୍ର ମାଧ୍ଯମରେ ବିନମ୍ର ନିବେଦନ କରିଛନ୍ତି ଏବଂ ସରପଞ୍ଚଙ୍କୁ ସହଯୋଗ କରିବାକୁ ଅନୁରୋଧ କରିଛନ୍ତି ।
କାରଣ ଖଇରା ବଜାରରେ ବହୁ ଯୁବଗୋଷ୍ଠୀ ଠାରୁ ଆରମ୍ଭ କରି ବିଭିନ୍ନ ଲୋକ ବିନା କାରଣରେ ଜନଗହଳି କରୁଥିବା ପରିଲକ୍ଷିତ ହେଉଛି । ଜରୁରୀ ପରିସ୍ଥିତିରେ ପରିବାରର ଜଣେ ସଦସ୍ୟ ବଜାରକୁ ସତର୍କତା ସହିତ ଆସି ନିତ୍ଯାବଶ୍ଯକୀୟ ସାମଗ୍ରୀ ଦୋକାନରୁ ଘରକୁ ନେବା ପରିବର୍ତ୍ତେ ଅଯଥା ଭିଡ ଜମାଉଥିବା ଦେଖିବାକୁ ମିଳୁଛି । ଦିନକୁ ଦିନ ଦେଶରେ ଅଭୂତପୂର୍ବ ପରିସ୍ଥିତି ସୃଷ୍ଟି ହେବାରେ ଲାଗିଛି ଯାହାଦ୍ବାରା କି କରୋନା ଭାଇରସ୍ ସମଗ୍ର ବିଶ୍ବକୁ ଗ୍ରାସ କରିବାକୁ ବସିଲାଣି । ଚୀନରୁ ବାହାରିଥିବା ଏହି ଭୂତାଣୁ ଧିରେଧିରେ ଦୃତ ଗତିରେ ଚାରିଆଡ଼େ ବ୍ଯାପିବାରେ ଲାଗିଛି । ଏହି ସଂକ୍ରମଣକୁ ରୋକିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ଵାରା ବିଭିନ୍ନ ପଦକ୍ଷେପମାନ ନିଆଯାଇ ସତର୍କ କରାଯାଉଅଛି । ନିଜେ ଓ ନିଜ ପରିବାରକୁ କରୋନା ଭାଇରସ ଠାରୁ ଦୂରେଇ ରଖିବା ସହିତ ଅନ୍ୟ ମାନଙ୍କ ଠାରୁ ଦୂରତା ଵଜାୟ ରଖିବା ପାଇଁ ସରପଞ୍ଚ ସମସ୍ତଙ୍କୁ ନିବେଦନ କରିଛନ୍ତି ।